ଆବୁ ଧାବି: କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ର ଫଳାଫଳ ଦ୍ବିତୀୟ ସୁପର ଓଭରରେ ବାହରିଥିଲା। ଟାଇ ହେବାରୁ ମ୍ୟାଚ୍‌ ସୁପର ଓଭରକୁ ଯାଇଥିଲା। ପ୍ରଥମ ସୁପର ବି ଟାଇରେ ଶେଷ ହୋଇଥିଲା। ଦ୍ବିତୀୟ ସୁପର ଓଭରରେ ପଞ୍ଜାବ ବିଜୟୀ ହୋଇଥିଲା। ଏହି ମ୍ୟାଚ୍‌ ଜିତିଥିବାରୁ ପଞ୍ଜାବ ଅଧିନାୟକ କେଏଲ୍‌ ରାହୁଲ ବହୁତ ଖୁସି। ଏହି ମ୍ୟାଚ୍‌ରେ ପଞ୍ଜାବ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ରାହୁଲ ଚଳିତ ବର୍ଷ ୫୦୦ ରନ୍‌ ଡେଇଁବା ସହ ନୂଆ କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। ଟି-୨୦ ଲିଗ୍‌ କ୍ରିକେଟ୍‌ରେ ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ସେ ଲଗାତାର ୩ ସଂସ୍କରଣରେ ୫୦୦ ରନ୍‌ କରିବାର କୀର୍ତ୍ତିମାନ କରିଛନ୍ତି। ଚଳିତ ଆଇପିଏଲ୍‌ରେ ସେ ୯ ମ୍ୟାଚ୍‌ ଖେଳି ଗୋଟିଏ ଶତକ ଏବଂ ୫ ଅର୍ଧଶତକ ସହ ୫୨୫ ରନ୍‌ କରିଛନ୍ତି। କମଳା ଟୋପି ଦୌଡ଼ରେ ଶୀର୍ଷରେ ରହିଛନ୍ତି। ୨୦୧୯ରେ ସେ ୫୯୩ ଏବଂ ୨୦୧୮ରେ ୬୫୯ ରନ୍‌ କରିଥିଲେ।

Advertisment

ଏଥିସହ ସେ ୨୦୧୮ ଏପ୍ରିଲ ପରେ ରାହୁଲ (୧୭୭୭ ରନ୍‌) ଆଇପିଏଲ୍‌ରେ ସର୍ବାଧିକ ରନ୍‌ ହାସଲକାରୀ ସହ ରେକର୍ଡ ୧୯ ଅର୍ଧଶତକ ଅର୍ଜନ କରିଛନ୍ତି। ଏହି ତାଲିକାରେ ୧୩୭୭ ରନ୍‌ କରି ଚଳିତ ଆଇପିଏଲ୍‌ରେ ୪୦୦ ରନ୍‌ଠୁ ଅଳ୍ପ ଦୂରରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସର ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଶିଖର ଧାୱନ (୩୫୯*)। ବଲ୍‌ ବିକୃତ ଯୋଗୁଁ କ୍ରିକେଟ୍‌ ଅଷ୍ଟ୍ରେଲିଆ ଦ୍ବାରା ବାସନ୍ଦ ହୋଇ ୨୦୧୮ ଆଇପିଏଲ୍‌ରେ ଖେଳିବାର ସୁଯୋଗ ପାଇନଥିବା ସନ୍‌ରାଇଜର୍ସ ହାଇଦ୍ରାବଦର ଡେଭିଡ ୱାର୍ନର (୧୦୨୩ ରନ୍‌) ତୃତୀୟରେ ରହିଛନ୍ତି। ସୂଚନା‌ଯୋଗ୍ୟ, ରାହୁଲଙ୍କ ଦଳ ୯ ମ୍ୟାଚ୍‌ ଖେଳି ୩ ବିଜୟ ସହ ୬ ପଏଣ୍ଟ୍‌ ସହ ‌ସୋମବାର ମ୍ୟାଚ୍‌ ପୂର୍ବରୁ ଟେବୁଲର ଷଷ୍ଠ ସ୍ଥାନରେ ରହିଥିଲା।

ଦୁବାଇ: ରବିବାର ରାତିରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ସୁପର୍‌ ଓଭର ମୁକାବିଲାରେ ଚମତ୍କାର ‌କ୍ଷେତ୍ରରକ୍ଷଣ କରିଥିବା କିଙ୍ଗ୍ସ ଇଲେଭେନ୍ ପଞ୍ଜାବର ମୟଙ୍କ ଅଗ୍ରୱାଲଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଦଳର କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଜଣ୍ଟି ରୋଡ୍ସ। ପଞ୍ଜାବ ଦଳ ସୁପର୍‌ ଓଭରରେ ୫ ରନ୍ କରିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ସହଜରେ ଜିତିଯିବ ବୋଲି ବିଶ୍ବାସ କରାଯାଉଥିଲା। ମହମ୍ମଦ ସାମି କିନ୍ତୁ ରୋହିତ ଶର୍ମା ଓ କ୍ବିଣ୍ଟନ୍ ଡି’କକ୍‌ଙ୍କୁ ବାନ୍ଧି ରଖିବାରୁ ମୁମ୍ବାଇ ମଧ୍ୟ ୫ ରନ୍‌ରେ ସୀମିତ ରହି ଦ୍ବିତୀୟ ସୁପର ଓଭର ସୁଯୋଗ ଆଣିଥିଲେ। ପ୍ରଥମ ସୁପର୍‌ ଓଭର ବେଳେ ସୀମା ରେଖା ନିକଟରେ ମୟଙ୍କ ଅଗ୍ରୱାଲ ଏକ ଛକାକୁ ରୋକିବା ପରେ ବଲକୁ ପଡିଆ ଭିତରକୁ ଫିଙ୍ଗି ନିଜେ ବାହାରେ ପଡ଼ିଥିଲେ। ତାଙ୍କ ପଛରେ ଥିବା ଅର୍ଶଦୀପ ସିଂହ ବଲ ସଂଗ୍ରହ କରିବାରୁ ମୁମ୍ବାଇକୁ ସୀମିତ ରଖିବାରେ ପଞ୍ଜାବ ସକ୍ଷମ ହୋଇଥିଲା। ଦ୍ବିତୀୟ ସୁପର୍‌ ଓଭରକୁ ଜିତି ପଞ୍ଜାବ ମଧ୍ୟ ପ୍ରତିଯୋଗିତାରେ ନବମ ମ୍ୟାଚ୍‌ରୁ ତୃତୀୟ ବିଜୟ ହାସଲ କରିଥିଲା। ‘ଆମେ ଏଭଳି ଅଭ୍ୟାସ କରିଥାଉ’ ବୋଲି ଦକ୍ଷିଣ ଆଫ୍ରିକୀୟ ମହାନ ଜଣ୍ଟି ରୋଡ୍ସ ପ୍ରକାଶ କରିଥିଲେ।