ଆଇଟା-ଓଟିଏ ଟ୍ୟାଲେଣ୍ଟ୍‌ ସିରିଜ୍‌: ରାହୁଲ-ସଂଗ୍ରାମ ବିଜେତା

ଭୁବନେଶ୍ୱର: ଟେନିସ ଆସୋସିଏସନ୍‌ ଅଫ୍‌ ଭୁବନେଶ୍ୱର ଏବଂ ଓଡ଼ିଶା ଟେନିସ୍‌ ଆସୋସିଏସନ୍‌ ପକ୍ଷରୁ କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଆଇଟା ଟ୍ୟାଲେଣ୍ଟ୍‌ ସିରିଜ୍‌ (ଟିଏସ୍‌)ରେ ଓଡ଼ିଶା ଯୋଡ଼ି ରାହୁଲ ବେହେରା ଏବଂ ସଂଗ୍ରାମ କୁମାର ପାତ୍ର ବିଜେତା ହୋଇଛନ୍ତି। ୧୬ ବର୍ଷରୁ କମ୍‌ ବାଳକ ବର୍ଗ ଫାଇନାଲ୍‌ରେ ରାହୁଲ-ସଂଗ୍ରାମ ଯୋଡ଼ି ଶୀର୍ଷ ମାନ୍ୟତାପ୍ରାପ୍ତ ନିଜ ରାଜ୍ୟ ଯୋଡ଼ି ବିଘ୍ନେଶ ନନ୍ଦ ଏବଂ ଡି ଆର୍ଯ୍ୟନ ସ୍ୱାମୀଙ୍କୁ ୭-୫, ୩-୬, ୧୦-୭ରେ ହରାଇ ଦେଇଥିଲେ। ସେହିଭଳି ୧୬ ବର୍ଷରୁ କମ୍‌ ବାଳିକା ବର୍ଗରେ ମଧ୍ୟ ଓଡ଼ିଆ ଝିଅ ସିମ୍ରନ୍‌ ନେହା ଏକ୍କା ବିଜେତା ହୋଇଛନ୍ତି। ପଶ୍ଚିମବଙ୍ଗର ସାନ୍ୟା ଯାଦବଙ୍କୁ ସାଥୀ କରି ଶୀର୍ଷମାନ୍ୟତା ଭାବେ ଖେଳିଥିବା ଏହି ଯୋଡ଼ି ପଶ୍ଚିମବଙ୍ଗର ଓଣ୍ଡ୍ରିଲା ସେନ୍‌-ତରୁ ସାଇ ଯୋଶୀଙ୍କୁ ୬-୧, ୬-୨ରେ ହରାଇ ଦେଇଥିଲେ। ସିମ୍ରନ ୧୬ ବର୍ଷରୁ କମ୍‌ ଏକକ ଫାଇନାଲ୍‌କୁ ଉଠିଥିବାରୁ ଦ୍ୱିମୁକୁଟ ଅର୍ଜନ କରିବା ସୁଯୋଗ ପାଇଛନ୍ତି। ଅନ୍ୟପକ୍ଷରେ ୧୨ ବର୍ଷରୁ କମ୍‌ ଏକକରେ ଅଣମାନ୍ୟତା ଲଳିତ ଟୁଡୁ ଆଉ ଏକ ବିପର୍ଯ୍ୟୟ ସୃଷ୍ଟି କରି ଫାଇନାଲ୍‌ରେ ପହଞ୍ଚିଛନ୍ତି। ସେମିଫାଇନାଲ୍‌ରେ ସେ ଶୀର୍ଷମାନ୍ୟତାପ୍ରାପ୍ତ ପଶ୍ଚିମବଙ୍ଗ ଖେଳାଳି ବିବ୍ରର୍ଶୀ ବିଶ୍ୱାସଙ୍କୁ ୬-୨, ୬-୪ରେ ହରାଇ ଦେଇଥିଲେ। ଫାଇନାଲ୍‌ରେ ସେ ଅନ୍ୟତମ ପଶ୍ଚିମବଙ୍ଗ ଖେଳାଳି ଇଥାନ୍‌ ଥାଇ ଏସ୍‌ ଲି’ଙ୍କୁ ଭେଟିବେ। ୧୬ ବର୍ଷରୁ କମ୍‌ ବାଳକ ଏକକ ଫାଇନାଲ୍‌ କିନ୍ତୁ ଦୁଇ ଓଡ଼ିଆ ଖେଳାଳି ଆଶିଷ କୁମାର ପରିଡ଼ା ଓ ଡି ଆର୍ଯ୍ୟନ ସ୍ୱାମୀଙ୍କ ମଧ୍ୟରେ ଖେଳାଯିବ। ସେମିଫାଇନାଲ୍‌ରେ ଗୁରୁବାର ଆଶିଷ ଶୀର୍ଷ ମାନ୍ୟତାପ୍ରାପ୍ତ ବେଙ୍ଗଲ ଖେଳାଳି ମହମ୍ମଦ ଅରିବ୍‌ ଅଫଜଲଙ୍କୁ ୬-୨, ୬-୨ରେ ଏବଂ ଆର୍ଯ୍ୟନ୍‌ ସେହି ବେଙ୍ଗଲ ଖେଳାଳି ରୋନକ ଘୋଷଙ୍କୁ ୬-୪, ୬-୪ରେ ହରାଇ ଦେଇଥିଲେ।

ଜିଦାନ୍‌ଙ୍କ ମୁଣ୍ଡଭୁସା, ଆଜୁରୀଙ୍କ ବିଜୟ

୨୦୦୬ରେ ଫିଫା ବିଶ୍ୱକପ୍‌ ଆୟୋଜକ ହୋଇଥିଲା ଜର୍ମାନି। ବର୍ଲିନ୍‌ ଫାଇନାଲରେ ଜିନେଦିନ୍‌ ଜିଦାନ୍‌ଙ୍କ ମୁଣ୍ଡଭୁସା ଫୁଟ୍‌ବଲ ପ୍ରେମୀଙ୍କୁ ବେଶ୍‌ ମନୋରଂଜନ ଯୋଗାଇଥିଲା ମାତ୍ର ଇଟାଲିର ଚତୁର୍ଥ ବିଶ୍ୱ ବିଜୟ ଉତ୍ସବ ଫିକା ପଡ଼ି ନ ଥିଲା। ଘରୋଇ ଫୁଟ୍‌ବଲ୍‌ରେ ମ୍ୟାଚ୍‌ ଫିକ୍ସିଂ ଅଭିଯୋଗରେ ଜର୍ଜରିତ ହୋଇ ଆସିଥିବା ଇଟାଲି ଖେଳାଳିମାନେ ଦଳଗତ ଖେଳ ଦେଖାଇ ଅପ୍ରତିଦ୍ଵନ୍ଦ୍ୱୀ ସାବ୍ୟସ୍ତ ହୋଇଥିଲେ। ଅଲିମ୍ପିକ୍‌ ଷ୍ଟାଡିୟମରେ ଅନୁଷ୍ଠିତ ଫ୍ରାନ୍‌ସ ବିପକ୍ଷ ଫାଇନାଲକୁ ପେନାଲ୍‌ଟିରେ (୫-୩ ଗୋଲ୍‌) ଜିତିଥିଲେ ଆଜୁରୀ ଦଳ। ଅତିରିକ୍ତ ସମୟ ଖେଳ ପରେ ମ୍ୟାଚ୍‌ ୧-୧ ଗୋଲ୍‌ରେ ଶେଷ ହେବାରୁ ପେନାଲ୍‌ଟି ନିର୍ଣ୍ଣାୟକ ହୋଇଥିଲା। ୧୯୯୮ ମସିହା ପରେ ଦ୍ଵିତୀୟ ଥର ପାଇଁ ଫାଇନାଲ୍‌ରେ ଜିଦାନ୍‌ ଯୁଗଳ ଗୋଲ ସ୍କୋର କରିଥିଲେ ମଧ୍ୟ ଏହାର ଶେଷ ସ୍ମୃତି ସୁଖଦ ରହି ନ ଥିଲା। ଇଟାଲିର ମାର୍କୋ ମାଟେରାଜିଙ୍କ ଛାତିକୁ ମୁଣ୍ଡଭୁସା ମାରି ଧରାଶାୟୀ କରି ଜିଦାନ୍‌ ଲାଲ୍‌ କାର୍ଡ ପାଇବା ପରେ ଏହି ଘଟଣା ବିବାଦର କେନ୍ଦ୍ରରେ ରହିଥିଲା। ଶେଷ ୧୦ ମିନିଟ୍‌ ସେ ଖେଳିପାରିନଥିଲେ। ତେବେ ମାର୍ସେଲୋ ଲିପିଙ୍କ ୨୩ ଜଣିଆ ଦଳରୁ ୨୧ ଜଣ ଖେଳିବା ଏବଂ ୧୦ ଜଣ ଗୋଲ ସ୍କୋର କରିବା ଦଳଗତ ଖେଳର କଥା କହିଥିଲା। ଆଜୁରୀ ଗୋଲରକ୍ଷକ ଗିଆନଲୁଜି ବଫନ୍‌ ଏବଂ ଅଧିନାୟକ ଫାବିଓ କାନାଭାରୋଙ୍କୁ ନେଇ ଦଳର ରକ୍ଷଣ ଏତେ ଦୃଢ଼ ଥିଲା ଯେ କୌଣସି ବିଶ୍ୱକପ୍‌ରେ ଏହା ଦେଖିବାକୁ ମିଳି ନ ଥିଲା। ଦଳ ବରଣ କରିଥିବା ଦୁଇଟି ମାତ୍ର ଗୋଲରୁ ଗୋଟିଏ ଆତ୍ମଘାତୀ ଓ ଅନ୍ୟଟି ପେନାଲ୍‌ଟି ଥିଲା। ଜର୍ମାନି ତୃତୀୟ ଏବଂ ପର୍ତୁଗାଲ ଚତୁର୍ଥ ହୋଇଥିଲେ।

ଏହି ସଂସ୍କରଣ ଏଭଳି ଥିଲା ଯେ ପୂର୍ବ ବିଜେତାକୁ ଯୋଗ୍ୟତା ପର୍ଯ୍ୟାୟ ଦେଇ ଆସିବାକୁ ପଡ଼ିଥିଲା। ୪ ଆଫ୍ରିକୀୟ ଦେଶ ଟୋଗୋ, ଆଇଭରି କୋଷ୍ଟ୍‍, ଆଙ୍ଗୋଲା ଏବଂ ଘାନା ବିଶ୍ୱକପ୍‌ ପଦାର୍ପଣ କରିଥିଲେ। ଘାନା କିନ୍ତୁ ବିଶ୍ୱର ତତ୍‌କାଳୀନ ୩ ନମ୍ବର ଦଳ ଚେକୋସ୍ଲୋଭାକିଆକୁ ୨-୧ରେ ଏବଂ ଆମେରିକାକୁ ୨-୦ରେ ହରାଇ ପ୍ରି-କ୍ୱାର୍ଟରଫାଇନାଲ୍‌ ପହଞ୍ଚିବା ଉଲ୍ଲେଖନୀୟ ଥିଲା। ବ୍ରାଜିଲ୍‌ ନିକଟରୁ ୦-୩ରେ ହାରିଥିଲା। ଆୟୋଜକ ଜର୍ମାନି କାଂସ୍ୟରେ ସନ୍ତୁଷ୍ଟ ହୋଇଥିଲା ପର୍ତୁଗାଲକୁ ହରାଇ। ଜର୍ମାନିର ମିରୋସ୍ଲାଭ କ୍ଲୋଜା ୫ ଗୋଲ୍‌ ସହ ସ୍ୱର୍ଣ୍ଣ ଜୋତା, ଜିନେଦିନ୍‌ ଜିଦାନ୍‌ ଶ୍ରେଷ୍ଠ ଖେଳାଳି ଭାବେ ସ୍ୱର୍ଣ୍ଣ ବଲ୍‌, ଲୁକାସ୍‌ ପୋଡସ୍କି ଶ୍ରେଷ୍ଠ ଯୁବ ଖେଳାଳି ଏବଂ ଜିଆଲୁଗି ବଫନ୍‌ ଶ୍ରେଷ୍ଠ ଗୋଲରକ୍ଷକ ପୁରସ୍କାର ପାଇଥିଲେ। ୬୪ ମ୍ୟାଚ୍‌ରୁ ଏହି ବିଶ୍ୱକପ୍‌ରେ ୨.୩ ହାରରେ ମୋଟ ୧୪୭ ଗୋଲ୍‌ ସ୍କୋର୍‌ ହୋଇଥିଲା।

ରିୟଲ୍‌ ମାଦ୍ରିଦ୍‌ ପଦ ଛାଡ଼ିଲେ ଜିଦାନ୍‌
ମାଦ୍ରିଦ୍‌: ଗତ ସପ୍ତାହରେ ଅପ୍ରତ୍ୟାଶିତ ତୃତୀୟ ଥର ଚାମ୍ପିଅନ୍ସ ଲିଗ୍‌ ବିଜେତା ହୋଇଥିବା ରିୟଲ୍‌ ମାଦ୍ରିଦ୍‌ର ପ୍ରଶିକ୍ଷକ ଜିନେଦିନ୍‌ ଜିଦାନ ଗୁରୁବାର ନିଜ ପଦରୁ ଓହରିଯାଇଛନ୍ତି। ‘ମୁଁ ଭାବୁଛି ମୋ ପାଇଁ, ଦଳ ପାଇଁ ଏବଂ କ୍ଲବ୍‌ ପାଇଁ ଏହା ପଦ ତ୍ୟାଗ କରିବାର ପ୍ରକୃଷ୍ଠ ସମୟ। ଏଭଳି କରିବା ମୋ ପାଇଁ ଆଶ୍ଚର୍ଯ୍ୟଜନକ ମୁହୂର୍ତ କିନ୍ତୁ ଗୁରୁତ୍ୱପୂର୍ଣ୍ଣ’ ବୋଲି କହିଛନ୍ତି ଜିିଦାନ୍‌। ଦଳ ଏବେ ବିଜୟ ଜାରି ରଖିବା ଆବଶ୍ୟକ ଏବଂ ପରିବର୍ତନ ବି ଜରୁରି। ୩ ବର୍ଷ ପରେ ଦଳକୁ ଏବେ ଆଉ ଏକ ସ୍ୱର, ଆଉ ଏକ ପଦ୍ଧତିର ଆବଶ୍ୟକତା ରହିଛି। ଏହି କାରଣରୁ ମୁଁ ଇସ୍ତଫା ଦେଉଛି ବୋଲି ଜିଦାନ୍‌ କହିଛନ୍ତି। ପ୍ରଥମ ପ୍ରଶିକ୍ଷକ ଭାବେ ଗତ ଶନିବାର ତୃତୀୟ ଥର ଜିଦାନ୍‌ ୟୁରୋପିଆନ୍‌ କପ୍‌ ଜିତିଥିଲେ। ମୁଁ କ୍ଲବ୍‌କୁ ଭଲ ପାଏ ଏବଂ ସଭାପତି ଯିଏ ମୋତେ ସବୁକିଛି ଦେଇଛନ୍ତି ତାଙ୍କ ନିକଟରେ ମୁଁ ସର୍ବଦା କୃତଜ୍ଞ। ସୂଚନାଯୋଗ୍ୟ, ୨୦୧୬ ଜାନୁଆରିରେ ରାଫେଲ୍‌ ବେନିତେଜ୍‌ଙ୍କ ବହିଷ୍କାରକୁ ନେଇ ରିୟଲ୍‌ ମାଦ୍ରିଦ୍‌ ଶିବିର ଦୁଇ ଭାଗ ହୋଇଯାଇଥିଲା। ବେନିତେଜଙ୍କ ହ୍ୟାଟ୍ରିକ୍‌ ବଳରେ ରିୟଲ୍‌ ମାଦ୍ରିଦ୍‌ ସ୍ଥାନୀୟ ଦଳ ଆଟଲେଟିକୋ ମାଦ୍ରିଦ୍‌କୁ ହରାଇ ୟୁରୋପୀୟ ବିଜେତା ହୋଇଥିଲା। ଏହା ପରେ ତାଙ୍କ ପ୍ରଦର୍ଶନ ଆଧାରରେ ୟୁରୋପୀୟ କପ୍‌ ଏବଂ ଲା ଲିଗ୍‌ା ମୁକୁଟ ସହ ଯୁଗଳ ସଫଳତା ଅର୍ଜନ କରି ୫୯ ବର୍ଷ ତଳର ସଫଳତାକୁ ଦୋହରାଇଥିଲା। ୪୫ ବର୍ଷୀୟ ଜିଦାନ୍‌ ନିଜ ରିୟଲ୍‌ ମାଦ୍ରିଦ୍‌ ପ୍ରଶିକ୍ଷକ ଜୀବନରେ ୯ଟି ପ୍ରମୁଖ ସମ୍ମାନ ଅର୍ଜନ କରିଥିଲେ।

ସମ୍ବନ୍ଧିତ ଖବର