ରାହୁଲଙ୍କୁ ଖରାପ ବୋଲିଂର ପରିଣାମ ଭୋଗିଲା ଆର୍‌ସିବି: ପିଟରସନ୍‌

ନୂଆଦିଲ୍ଲୀ : ଗୁରୁବାର ଦୁବାଇରେ କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ବୋଲିଂ ଆକ୍ରମଣକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସୋମବାର ବୋଲରମାନେ ଚମତ୍କାର ପ୍ରଦର୍ଶନ ଜରିଆରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ୧୬୪ ରନ୍‌ର ଲକ୍ଷ୍ୟକୁ ବଞ୍ଚାଇ ଦେଇଥିଲା ବେଳେ ଗୁରୁବାର ଅତ୍ୟନ୍ତ ନିମ୍ନମାନର ବୋଲିଂ କରିଥିଲେ। ବିଶେଷକରି କେଏଲ୍‌ ରାହୁଲଙ୍କୁ ଖରାପ ବୋଲିଂ କରିବାରୁ ତାଙ୍କ ବିସ୍ଫୋରକ ଶତକ ବଳରେ ପଞ୍ଜାବ ସ୍କୋର୍‌ ୨୦୬ ରନ୍‌ରେ ପହଞ୍ଚି ଯାଇଥିଲା। ଏମିତିକି ଶେଷ ୪ ଓଭରରେ ବାଙ୍ଗାଲୋର ୭୨ ରନ୍‌ ବ୍ୟୟ କରିଥିଲା ‌ବେଳେ ସେଥିରୁ ଶେଷ ୨ ଓଭରରେ ୪୯ ରନ୍‌ ସଂଗ୍ରହ ହୋଇଥିଲା। ଶେଷ ଦୁଇ ଓଭରରେ ଡେଲ ଷ୍ଟେନ୍‌ ଓ ଶିବମ ଦୁବେଙ୍କୁ ବୋଲିଂ କରିବାକୁ ଦିଆଯାଇଥିଲା ବେଳେ ଷ୍ଟେନ୍‌ ୨୬ ଓ ଦୁବେ ୨୩ ରନ୍‌ ବ୍ୟୟ କରିଥିଲେ। ପଞ୍ଜାବ ଅଧିନାୟକ କେଏଲ୍‌ ରାହୁଲ ୬୯ ବଲ୍‌ରୁ ୧୩୨ ରନ୍‌ର ଧୂଆଁଧାର ପାଳି ଖେଳିଥିଲେ। ଏହି ଶତକୀୟ ପାଳିରେ ପ୍ରତିପକ୍ଷ ଅଧିନାୟକ ବିରାଟ କୋହଲିଙ୍କର ମଧ୍ୟ ହାତ ରହିଥିଲା। ଆଇପିଏଲ୍‌ର ଏହି ପ୍ରଥମ ଶତକ ପୂର୍ବରୁ କୋହଲି ତାଙ୍କର ଦୁଇଟି ସହଜ କ୍ୟାଚ୍‌ ହାତଛଡ଼ା କରିଥିଲେ। ‌

ତେଣୁ ବାଙ୍ଗାଲୋର ବୋଲରଙ୍କ ଏଭଳି ପ୍ରଦର୍ଶନକୁ ଦେଖିବା ପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ଇଂଲଣ୍ଡର ପୂର୍ବତନ କ୍ର‌ିକେଟର କେଭିନ୍‌ ପିଟରସନ୍‌ ଏକ ସାକ୍ଷତକାରରେ କହିଛନ୍ତି। ପର୍ଯ୍ୟାୟକ୍ରମେ ଆର୍‌ସିବି ଯେତେବେଳେ ପଛକୁ ପଛ ମ୍ୟାଚ୍‌ ଖେଳିବାରେ ଲାଗିବ, ଏହାର ବୋଲିଂକ୍ରମକୁ ନେଇ ପ୍ରଶ୍ନ ଉଠିବ ବୋଲି ସେ କହିଛନ୍ତି। ଆଇପିଏଲ୍‌ରେ ଆର୍‌ସିବି ଖେଳିବା ଦିନଠୁ ଏହାର ବୋଲିଂ ଆକ୍ରମଣକୁ ନେଇ ପ୍ରଶ୍ନ ଉଙ୍କି ମାରୁଥିଲା ବେଳେ ସେମାନେ କ’ଣ ବୋଲିଂ କରିପାରୁନାହାନ୍ତି କି ବୋଲି ପିଟରସନ୍‌ ପ୍ରଶ୍ନ କରିଛନ୍ତି। ଦଳ ପାଖରେ ଚମତ୍କାର ବ୍ୟାଟ୍ସମ୍ୟାନ ଅଛନ୍ତି, ଯେଉଁମାନେ ଦଳକୁ ସେମି ଫାଇନାଲ୍‌ ଓ ଫାଇନାଲ ପର୍ଯ୍ୟନ୍ତ ନେଇଛନ୍ତିା କିନ୍ତୁ ଗୁରୁବାର ରାତିରେ ଯାହା ଦେଖିବାକୁ ମିଳିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ପିଟରସନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର