ମୁମ୍ବାଇ : ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ କରୋନା ଆକ୍ରାନ୍ତ ହୋଇଛନ୍ତି । ଏ ସଂପର୍କରେ ବିସିସିଆଇ ସଚିବ ଜୟ ଶାହା ଟୁଇଟ୍ କରି ସୂଚନା ଦେଇଛନ୍ତି । ଏହା ଫଳରେ ଏସିଆ କପ ପାଇଁ ଭାରତୀୟ ଦଳ ସହିତ ତାଙ୍କର ୟୁଏଇ ଗସ୍ତ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଛି ।
ଏସିଆ କପ ପାଇଁ ଭାରତୀୟ ଦଳ ମଙ୍ଗଳବାରଦିନ ୟୁଏଇ ଗସ୍ତ କରିବ । ଏହା ପୂର୍ବରୁ ଟିମର ସମସ୍ତ ସଦସ୍ୟଙ୍କ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ବେଳେ ଦ୍ରାବିଡଙ୍କ ନମୁନା କୋଭିଡ ପଜିଟିଭ ବାହାରିଥିଲା । ଏହା ଫଳରେ ମଙ୍ଗଳବାରଦିନ ସେ ଟିମ ସହିତ ୟୁଏଇ ଯିବେ ନାହିଁ । ପରବର୍ତ୍ତୀ ପରୀକ୍ଷା ବେଳେ ଯଦି ତାଙ୍କର ନମୁନା ନେଗେଟିଭ ବାହାରିଲା ତେବେ ସେ ୟୁଏଇ ଯାଇ ଦଳସହ ଯୋଗ ଦେବେ । ତାଙ୍କ ବଦଳରେ ଭି.ଭି.ଏସ. ଲକ୍ଷ୍ମଣଙ୍କୁ ଦଳର କୋଚ ନିଯୁକ୍ତ କରାଯାଇଛି ।
ଦ୍ରାବିଡ଼ ଭାରତୀୟ ଦଳର ଜିମ୍ବାଓ୍ବେ ଗସ୍ତବେଳେ ବି ଯାଇନଥିଲେ । ତାଙ୍କ ବଦଳରେ ଲକ୍ଷ୍ମଣଙ୍କୁ ପଠାଯାଇଥିଲା । ଜିମ୍ବାଓ୍ବେ ଗସ୍ତରେ ଥିବା ଖେଳାଳିମାନେ ସିଧାସଳଖ ୟୁଏଇରେ ପହଞ୍ଚିବେ । ଭାରତରେ ଥିବା ଖେଳାଳିମାନେ ମଙ୍ଗଳବାର ୟୁଏଇ ଯିବେ ।
ଏସିଆ କପ୍ ଆସନ୍ତା ୨୭ ତାରିଖରୁ ଆରମ୍ଭ ହେଉଛି । ଭାରତୀୟ ଦଳ ନିଜର ପ୍ରଥମ ମ୍ୟାଚ ନିଜର ଚିରାଚରିତ ପ୍ରତିଦ୍ବନ୍ଦୀ ପାକିସ୍ତାନ ବିରୋଧରେ ଆସନ୍ତା ରବିବାର ଅର୍ଥାତ ଅଗଷ୍ଟ ୨୮ରେ ଖେଳିବ ।