‘ରାହୁଲ, ନାମ୍‌ ତୋ ସୁନା ହୋଗା’

ଦୁବାଇ: ଚେନ୍ନାଇ ସୁପର୍‌ କିଙ୍ଗ୍ସ ବିପକ୍ଷରେ ମ୍ୟାଚ୍‌ ବିଜୟୀ ପାଳି ଖେଳିଥିବା କୋଲ୍‌କାତା ନାଇଟ୍ ରାଇଡର୍ସର ରାହୁଲ ତ୍ରିପାଠୀଙ୍କ ନିକଟକୁ ଏବେ ପ୍ରଶଂସାର ସୁଅ ଛୁଟିଛି। କିନ୍ତୁ ବୁଧବାର ରାତିରେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଗ୍ରହଣ ବେଳେ କେକେଆର୍‌ ମାଲିକ ସାହରୁଖ୍‌ ଖାନ୍‌ଙ୍କ ଚିତ୍କାର ଅଧିକ ଚର୍ଚ୍ଚାକୁ ଆସିଛି। ପୁରସ୍କାର ଗ୍ରହଣ ପାଇଁ ରାହୁଲ ଯିବା ବେଳେ ଦର୍ଶକ ଗ୍ୟାଲେରିରୁ କିଙ୍ଗ୍ ଖାନ୍ ବଡ଼ ପାଟିରେ କହିଥିଲେ ‘ରାହୁଲ, ‌ନାମ ତୋ ସୁନା ହୋଗା..କାମ ଉସେ ବି ଆଚ୍ଛା ହୈ’। ଏହା ଶୁଣି ଭାଷ୍ୟକାର ହର୍ଷ ଭୋଗଲେ ଏବଂ ରାହୁଲ ମଧ୍ୟ ହସି ଉଠିଥିଲେ। ସୂଚନାଯୋଗ୍ୟ, ସାହରୁଖ୍‌ ଖାନ୍‌ ନିଜ ଚଳଚ୍ଚିତ୍ର ଜୀବନରେ ଅନେକ ଥର ରାହୁଲ ନାମରେ ଅଭିନୟ କରିଛନ୍ତି। ୧୯୯୭ ମସିହାରେ ପ୍ରଥମ ଥର ‘ଦିଲ୍ ତୋ ପାଗଲ ‌ହୈ’ରେ ସାହରୁଖ୍‌ ମଧ୍ୟ ରାହୁଲ ନାମରେ ଅଭିନୟ କରିଥିଲେ। ସାହରୁଖ ମଧ୍ୟ ଏହା ପରେ ଟ୍ବିଟ୍‌ କରି କେକେଆର୍‌ ବୋଲର ଏବଂ ରାହୁଲଙ୍କ ପ୍ରଶଂସା କରିଥିଲେ। କିଛି ସମୟ ପରେ କେକେଆର୍‌ ମଧ୍ୟ ଏକ ଭିଡିଓ ଟ୍ବିଟ୍‌ କରିଥିଲା ଯେଉଁଥିରେ ଡ୍ରେସିଂ ରୁମ୍‌ରେ ରାହୁଲ ତ୍ରିପାଠୀ ମଧ୍ୟ ସାହରୁଖଙ୍କ ଫିଲ୍ମ ଢଙ୍ଗରେ ଦୁଇ ହାତ ଖୋଲି ପୁରସ୍କାରକୁ ଧରି ଦେଖାଇଥିଲେ। ଏକଦା ରାହୁଲଙ୍କୁ ସାହରୁଖଙ୍କ ବଡ଼ ପ୍ରଶଂସକ ବୋଲି ଦର୍ଶାଇ ତାଙ୍କ ସହ ପରିଚିତ କରାଇଥିବା କେକେଆର୍‌ ଅଧିନାୟକ ଦୀନେଶ କାର୍ତିକ ମନେ ପକାଇଥିଲେ। ସୂଚନାଯୋଗ୍ୟ, ରାହୁଲ ବୁଧବାର ଚେନ୍ନାଇ ବିପକ୍ଷରେ ୫୧ ବଲ୍‌ରୁ ୮୧ ରନ୍ କରିଥିଲେ। ଏହା ମଧ୍ୟରେ ୮ ଚୌକା ଓ ୩ ଛକା ସାମିଲ ଥିଲା। ପୂର୍ବ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ନିମ୍ନକ୍ରମରେ ଖେଳି ୩୬ ରନ୍ କରିବା ପରେ ବୁଧବାର ସୁନିଲ ନରିନଙ୍କ ବଦଳରେ ପାଳି ଆରମ୍ଭ କରି କାର୍ତିକଙ୍କ ଏଭଳି ପରିବର୍ତନକୁ ଯଥାର୍ଥ ସାବ୍ୟସ୍ତ କରିଥିଲେ।

ସମ୍ବନ୍ଧିତ ଖବର