ମାଞ୍ଚେଷ୍ଟର୍: ଦୁଇ ବର୍ଷ ପରେ ବେନ୍ ଷ୍ଟୋକ୍ସଙ୍କ ବ୍ୟାଟ୍ରୁ ଆସିଥିବା ଶତକ ଭାରତର ସବୁ ଆଶାରେ ପାଣି ଭରି ଦେଇଛି। ଭ୍ରମଣକାରୀ ଭାରତୀୟ ଦଳ ଏବେ କେବଳ ଡ୍ର’ ପାଇଁ ଖେଳିବାର ବିକଳ୍ପ ପାଇଛି। ଷ୍ଟୋକ୍ସଙ୍କ ୧୪୧ ରନ୍ ପାଳି ସହ ଇଂଲଣ୍ଡ ଓଲ୍ଡ ଟ୍ରାଫୋର୍ଡରେ ସର୍ବୋଚ୍ଚ ଦଳଗତ ସ୍କୋର ୬୬୯ କରିଛି। ଘରୋଇ ଦଳ ମଧ୍ୟ ପ୍ରଥମ ପାଳିରେ ୩୧୧ ରନ୍ର ବଡ଼ ଅଗ୍ରଣୀ ନେଇ ସୁବିଧାଜନକ ସ୍ଥିତିରେ ରହିଛି। ଭାରତର ଦ୍ବିତୀୟ ପାଳି ପ୍ରଥମ ଓଭରରେ ଯଶସ୍ବୀ ଜୟସ୍ବାଲ ଓ ସାଇ ସୁଦର୍ଶନ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଯାଇଥିଲେ। ଏଭଳି ସମୟରେ ଏକାଠି ହୋଇଥିବା ଅଧିନାୟକ ଶୁବମନ ଗିଲ ଓ କେଏଲ୍ ରାହୁଲ ଏକ ଦୃଢ଼ (୧୭୪*) ଭାଗୀଦାରି ଗଢ଼ିଛନ୍ତି। ମଧ୍ୟାହ୍ନ ଭୋଜନ ବିରତି ପରବର୍ତ୍ତୀ ଦୁଇ ଅଧିବେଶନରେ ୱିକେଟ୍ ନହରାଇ ଉଭୟ ୬୨.୧ ଓଭର୍ ଖେଳି ଆଶା ସଞ୍ଚାର କରିଛନ୍ତି। ୪ର୍ଥ ଦିନ ଷ୍ଟମ୍ପ୍ସ ସୁଦ୍ଧା ଭାରତ ୨ ୱିକେଟ୍ରେ ୧୭୪ ରନ୍ କରିଛି।
ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି: ୩୫୮ (ସୁଦର୍ଶନ-୬୧, ଜୟସ୍ବାଲ-୫୮, ପନ୍ତ୍-୫୪, ଷ୍ଟୋକ୍ସ-୫/୭୨, ଆର୍ଚର-୩/୭୩)। ଇଂଲଣ୍ଡ ପ୍ରଥମ ପାଳି: ୧୫୭.୧ ଓଭରରେ ୬୬୯ (ଜୋ ରୁଟ୍-୧୫୦, ବେନ୍ ଷ୍ଟୋକ୍ସ-୧୪୧, ଜାଡ଼େଜା-୪/୧୪୩, ସୁନ୍ଦର-୨/୧୦୭, ବୁମ୍ରା-୨/୧୧୨, କମ୍ବୋଜ-୧/୮୯, ସିରାଜ-୧/୧୪୦)। ଭାରତ ଦ୍ବିତୀୟ ପାଳି: ୬୩ ଓଭରରେ ୧୭୪/୨ (କେଏଲ୍ ରାହୁଲ-୮୭*, ଶୁବମନ ଗିଲ୍-୭୮*, କ୍ରିସ୍ ୱକ୍ସ-୨/୪୮)।
ମାଞ୍ଚେଷ୍ଟର୍ରେ ସର୍ବୋଚ୍ଚ ସ୍କୋର୍
ରୁଟ୍ ଓ ଷ୍ଟୋକ୍ସଙ୍କ ଶତକୀୟ ପାଳି ବଳରେ ଇଂଲଣ୍ଡ ମାଞ୍ଚେଷ୍ଟର୍ ଟେଷ୍ଟ୍ରେ ୬୬୯ ରନ୍ କରିବା ସହ ଏହି ଗ୍ରାଉଣ୍ଡ୍ ସର୍ବୋଚ୍ଚ ସ୍କୋର୍ ରେକର୍ଡ କରିଛି। ଫଳରେ ୬୧ ବର୍ଷ ତଳର ରେକର୍ଡ ପଛରେ ପଡ଼ିଯାଇଛି। ୧୯୬୪ରେ ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ଏଠାରେ ୬୫୬/୮ ସ୍କୋର୍ କରିଥିଲା। ଇଂଲଣ୍ଡ କିନ୍ତୁ ଏଠାରେ ୯୧ ବର୍ଷ ତଳର ରେକର୍ଡକୁ ପଛରେ ପକାଇଛି। ମାଞ୍ଚେଷ୍ଟର୍ଠାରେ ଇଂଲଣ୍ଡର ସର୍ବୋଚ୍ଚ ସ୍କୋର୍ ଥିଲା ୬୨୭/୯ ବନାମ ଅଷ୍ଟ୍ରେଲିଆ, ୧୯୩୪। ଟେଷ୍ଟ୍ କ୍ରିକେଟ୍ ଇତିହାସରେ କିନ୍ତୁ ଏହା (୬୬୯) ପଞ୍ଚମ ବୃହତ ସ୍କୋର୍। ଇଂଲଣ୍ଡରେ ମଧ୍ୟ ଭାରତ ବିପକ୍ଷରେ ୨୦୧୧ ପରେ ଇଂଲଣ୍ଡର ସର୍ବୋଚ୍ଚ। ସେହି ବର୍ଷ ଏଜ୍ବାଷ୍ଟନ୍ରେ ଭାରତ ବିପକ୍ଷରେ ଇଂଲଣ୍ଡ ସ୍କୋର୍ କରିଥିଲା ୭୧୦/୭। ମୋଟ ଉପରେ କିନ୍ତୁ ଭାରତ ଅଷ୍ଟମ ଥର ପାଇଁ ୬୦୦ରୁ ଊର୍ଧ୍ବ ରନ୍ ବରଣ କରିଛି। ଶେଷ ଥର ପାଇଁ ୧୦ ବର୍ଷ ତଳେ ୨୦୧୪ରେ ୱେଲିଂଟନ୍ରେ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡ୍ ୬୮୦/୮ ସ୍କୋର୍ କରିଥିଲା।
ବିରଳ ଅଲ୍ରାଉଣ୍ଡର୍ କ୍ଲବ୍ରେ ବେନ୍ ଷ୍ଟୋକ୍ସ
ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ ଏବେ ବିରଳ ଟେଷ୍ଟ୍ ଅଲ୍ରାଉଣ୍ଡର୍ କ୍ଲବ୍ରେ ସାମିଲ ହୋଇଛନ୍ତି। ଟେଷ୍ଟ୍ କ୍ରିକେଟ୍ର ୧୪୮ ବର୍ଷ ଇତିହାସରେ ଷ୍ଟୋକ୍ସ ତୃତୀୟ ଖେଳାଳି ଭାବେ ୭୦୦୦+ ରନ୍ ଓ ୨୦୦+ ୱିକେଟ୍ କ୍ଲବ୍ର ସଦସ୍ୟ ହୋଇଛନ୍ତି। ପୂର୍ବ ଦୁଇ ଜଣ ହେଉଛନ୍ତି ୱେଷ୍ଟଇଣ୍ଡିଜ୍ ମହାନ ଗ୍ୟାରି ସୋବର୍ସ ଏବଂ ଦକ୍ଷିଣ ଆଫ୍ରିକାର କିଂବଦନ୍ତି ଜ୍ୟାକ୍ କାଲିସ୍। ଜ୍ୟାକ୍ କାଲିସ୍ ୧୩,୨୮୯ ରନ୍ ଓ ୨୯୨ ୱିକେଟ୍ ନେଇଥିବା ବେଳେ ଗ୍ୟାରି ସୋବର୍ସ ୮,୦୩୨ ରନ୍ ଓ ୨୩୫ ୱିକେଟ୍ ଅକ୍ତିଆର କରିଛନ୍ତି। ନିଜର ୧୧୫ତମ ଟେଷ୍ଟ୍ ଖେଳୁଥିବା ଷ୍ଟୋକ୍ସ ଶନିବାରର ଶତକୀୟ ପାଳି (୧୪୧) ପରେ ୭,୦୩୨ ରନ୍ ଓ ୨୨୯ ୱିକେଟ୍ ଅକ୍ତିଆର କରିଛନ୍ତି। ପୂର୍ବଦିନ ଷ୍ଟୋକ୍ସ ଅନ୍ତର୍ଜାତୀୟ କ୍ରିକେଟ୍ରେ ୧୧,୦୦୦ ରନ୍ ଅତିକ୍ରମ କରିଥିଲେ। ଗୋଟିଏ ଟେଷ୍ଟ୍ରେ ଶତକ ଓ ୫ ୱିକେଟ୍ ନେବାରେ ମଧ୍ୟ ଷ୍ଟୋକ୍ସ ଇଂଲଣ୍ଡର ତୃତୀୟ ଖେଳାଳି ହୋଇଛନ୍ତି। ପୂର୍ବରୁ ଇଆନ୍ ବୋଥାମ ୫ ଥର ଏଭଳି ସଫଳତା ପାଇଥିବା ବେଳେ ଶେଷ ଥର ପାଇଁ ଗତବର୍ଷ ଗସ ଆଟ୍କିସନ୍ (୧୧୮ ଓ ୫/୬୨ ବନାମ ଶ୍ରୀଲଙ୍କା, ଲର୍ଡସ) ଏଭଳି ସଫଳତା ପାଇଥିଲେ। ଷ୍ଟୋକ୍ସ ଭାରତର ପ୍ରଥମ ପାଳିରେ ୫/୭୨ ସଫଳତା ପାଇଥିବା ବେଳେ ଶନିବାର ନିଜ ୧୪ତମ ଟେଷ୍ଟ୍ ଶତକ ହାସଲ କରିଥିଲେ। କିନ୍ତୁ ଅଧିନାୟକ ଭାବେ ଶତକ ଓ ୫ ୱିକେଟ୍ ଦଖଲର ଯୁଗଳ ସଫଳତା ଅର୍ଜନରେ ଷ୍ଟୋକ୍ସ ବିଶ୍ବର ପଞ୍ଚମ ପୁରୁଷ କ୍ରିକେଟର୍ ହୋଇଛନ୍ତି। ୧୯୮୩ରେ ଫୈସଲାବାଦରେ ଇମ୍ରାନ୍ ଖାନ୍ଙ୍କ ଯୁଗଳ ସଫଳତା ପରେ ଏହା ଭାରତ ବିପକ୍ଷରେ ପ୍ରଥମ।