ଭାରତ-ଇଂଲଣ୍ଡ ମ୍ୟାଚ୍ ଆଶାଜନକ ଭାବେ ଢେର ଆଗକୁ ଲମ୍ବିଥିଲା। ଇଂଲଣ୍ଡ ସ୍କୋରକୁ ଭାରତ ଛୁଇଁ ପାରିବ ନାହିଁ ବୋଲି ଅବଶ୍ୟ ଶେଷ ଆଡ଼କୁ ସ୍ପଷ୍ଟ ହୋଇଯାଇଥିଲା। ତା’ ସହ ଶିଖର ଧାୱନଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା ଏବଂ ବିରାଟ କୋଲି ଯଦି ରନ୍ ନକରନ୍ତି, ତାହାଲେ ଅନ୍ୟମାନେ ବଡ଼ ପାଳି ଖେଳିବାକୁ ପୂରା ଅସମର୍ଥ ବୋଲି ବି ଜଣାପଡ଼ି ଯାଇଥିଲା। ଅସୀମ ପ୍ରତିଭାର ଅଧିକାରୀ କୁହାଯାଉଥିବା ରାହୁଲ ଅସ୍ଥିର ପ୍ରଦର୍ଶନ ଦେଇ ଚାଲିଛନ୍ତି। ତାଙ୍କ ପାଖରେ ହୁଏତ ପ୍ରତିଭା ଥାଇପାରେ, ହେଲେ ଏହାକୁ ଉପଯୋଗ କରିବାର ବାଟ ସମ୍ଭବତଃ ଜଣାନାହିଁ। କାରଣ ପ୍ରତିଭା ଏବଂ ସ୍ବଭାବର ମିଳନରେ ହିଁ ସଚିନ, ଦ୍ରାବିଡ଼, ସେହବାଗଙ୍କ ଭଳି ଖେଳାଳି ସୃଷ୍ଟି ହୁଅନ୍ତି। ଏମାନଙ୍କ ଭିତରେ ରହିବାକୁ ହେଲେ ରାହୁଲଙ୍କୁ ମାନସିକ ସ୍ତରରେ ଦୃଢ଼ ହେବାକୁ ହେବ। ପାଣ୍ଡ୍ୟାଙ୍କ ଭିତରେ ମୁଁ ମହାନ କପିଳ ଦେବଙ୍କୁ ଦେଖୁଛି, ଆଗକୁ ସେ ଭାରତକୁ ଅନେକ ମ୍ୟାଚ୍‌ରେ ଜିତାଇବେ। ମୁଁ ଭାବୁଛି ସାମିଙ୍କ ଶେଷ ୩ ଓଭରରେ ହିଁ ଭାରତ ମ୍ୟାଚ୍ ହାରି ଯାଇଥିଲା। ଏହି ୩ ଓଭରରେ ସେ ୪୫ ରନ୍ ବ୍ୟୟ କରିଥିଲେ। ସାମି ପାଞ୍ଚ ୱିକେଟ୍ ପାଇ ଥାଇ ପାରନ୍ତି, ତେବେ ବେନ୍ ଷ୍ଟୋକ୍ସଙ୍କୁ ଲୋ’ଫୁଲଟସ୍ ଏବଂ ଲେନ୍ଥ ବଲ୍ ବୋଲିଂ ଜାରି ରଖିବା ଅତି ଖରାପ ରଣନୀତିର ନଗ୍ନ ନମୁନା। ଦୁଃଖର କଥା ହେଲା ବରିଷ୍ଠ ଖେଳାଳି କିମ୍ବା ଅଧିନାୟକ ତାଙ୍କୁ ଏହି ସମୟରେ ଆବଶ୍ୟକ ପରାମର୍ଶ ‌ଦେଇ ପାରି ନଥିଲେ। ଚମତ୍କାର ପ୍ରତ୍ୟାବର୍ତନ ପାଇଁ କିନ୍ତୁ ଇଂଲଣ୍ଡ ପ୍ରଶଂସାର ପାତ୍ର। ସେମାନେ ଉନ୍ନତ ଦଳ ଥିଲେ। ଭାରତକୁ ମାତ୍ର ଦିନକର ବିଶ୍ରାମ ମିଳିଛି। ମଙ୍ଗଳବାର ସେମାନେ ବିଶ୍ବକପ୍‌ର ସବୁଠାରୁ ଉଦୀୟମାନ ଦଳ ବାଂଲାଦେଶକୁ ଭେଟିବାକୁ ଯାଉଛନ୍ତି। ସକିବ-ଅଲ-ହାସନ, ମୁସଫିକର ରହିମ, ତମିମ ଇକବାଲଙ୍କ ଭଳି ଖେଳାଳି ମଙ୍ଗଳବାର ପୁଣି ଥରେ ଭାରତକୁ ପରୀକ୍ଷାରେ ପକାଇବେ। ଜାସନ ରାଏଙ୍କ ଭଳି ତମିମ ଯଦି ଲୟ ପାଇ ଯାଆନ୍ତି, ବାଂଲାଦେଶ ୩୦୦ ରନ୍ କରିବା ନେଇ ବିଶେଷ ଅସୁବିଧା ହେବ ନାହିଁ। ୨୦୦୭ ଭଳି ବିପର୍ଯ୍ୟୟ ସୃଷ୍ଟି କରିବାକୁ ବାଂଲା‌ଦେଶ ପୂରା ସକ୍ଷମ। ଭାରତ ପାଇଁ ଏହି ମ୍ୟାଚ୍ କଦଳି ଚୋପା ମ୍ୟାଚ୍ ହେବ। ଗୋଡ଼ ଖସି‌ଲେ ଭାରତର ଚିନ୍ତା ବଢ଼ିବ।