ନୂଆଦିଲ୍ଲୀ: ଆର୍ସିବି ବିପକ୍ଷ ମ୍ୟାଚ୍ରେ ଆହତ ହେବା ପରେ ଏଲ୍ଏସ୍ଜି ଅଧିନାୟକ କେଏଲ୍ ରାହୁଲ ଆଇପିଏଲ୍ର ଅବଶିଷ୍ଟ ଭାଗରୁ ସମ୍ପୂର୍ଣ୍ଣ ବାଦ୍ ପଡ଼ିଛନ୍ତି। ଏଥି ସହ ଜୁନ୍ ମାସରେ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍ରୁ ମଧ୍ୟ ବଞ୍ଚିତ ହେବେ। ‘‘ଡାକ୍ତରୀ ଦଳ ସହ ପରାମର୍ଶ ପରେ ଖୁବ୍ ଶୀଘ୍ର ମୋତେ ଅସ୍ତ୍ରୋପଚାର କରିବାକୁ ପଡ଼ିବ। ଆସନ୍ତା ସପ୍ତାହଗୁଡିକରେ ମୋତେ ପୁନଃଥଇଥାନ ଉପରେ ଏକାଗ୍ରତା ରଖିବାକୁ ହେବ। ଆଇପିଏଲ୍ର ଗୁରୁତ୍ବପୂର୍ଣ୍ଣ ସମୟରେ ଖେଳିନପାରିବା ଏବଂ ଡବଲ୍ୟୁଟିସି ଫାଇନାଲ୍ରୁ ବଞ୍ଚିତ ହେବା ମୋ ପାଇଁ କଷ୍ଟକର ନିଷ୍ପତି।
ଏଲ୍ଏସ୍ଜି ଅଧିନାୟକ ଭାବେ ମୋତେ ଗଭୀର ଆଘାତ ଲାଗିଛି। ଆତ୍ମବିଶ୍ବାସ ରଖିଛି ଖେଳାଳିମାନେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଦେବେ। ପଡ଼ିଆ ପାର୍ଶ୍ବରେ ରହି ମୁଁ ନିଶ୍ଚିତ ଉତ୍ସାହିତ କରିବି।’’ ବୋଲି ରାହୁଲ ପ୍ରକାଶ କରିଛନ୍ତି। ଚଳିତ ସପ୍ତାହ ପ୍ରାରମ୍ଭରେ ଆର୍ସିବି ବିପକ୍ଷ ମ୍ୟାଚ୍ ବେଳେ ମାର୍କସ ଷ୍ଟୋଇନିସ୍ଙ୍କ ବୋଲିଂରୁ ଫାପ୍ ଡୁ ପ୍ଲେସିସ୍ ଏକ ଲମ୍ବା ସଟ୍ ଖେଳିଥିବା ବେଳେ ବାଉଣ୍ଡରି ନିକଟରେ ଏହାକୁ ରୋକିବାକୁ ପ୍ରୟାସ କରି ରାହୁଲ ତାଙ୍କ ଡାହାଣ ପଟ ଜଂଘରେ ଆଘାତ ପାଇଥିଲେ। ଏଲ୍ଏସ୍ଜି ଏବେ ୧୦ ମ୍ୟାଚ୍ରୁ ୫ ବିଜୟ ସହ ୧୧ ପଏଣ୍ଟ ପାଇ ଶୀର୍ଷ ୪ ଭିତରେ ରହିଛି। ଅସ୍ତ୍ରୋପଚାର ପରେ ରାହୁଲ ଲମ୍ବା ବିରାମରେ ରହିବା ଆଶଙ୍କା ରହିଛି। ୨୦୨୨ରେ ସ୍ପୋର୍ଟସ ହାର୍ଣ୍ଣିଆର ଅସ୍ତ୍ରୋପଚାର କରାଇଥିବା ରାହୁଲଙ୍କ ପାଇଁ ଏହା ଦ୍ବିତୀୟ ପ୍ରମୁଖ ଅସ୍ତ୍ରୋପଚାର ହେବ।
କେଏଲ୍ ରାହୁଲଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାର ଯାଦବଙ୍କୁ ବିସିସିଆଇ ଡବ୍ଲ୍ୟୁଟିସି ଫାଇନାଲ୍ ପାଇଁ ଷ୍ଟାଣ୍ଡବାଇ ରଖିବା ସମ୍ଭାବନା ରହିଛି। ଖରାପ ଫର୍ମ କାରଣରୁ ଟେଷ୍ଟ୍ ଦଳରୁ ବାଦ୍ ପଡ଼ିଥିବା ସୂର୍ଯ୍ୟକୁମାର ଚଳିତ ଅଇପିଏଲ୍ରେ ଭଲ ଖେଳୁଛନ୍ତି। ବିସିସିଆଇ ଆନୁଷ୍ଠାନିକ ଭାବେ କିଛି ନିଷ୍ପତି ନେଇନଥିଲେ ମଧ୍ୟ ୟୁକେ ଭିସା ସଚଳ ରଖିବାକୁ ସୂର୍ଯ୍ୟଙ୍କୁ କୁହାଯାଇଛି ବୋଲି ଜଣେ କର୍ମକର୍ତା ପ୍ରକାଶ କରିଛନ୍ତି। ପୂର୍ବରୁ ଡବଲ୍ୟୁଟିସି ଫାଇନାଲ୍ ପାଇଁ ସର୍ଫରାଜ ଖାନ, ଋତୁରାଜ ଗାଏକ୍ବାଡ, ଈଶାନ କିଶନ, ମୁକେଶ କୁମାରଙ୍କୁ ବିସିସିଆଇ ଷ୍ଟାଣ୍ଡବାଇ ତାଲିକାରେ ରଖିଛି। ସୂର୍ଯ୍ୟକୁମାର ଚଳିତ ବର୍ଷ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫିର ନାଗପୁର ଟେଷ୍ଟରେ ପଦାର୍ପଣ କରିଥିଲେ। ଏକମାତ୍ର ଟେଷ୍ଟର ଗୋଟିଏ ପାଳିରୁ ସେ ମାତ୍ର ୮ ରନ୍ କରିବା ପରେ ଆଉ ସୁଯୋଗ ପାଇନାହାନ୍ତି।