ଭୁବନେଶ୍ବର: ଓଡ଼ିଶାର ରାହୁଲ ବାରିକ ଓ ଲିମା ସାହୁ ଯଥାକ୍ରମେ ଜାତୀୟ ବରିଷ୍ଠ ପୁରୁଷ ଓ ୧୬ ବର୍ଷରୁ କମ୍ ମହିଳା ଭଲିବଲ୍ ପ୍ରଶିକ୍ଷଣ ଶିବିରରେ ସ୍ଥାନ ପାଇଛନ୍ତି। ଚାଇନିଜ୍ ତାଇପେରେ ଜୁଲାଇ ୮ରୁ ୧୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଚତୁର୍ଥ ଏଭିସି ପୁରୁଷ ଚ୍ୟାଲେଞ୍ଜ କପ୍ ଭଲିବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିଲାଗି ଭୁବେନଶ୍ବର କିଟ୍ ବିଶ୍ବବିଦ୍ୟାଳୟସ୍ଥିତ ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମରେ ଜାତୀୟ ଦଳର ପ୍ରଶିକ୍ଷଣ ଶିବିର ଶୁକ୍ରବାରଠୁ ଆରମ୍ଭ ହେବାକୁ ଯାଉଛି। ଏହି ଶିବିର ଲାଗି ଜାତୀୟ ଭଲିବଲ୍ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ ଦେଇଥିବା ଜଗତସିଂହପୁରର ରାହୁଲଙ୍କୁ ସ୍ଥାନ ମିଳିଛି।
ସେହିପରି ଶୁକ୍ରବାରଠୁ ଏହି ସମାନ ସ୍ଥାନରେ ଜାତୀୟ ୧୬ ବର୍ଷରୁ କମ୍ ମହିଳା ଭଲିବଲ୍ ଦଳର ମଧ୍ୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ଏହି ଶିବିରରେ ଉପକନଷ୍ଠ ଜାତୀୟ ପ୍ରତିଯୋଗିତାରେ ସୁନ୍ଦର ପ୍ରଦର୍ଶନ ଦେଇଥିବା କେନ୍ଦ୍ରାପଡ଼ା ଝିଅ ଲିମାଙ୍କୁ ସୁଯୋଗ ମିଳିଛି। ଏହି ପ୍ରଶିକ୍ଷଣ ଶିବିରରୁ ଏସୀୟ ମହିଳା ୧୬ ବର୍ଷରୁ କମ୍ ଭଲିବଲ୍ ପ୍ରତିଯୋଗିତା ଲାଗି ଚୂଡ଼ାନ୍ତ ଭାରତୀୟ ଦଳ ଘୋଷଣା ହେବ। ଜାତୀୟ ପ୍ରଶିକ୍ଷଣ ଶିବିରରେ ସ୍ଥାନ ପାଇଥିବାରୁ ରାହୁଲ ଓ ଲିମାଙ୍କୁ କିଟ୍ ଓ କିସ୍ର ପ୍ରତିଷ୍ଠାତା ସାଂସଦ ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇଛନ୍ତି।