ପ୍ରଥମ ଭାରତୀୟ ଭାବେ ମସ୍ତିଷ୍କାଘାତର ଶିକାର ପନ୍ତ୍‌, ରାହ‌ୁଲ ୱିକେଟ୍‌ରକ୍ଷକ

ମୁମ୍ବାଇ: ଅନ୍ତର୍ଜାତୀୟ କ୍ରିକେଟ୍‌ରେ ମସ୍ତିଷ୍କାଘାତ ଜନିତ ବଦଳ ଖେଳାଳିକୁ ଆଇସିସି ଅ‌ନୁମୋଦିତ କରିବା ପରଠାରୁ ଏକାଧିକ ଘଟଣା ନଜରକୁ ଆସିସାରିଛି। ପ୍ରଥମ ଭାରତୀୟ ଭାବେ ମସ୍ତିଷ୍କାଘାତର ଶିକାର ହୋଇଛନ୍ତି ଯୁବ ୱିକେଟରକ୍ଷକ ଋଷବ ପନ୍ତ୍‌। ୨୨ ବର୍ଷୀୟ ପନ୍ତ୍‌ କିନ୍ତୁ ଆଘାତ ପାଇବା ସହିତ ଆଉଟ୍ ହୋଇଥିବାରୁ ବଦଳ ଖେଳାଳିର ଆବଶ୍ୟକତା ପଡ଼ିନାହିଁ। ତାଙ୍କ ବଦଳରେ କେଏଲ୍‌ ରାହୁଲ ଭାରତୀୟ ଦଳର କ୍ଷେତ୍ରରକ୍ଷଣ ବେଳେ ୱିକେଟରକ୍ଷକ ଦାୟିତ୍ବ ତୁଲାଇଛନ୍ତି। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତର ମଧ୍ୟକ୍ରମ ବ୍ୟାଟିଂ ବିପର୍ଯ୍ୟୟରୁ ଦଳକୁ ସୁଧାରୁଥିବା ପନ୍ତ୍‌ ୪୪ତମ ଓଭରରେ ପ୍ୟାଟ୍ କମିନ୍ସଙ୍କ ବାଉଁସର୍‌ରେ ଆଘାତ ପାଇଥିଲେ। ବଲ୍‌ ତାଙ୍କ ବ୍ୟାଟ୍‌ରେ ବାଜି ହେଲ୍‌ମେଟ୍‌ରେ ଜୋରଦାର ଆଘାତ ଦେଇଥିଲା। ପଏଣ୍ଟ୍ ଅଞ୍ଚଳରେ ଟର୍ନର କ୍ୟାଚ୍‌ ନେବାରୁ ପନ୍ତ୍‌ ଆଉଟ୍ ହୋଇ ଫେରିଥିଲେ। ଏହା ପରେ ସେ ଅସୁସ୍ଥତା ଅନୁଭବ କରିବାରୁ ପାଳି ମଝିରେ ଅଭ୍ୟାସ କରିନଥିଲେ କି ଅଷ୍ଟ୍ରେଲିଆ ବ୍ୟାଟିଂ ବେଳେ ପଡିଆକୁ ଆସିନଥିଲେ। ରାହୁଲଙ୍କୁ ଏଥିପାଇଁ ୱିକେଟରକ୍ଷଣ ଭାର ସମ୍ଭାଳିବାକୁ ପଡ଼ିଥିଲା। ଏହା ପରେ ବିସିସିଆଇ ମଧ୍ୟ ପନ୍ତ୍‌ଙ୍କ ମସ୍ତିଷ୍କାଘାତ ସମ୍ପର୍କରେ ସ୍ପଷ୍ଟ କରିଥିଲା ଏବଂ ତାଙ୍କ ସ୍ବାସ୍ଥ୍ୟ ଉପରେ ବର୍ତ୍ତମାନ ନଜର ରଖାଯାଇଛି ବୋଲି ବିସିସିଆଇ ପ୍ରକାଶ କରିଛି।

ସମ୍ବନ୍ଧିତ ଖବର