ଚେନ୍ନାଇ: ଚଳିତ ବିଶ୍ବକପ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ବିଜୟରେ ଅନ୍ୟତମ ମୁଖ୍ୟ କର୍ଣ୍ଣଧାର ସାଜିଥିବା କେଏଲ୍ ରାହୁଲଙ୍କ ପାଇଁ ଭାରତର ମଧ୍ୟକ୍ରମ ଦୃଢ଼ ହୋଇପାରିଛି। ରବିବାର ରାତିରେ ଧୈର୍ଯ୍ୟପୂର୍ଣ୍ଣ ୯୭* ରନ୍‌ ପାଳି ପାଇଁ ଚର୍ଚ୍ଚାକୁ ଆସିଥିବା କେଏଲ୍ ରାହୁଲଙ୍କ ସମ୍ପର୍କରେ ମତ ରଖି ଭାରତ ଦଳର ବୋଲିଂ ପ୍ରଶିକ୍ଷକ ପରାସ ମହାମ୍ବ୍ରେ କହିଛନ୍ତି ‘ୱିକେଟରକ୍ଷକ ବ୍ୟାଟର୍‌ କେଏଲ୍ ରାହୁଲ ଦଳକୁ‌ ଫେରିବା ପରଠାରୁ ମଧ୍ୟକ୍ରମରେ ସ୍ଥିରତା ଆସିଯାଇଛି। ସ୍ଥିରତା ସହିତ ଏହା ମଧ୍ୟ ଦଳକୁ ଆତ୍ମବିଶ୍ବାସ ଦେଇଛି। ସେ ଜଣେ ଉଚ୍ଚମାନର ବ୍ୟାଟର୍‌, ବିଶେଷ କରି ମଧ୍ୟକ୍ରମରେ ଭଲ ଖେଳିଥାନ୍ତି। ଆମକୁ ସେଭଳି ଜଣେ ଖେଳାଳିର ଆବଶ୍ୟକତା ଥିଲା। ପେସ୍‌ ବୋଲିଂ ସହିତ ସ୍ପିନ୍ ବୋଲିଂକୁ ମଧ୍ୟ ରାହୁଲ ଭଲ ଖେଳିଥାନ୍ତି।’ ସୂଚନାଯୋଗ୍ୟ, ରବିବାର ଭାରତ ୨୦୦ ରନ୍‌କୁ ପିଛା କରୁଥିଲେ ମଧ୍ୟ ୨ ରନ୍‌ ବେଳକୁ ୩ ୱିକେଟ୍ ହରାଇ ସଂଘର୍ଷ କରିଥିଲା। ୫ ନମ୍ବର ବ୍ୟାଟର୍‌ ଭାବେ ରାହୁଲ ତୃତୀୟ ଓଭର ବେଳକୁ କ୍ରିଜ୍‌କୁ ଆସିବାକୁ ବାଧ୍ୟ ହୋଇଥିଲେ। ବିରାଟ କୋହଲିଙ୍କ ସହ ମିଶି ଭାରତକୁ ଶତକୀୟ (୧୬୫) ଭାଗୀଦାରି ବଳରେ ବିଜୟ ପଥରେ ରଖିଥିଲେ।

Advertisment

ଆହତ ସମସ୍ୟାରୁ ଫେରିବା ପରଠାରୁ ରାହୁଲ ମଧ୍ୟ ଚମତ୍କାର ଫର୍ମରେ ରହିଛନ୍ତି। ଏସିଆ କପ୍‌ରେ ପାକିସ୍ତାନ ବିପକ୍ଷରେ ଶତକ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍‌ ଶୃଙ୍ଖଳାରେ ୨ ଶତକ ହାସଲ କରିବା ପରେ ଏବେ ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌ରେ ସୁନ୍ଦର ପାଳି ଖେଳି ଆତ୍ମବିଶ୍ବାସକୁ ଜାରି ରଖିଛନ୍ତି। ‘ବିଗତ କିଛି ମ୍ୟାଚ୍‌କୁ ଦେଖିଲେ ଅଷ୍ଟ୍ରେଲିଆ ପ୍ରଥମ ୧୦ ଓଭରରେ ବଲ୍‌ କଠିନ ଥିବା ବେଳେ ଆକ୍ରମଣ କରିବାକୁ ଚେଷ୍ଟା କରିଥାଏ। ବଲ୍‌ ମଧ୍ୟ ଭଲ ଭାବେ ୱିକେଟ୍‌କୁ ଆସିଥାଏ। ଆମ ଆଭିମୁଖ୍ୟ ଅତି ସରଳ ଥିଲା। ପ୍ରାରମ୍ଭିକ ୱିକେଟ୍‌ ଦଖଲ କରିବା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ଥିଲା। ମିଚେଲ୍ ମାର୍ସଙ୍କୁ ସେମାନେ ସଅଳ ହରାଇବା ପରେ ଚାପରେ ପଡ଼ିଥିଲେ। ତଥାପି ସ୍ମିଥ୍‌-ୱାର୍ଣ୍ଣର ଭିନ୍ନ ସେଟ୍‌ ଅପ୍ ରଖିଥିଲେ’ ବୋଲି ପରାସ ମହାମ୍ବ୍ରେ ପ୍ରକାଶ କରିଥିଲେ।

ଭାରତୀୟ ସ୍ପିନରଙ୍କୁ ମଧ୍ୟ ପରାସ ଖୁବ୍ ପ୍ରଶଂସା କରିଛନ୍ତି। ଏହା ହିଁ ଖେଳର ସୌନ୍ଦର୍ଯ୍ୟ, ଦଳୀୟ ସମନ୍ବୟରେ ବିବିଧତା ଥିଲା। ଆମ ସ୍ପିନରମାନେ ଭିନ୍ନ ବିକଳ୍ପ ଓ ବିବିଧତା ରଖିଥିଲେ। ସମସ୍ତ ୩ ବୋଲର୍‌ ଦକ୍ଷତା ରଖିଛନ୍ତି। ବିଶେଷ କରି ଆର୍‌ ଅଶ୍ବିନ୍‌ ଓ ରବୀନ୍ଦ୍ର ଜାଦେଜା ସ୍ବତନ୍ତ୍ର। ଏମାନଙ୍କୁ ପାୱାର ପ୍ଲେ ଭିତରେ ମଧ୍ୟ ବ୍ୟବହାର କରାଯାଇପାରିବ। କୁଲଦୀପ ଯାଦବ ଦଳର ଅନ୍ୟତମ ବିକଳ୍ପ ଯାହାଙ୍କୁ କୌଣସି ସମୟରେ ଆକ୍ରମଣରେ ଲଗା ଯାଇପାରିବ। ବାମହାତୀ କଚଟି ସ୍ପିନର୍‌ କୁଲଦୀପ ଯାଦବ ବିଗତ କିଛି ମ୍ୟାଚ୍‌ରେ ସମ୍ବେଦନଶୀଳ ବୋଲିଂ କରିଛନ୍ତି। ତାଙ୍କ ଅଗ୍ରଗତିରେ ମୁଖ୍ୟ ପ୍ରଶିକ୍ଷକ ଖୁସି ବୋଲି ପରାସ ପ୍ରକାଶ କରିଛନ୍ତି।