ନୂଆଦିଲ୍ଲୀ: ନଭେମ୍ବର ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଲାଗି ରବିବାର ଭାରତୀୟ ଦଳ ଘୋଷିତ ହୋଇଛି। ଆହ‌ତ କାରଣରୁ ଶୁବମନ ଗିଲ୍‌ଙ୍କ ବଦଳରେ କେଏଲ୍ ରାହୁଲଙ୍କୁ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ଦୁଇ ଭେଟେରାନ୍ ଖେଳାଳି ତଥା ପୂର୍ବତନ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ଦଳରେ ସୁରକ୍ଷିତ ଥିବାବେଳେ ବାମହାତୀ ଅଲ୍‌ରାଉଣ୍ଡର୍ ଅକ୍ଷର ପଟେଲ୍ ବାଦ୍ ପଡ଼ିଛନ୍ତି। ତାଙ୍କ ବଦଳରେ ରବୀନ୍ଦ୍ର ଜାଡ଼େଜାଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି। ଆଶ୍ଚର୍ଯ୍ୟଜନକ ଭାବେ ଚାମ୍ପିଅନ୍ସ ଟ୍ରଫି ବିଜେତା ଭାରତୀୟ ଦଳର ସଦସ୍ୟ ବରୁଣ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ବାଦ୍ ଦିଆଯାଇଛି। ଯଶପ୍ରୀତ୍ ବୁମରାଙ୍କୁ ବିଶ୍ରାମ ଦିଆଯାଇଛି। ହାର୍ଦିକ ପାଣ୍ଡ୍ୟା ଅଦ୍ୟାବଧି ମ୍ୟାଚ୍‌ ଫିଟ୍‌ନେସ୍ ସ୍ତରକୁ ଆସି ନଥିବାରୁ ଦୂରେଇ ରହିଛନ୍ତି। ଭେ‌ଟେରାନ୍ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ଅଣଦେଖା ଜାରି ରହିଥିବା ବେଳେ ମହମ୍ମଦ ସିରାଜଙ୍କୁ ମଧ୍ୟ ଏହି ଶୃଙ୍ଖଳାରୁ ବିଶ୍ରାମ ଦିଆଯାଇଛି।

Advertisment

ଦିନିକିଆ ଶୃଙ୍ଖଳା ଖେଳସୂଚୀ
ପ୍ରଥମ ଦିନିକିଆ: ନଭେମ୍ବର ୩୦ (ରାଞ୍ଚି)
ଦ୍ବିତୀୟ ଦିନିକିଆ: ଡିସେମ୍ବର ୩ (ରାଏପୁର)
ତୃତୀୟ ଦିନିକିଆ: ଡିସେମ୍ବର ୬ (ବିଶାଖାପାଟଣା)

ଭାରତୀୟ ଦଳରେ ବହୁ ଡାହାଣହାତୀ ବ୍ୟାଟର୍‌ଙ୍କ ଉପସ୍ଥିତି ଥିବା ବେଳେ ୨୦୨୭ ଦିନିକିଆ ବିଶ୍ବକପ୍‌ ଦୃଷ୍ଟିରୁ ମଧ୍ୟ ବିଭିନ୍ନ ସମନ୍ବୟକୁ ନେଇ ପରୀକ୍ଷା ନିରୀକ୍ଷା ହେବ। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଜାଡ଼େଜାଙ୍କ ବଦଳରେ ଅକ୍ଷର ପଟେଲ ଖେଳିବା ସହ ପାଇଥିବା ଦୁଇ ସୁଯୋଗରେ ୩୧ ଓ ୪୪ ରନ୍ କରିଥିଲେ। ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ସେତେବେ‌ଳେ ଏହି ଫର୍ମାଟ୍‌ରେ ଅକ୍ଷର ପଟେଲ ଢେର୍‌ ଆଗରେ ବୋଲି କହିଥିଲେ। ବର୍ତ୍ତମାନର ପରିସ୍ଥିତିରେ ଦଳରେ ସନ୍ତୁଳନ ପାଇଁ ଏଭଳି କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।

ଭାରତୀୟ ଦିନିକିଆ ଦଳ: ରୋହିତ ଶର୍ମା, ଯଶସ୍ବୀ ଜୟସ୍ବାଲ, ବିରାଟ କୋହଲି, ତିଳକ ବର୍ମା, କେଏଲ୍ ରାହୁଲ୍ (ଅଧିନାୟକ), ଋଷଭ ପନ୍ତ୍ (ୱିକେଟ୍‌ରକ୍ଷକ), ୱାସିଂଟନ୍ ସୁନ୍ଦର, ରବୀନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ନୀତୀଶ କୁମାର ରେଡ୍ଡୀ, ହର୍ଷିତ ରାଣା, ଋତୁରାଜ ଗାଏକ୍ବାଡ, ପ୍ରସିଦ୍ଧ କୃଷ୍ଣ, ଅର୍ଶଦୀପ ସିଂହ, ଧ୍ରୁବ ଜୁରେଲ।