ଦୁବାଇ: ଚଳିତ ଆଇପିଏଲ୍ର ଷଷ୍ଠ ମ୍ୟାଚ୍ରେ ଗୁରୁବାର କେଏଲ୍ ରାହୁଲଙ୍କ କିଙ୍ଗ୍ସ ଏକାଦଶ ପଞ୍ଜାବ ୯୭ ରନ୍ର ବୃହତ୍ ବ୍ୟବଧାନରେ ବିରାଟ କୋହଲିଙ୍କ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)କୁ ପରାସ୍ତ କରିଛି। ପଞ୍ଜାବ ୨୦୭ ରନ୍ର ବଡ଼ ବିଜୟ ଲକ୍ଷ୍ୟ ଦେବା ପରେ ତାରକା ଖଚିତ ବାଙ୍ଗାଲୋର ମାତ୍ର ୧୦୯ ରନ୍ରେ ଅଲଆଉଟ୍ ହୋଇ ଶୋଚନୀୟ ପରାଜୟ ବରଣ କରିଛି। ବାଙ୍ଗାଲୋରର ପଶ୍ଚାତଧାବନ ତୃତୀୟ ଓଭର ସୁଦ୍ଧା ହିଁ ଦିଗ ହରାଇ ବସିଥିଲା। ଅଧିନାୟକ କୋହଲିଙ୍କ ସମେତ ମାତ୍ର ୪ ରନ୍ରେ ୩ ୱିକେଟ୍ ହରାଇ ବେଙ୍ଗାଲୁରୁ ଏହି ଏକତରଫା ତଥା ଦୁଃଖଦ ପରାଜୟର ମୂଳଦୁଆ ରଖିଥିଲା।
ପ୍ରଥମ ମ୍ୟାଚ୍ରେ ୧୪ ରନ୍ କରିଥିବା କୋହଲି ଆଜି ମାତ୍ର ୧ ରନ୍ କରିବାକୁ ସକ୍ଷମ ହୋଇଥିଲେ। ସେ ମଧ୍ୟ ଦୁଇଟି କ୍ୟାଚ୍ ହାତଛଡ଼ା କରିଥିଲେ। ସେହିଭଳି ଦେବଦତ୍ତ ପଡିକଲ ୧ ଓ ଜୋସ୍ ଫିଲିପ ଖାତା ଖୋଲି ପାରି ନଥିଲେ। ଆରୋନ ଫିଞ୍ଚ (୨୦) ଓ ଏବି ଡି’ଭିଲିୟର୍ସ (୨୮) ବି ବଡ଼ ସ୍କୋର କରି ପାରି ନଥିଲେ। ଉଭୟ ବଲ୍ ଓ ବ୍ୟାଟ୍ରେ ବିଫଳ ହୋଇ ବେଙ୍ଗାଲୁରୁ ଦ୍ବିତୀୟ ମ୍ୟାଚ୍ରୁ ପ୍ରଥମ ପରାଜୟ ବରଣ କରିଥିଲା। ପଞ୍ଜାବର ମଧ୍ୟ ଏହା ଦ୍ବିତୀୟ ମ୍ୟାଚ୍ରୁ ପ୍ରଥମ ବିଜୟ ଥିଲା। ବିସ୍ଫୋରକ ତଥା କୀର୍ତ୍ତିମାନଭରା ଶତକ ପାଇଁ ରାହୁଲ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ପଞ୍ଜାବ ବୋର୍ଡରେ ପ୍ରଥମ ଶତକ
ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା କିଙ୍ଗ୍ସ ଏକାଦଶ ପଞ୍ଜାବ ପାଇଁ ଦୁଇ ପ୍ରାରମ୍ଭିକ ତାରକା, ଅଧିନାୟକ କେଏଲ୍ ରାହୁଲ (୧୩୨* ରନ୍, ୬୯ ବଲ୍, ୧୪ ଚୌକା, ୭ ଛକା) ଓ ମୟଙ୍କ ଅଗ୍ରୱାଲ ୫୭ ରନ୍ର ଭାଗୀଦାରି କରିଥିଲେ। ମୟଙ୍କ (୨୬) ଙ୍କୁ ସ୍ପିନର ୟୁଜବେନ୍ଦ୍ର ଚହଲ ବୋଲ୍ଡ କରିଥିଲେ। ରାହୁଲ କିନ୍ତୁ ତାଙ୍କ ରାଜୁତି ଜାରି ରଖିଥିଲେ। ବିସ୍ଫୋରକ ଶତକୀୟ ପାଳି ଖେଳି ପଞ୍ଜାବ ସ୍କୋରକୁ ୨୦୬/୩ରେ ପହଞ୍ଚାଇ ଦେଇଥିଲେ। ପ୍ରତିପକ୍ଷ ଅଧିନାୟକ ବିରାଟ କୋହଲି ତାଙ୍କର ଦୁଇଟି କ୍ୟାଚ୍ ହାତଛଡ଼ା କରିବା ପରେ ଛକା ଓ ଚୌକା ମାରି ଷ୍ଟାଇଲ୍ରେ ସେ ନିଜ ତୃତୀୟ ଶତକ ପୂରଣ କରିଥିଲେ। ଏହା ମଧ୍ୟ ଚଳିତ ଆଇପିଏଲ୍ର ପ୍ରଥମ ଶତକ ଥିଲା। ଶେଷ ଆଡ଼କୁ ଅତ୍ୟନ୍ତ ଧମାକାଦାର ବ୍ୟାଟିଂ କରିଥିଲେ ସେ। ୬୦ ବଲ୍ରୁ ୯୦ ରନ୍ କରିଥିବା ରାହୁଲ ପରବର୍ତ୍ତୀ ୯ ବଲ୍ରେ ୪୨ ରନ୍ ଯୋଡ଼ିଥିଲେ। ଫଳରେ ଶେଷ ୪ ଓଭରରୁ ୭୪ ରନ୍ ସଂଗ୍ରହ କରି ନେଇଥିଲା କିଙ୍ଗ୍ସ ଏକାଦଶ ପଞ୍ଜାବ। ନିଜ ଚିତ୍ତାକର୍ଷକ ପାଳି ଭିତରେ ଆଇପିଏଲ୍ରେ ୨,୦୦୦ ରନ୍ ପୂରଣରେ ଦ୍ରୁତତମ ଭାରତୀୟ, ଭାରତୀୟ ଭାବେ ସର୍ବୋଚ୍ଚ ରନ୍, ଅଧିନାୟକ ଭାବେ ସର୍ବୋଚ୍ଚ ରନ୍ ଭଳି କୀର୍ତ୍ତିମାନ ବି ରାହୁଲ କରି ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିକୋଲାସ ପୂରନ ୧୭, ଗ୍ଲେନ୍ ମ୍ୟାକ୍ସୱେଲ୍ ୫ ଓ କରୁଣ ନାୟର ଦ୍ରୁତ ୧୫* ରନ୍ କରିଥିଲେ।