ହାଇଦ୍ରାବାଦକୁ ହରାଇଲେ ରାହୁଲ-ମୟଙ୍କ

ମୋହାଲି: ଚଳିତ ଆଇପିଏଲ୍‌ର ୨୨ତମ ମ୍ୟାଚ୍‌ରେ କିଙ୍ଗ୍ସ ଏକାଦଶ ପଞ୍ଜାବ ୬ ୱିକେଟ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ସନ୍‌ରାଇଜର୍ସ ସୋମବାର ୧୫୧ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା ବେଳେ ଲୋକେଶ ରାହୁଲ ଏବଂ ମୟଙ୍କ ଅଗ୍ରୱାଲଙ୍କ ଅର୍ଧଶତକ ବଳରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଏହାକୁ ୧୯.୫ ଓଭରରେ ୪ ୱିକେଟ୍ ହରାଇ ହାସଲ କରି ନେଇଛି। ପଞ୍ଜାବ ଆଜି ତା’ର ବିସ୍ଫୋରକ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ (୧୬ ରନ୍, ୧୪ ବଲ୍, ୧ ଚୌକା, ୧ ଛକା)ଙ୍କୁ ଚତୁର୍ଥ ଓଭରରେ ହରାଇଥିଲା। ତେବେ ରାହୁଲ (୭୧* ରନ୍, ୫୩ ବଲ୍, ୭ ଚୌକା, ୧ ଛକା) ଓ ମୟଙ୍କ (୫୫ ରନ୍, ୪୩ ବଲ୍, ୩ ଚୌକା, ୩ ଛକା) ଦ୍ବିତୀୟ ୱିକେଟ୍‌ରେ ୧୧୪ ରନ୍ ଯୋଡ଼ି ପଞ୍ଜାବକୁ ବିଜୟ ଦ୍ବାର ଦେଶରେ ପହଞ୍ଚାଇ ଦେଇଥିଲେ। ଶେଷ ଆଡ଼କୁ ସନ୍‌ରାଇଜର୍ସ ୮ ରନ୍ ଭିତରେ ୩ ୱିକେଟ୍ ନେଇ ମ୍ୟାଚ୍‌ରେ ରୋମାଞ୍ଚ ଭରିଥିଲା। ରାହୁଲ କିନ୍ତୁ ପଞ୍ଜାବ ହାତରୁ ମ୍ୟାଚ୍ ଖସିଯିବାକୁ ଦେଇ ନଥିଲେ। ‌ଶେଷ ଓଭରରୁ ବିଜୟ ପାଇଁ ୧୧ ରନ୍‌ର ଦରକାର ଥିଲା। ଯାହାକୁ ସାମ୍‌ କୁରାନଙ୍କ ସହ ମିଶି ରାହୁଲ ଏହାକୁ ‌େଗ‌ାଟିଏ ବଲ୍ ପୂର୍ବରୁ ହାସଲ କରି ନେଇଥିଲେ। ରାହୁଲ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପଞ୍ଜାବ ଷଷ୍ଠ ମ୍ୟାଚ୍‌ରୁ ଚତୁର୍ଥ ବିଜୟ ହାସଲ କରିଥିଲା। ଅନ୍ୟ ପକ୍ଷରେ ସନ୍‌ରାଇଜର୍ସ ସମାନ ସଂଖ୍ୟକ ମୁକାବିଲାରୁ ତୃତୀୟ ପରାଜୟ ବରଣ କରିଥିଲା।

ପୂର୍ବରୁ ପଞ୍ଜାବ ଟସ୍‌ ଜିତି ସନ୍‌ରାଇଜର୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ସନ‌୍‌ରାଇଜର୍ସ ଦ୍ବିତୀୟ ଓଭରର ଚତୁର୍ଥ ବଲ୍‌ରେ ‌ଦଳୀୟ ସ୍କୋର୍‌ ମାତ୍ର ୭ ରନ୍‌ ଥିଲା ବେଳେ ‌ଜନି ବେୟାରଷ୍ଟୋ (୧)ଙ୍କ ୱିକେଟ୍‌ ହରାଇଥିଲା। ଫଳରେ ପ୍ରଥମ ୧୦ ଓଭରରେ ମାତ୍ର ୫୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଅଧିନାୟକ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ୧୧ତମ ଓଭରର ଚତୁର୍ଥ ବଲ୍‌ରେ ବିଜୟ ଶଙ୍କର (୨୬)ଙ୍କୁ ଆଉଟ୍ କରି ହାଇଦ୍ରାବାଦକୁ ଦ୍ବିତୀୟ ଝଟ୍‌କା ଦେଇଥିଲେ। ଗୋଟିଏ ପଟେ ୱାର୍ନର୍‌ ବ୍ୟାଟିଂ ଜାରି ରଖିଥିଲା ବେଳେ ମହମ୍ମଦ ନବି (୧୨, ୭ ବଲ୍‌) ରନ୍‌ ଆଉଟ୍‌ ହୋଇ ପ୍ୟାଭିଲିୟନ୍‌ ଫେରିଥିଲେ। ମନୀଷ ପାଣ୍ଡେ (୧୯, ୧୫ ବଲ୍‌) କିଛିଟା ସଂଘର୍ଷ କରି ଶେଷ ଓଭରର ପ୍ରଥମ ବଲ୍‌ରେ ମହମ୍ମଦ ସାମିଙ୍କ ଶିକାର ହୋଇଥିଲେ। ଶେଷ ଓଭରରେ ବ୍ୟାଟିଂକୁ ଆସିଥିବା ଦୀପକ ହୁଦା ୩ ବଲ୍‌ରୁ ‌୨ ଚୌକା ଓ ଗୋଟିଏ ଛକା ସହ ଅପରାଜିତ ୧୪ ରନ୍‌ ସଂଗ୍ରହ କରି ଦଳୀୟ ସ୍କୋର୍‌ ଦେଢ଼ଶହରେ ପହଞ୍ଚାଇ ଦେଇଥିଲେ। ୱାର୍ନର (୭୦* ରନ୍, ୬୨ ବଲ୍, ୬ ଚୌକା, ୧ ଛକା) ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ।

ସଂକ୍ଷିପ୍ତ ସ୍କୋର୍‌: ହାଇଦ୍ରାବାଦ ୨୦ ଓଭରରେ ୧୫୦/୪ (ଡେଭିଡ ୱାର୍ନର-୭୦*, ବିଜୟ ଶଙ୍କର-୨୬, ମନୀଷ ପାଣ୍ଡେ-୧୯, ଦୀପକ ହୁଦା-୧୪*, ମୁଜୀବ ଉର୍‌ ରହେମାନ-୧/୩୪, ମହମ୍ମଦ ସାମି-୧/୩୦, ରବିଚନ୍ଦ୍ରନ୍‌ ଅଶ୍ବିନ-୧/୩୦)। ପଞ୍ଜାବ ୧୯.୫ ଓଭରରେ ୧୫୧/୪ (ଲୋକେଶ ରାହୁଲ-୭୧*, ମୟଙ୍କ ଅଗ୍ରୱାଲ-୫୫, କ୍ରିସ୍‌ ଗେଲ୍‌-୧୬, ସନ୍ଦୀପ ଶର୍ମା-୨/୨୧, ରସିଦ ଖାନ୍‌-୧/୨୦, ସିଦ୍ଧାର୍ଥ କୌଲ-୧/୪୨)

ସମ୍ବନ୍ଧିତ ଖବର