ଅଭ୍ୟାସ ମ୍ୟାଚ୍‌ରେ ରାହୁଲଙ୍କ ଶତକ: ଭାରତ ୩୦୬/୯

ଚେଷ୍ଟର ଲି ଷ୍ଟ୍ରିଟ୍‌: ଟେ‌ଷ୍ଟ ଶୃଙ୍ଖଳା ପୂର୍ବରୁ କାଉଣ୍ଟି ସିଲେକ୍ଟ ଏକାଦଶ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ କେଏଲ୍‌ ରାହୁଲ ଶତକ ଜମାଇଥିଲା ବେଳେ ରବୀନ୍ଦ୍ର ଜାଦେଜା ଅର୍ଦ୍ଧଶତକ ହାସଲ କରିଛନ୍ତି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତ ପକ୍ଷରୁ ରାହୁଲ ୧୫୦ ବଲ୍‌ରୁ ୧୧ ଚୌକା ଓ ୧ ଛକା ସହାୟତାରେ ୧୦୧ ରନ୍‌ କରି ରିଟାୟର୍ଡ ଆଉଟ୍‌ ହୋଇଥିଲା ବେଳେ ଜାଦେଜା ୭୫ ରନ୍‌ରେ ଆଉଟ୍‌ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୟଙ୍କ ଅଗ୍ରୱାଲ ୨୮, ହନୁମା ବିହାରୀ ୨୪, ଚେତେଶ୍ବର ପୂଜାରା ୨୧ ଓ ଶାର୍ଦୁଲ ଠାକୁର ୨୦ ରନ୍‌ର ଅବଦାନ ଛାଡ଼ିଥିଲା ବେଳେ ଅଧିନାୟକ ଦାୟିତ୍ବ ତୁଲାଇଥିବା ରୋହିତ ଶର୍ମା ୯ ରନ୍‌ କରିଥିଲେ। ତେବେ ଜାଦେଜା ଓ ଶାର୍ଦୁଲ ଷଷ୍ଠ ୱିକେଟ୍‌ରେ ୪୮ ରନ୍ ‌ଯୋଡ଼ିବାରୁ ଭାରତ ଏହି ତିନି ଦିନିଆ ମ୍ୟାଚ୍‌ର ପ୍ରଥମ ଦିବସ ‌ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ୯ ୱିକେଟ୍‌ ବିନିମୟରେ ୩୦୬ ରନ୍‌ କରିଛି। ଏହି ମ୍ୟାଚ୍‌ରେ ଅଧିନାୟକ ବିରାଟ କୋହଲି, ଉପଅଧିନାୟକ ଆଜିଙ୍କ୍ୟ ରହାଣେ, ଦ୍ରୁତ ବୋଲର ମହମ୍ମଦ ସାମି ଓ ଅଫ୍‌ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ୍‌ଙ୍କୁ ବିଶ୍ରାମ ଦିଆଯାଇଥିଲା ବେଳେ ରୋହିତ ଶର୍ମାଙ୍କୁ ନେତୃତ୍ବ ଭାରତ ଅର୍ପଣ କରାଯାଇଥିଲା।

ଭାରତ ବିପକ୍ଷରେ ଖେଳିଲେ ଅଭେସ ଓ ୱାସିଂଟନ୍‌
ଅଭ୍ୟାସ ମ୍ୟାଚ୍‌ରେ ଭାରତୀୟ ଦଳର ଦ୍ରୁତ ବୋଲର ଅଭେଶ ଖାନ୍‌ ଏବଂ ଅଲ୍‌ରାଉଣ୍ଡର ୱାସିଂଟନ୍‌ ସୁନ୍ଦର ପ୍ରତିପକ୍ଷ କାଉଣ୍ଟି ଏକାଦଶ ପକ୍ଷରୁ ଖେଳିଛନ୍ତି। ଆହତ ସମସ୍ୟା ଏବଂ କରୋନା ସଂକ୍ରମଣ ଯୋଗୁଁ କାଉଣ୍ଟି ଦଳରେ ଖେଳାଳି ଅଭାବ ଦେଖାଦେଇଥିଲା। ଫଳରେ ଦୁଇ ଜଣ ଖେଳାଳି ଯୋଗାଇଦେବାକୁ ଇସିବି (ଇଂଲଣ୍ଡ୍‌ ଆଣ୍ଡ୍‌ ୱେଲ୍‌ସ କ୍ରିକେଟ୍‌ ବୋର୍ଡ) ଭାରତୀୟ ଦଳୀୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲା। ଏହାକୁ ଭାରତୀୟ ଦଳୀୟ କର୍ତ୍ତୃପକ୍ଷ ଗ୍ରହଣ କରିଥିଲେ ଏବଂ ଉଭୟ ଦଳର ସହମତି ଭିତ୍ତିରେ ଅଭେଶ ଓ ୱାସିଂଟନ୍‌ ସେମାନଙ୍କ ପାଇଁ ଚୂଡାନ୍ତ ଏକାଦଶରେ ଖେଳିଥିଲେ ବୋଲି ବିସିସିଆଇ (ଭାରତୀୟ କ୍ରିକେଟ୍‌ ବୋର୍ଡ) ଏକ ବିବୃତ୍ତିରେ କହିଛି। ତେବେ ଏହି ମ୍ୟାଚ୍‌ ବେଳେ ୯.୫ ଓଭର ବୋଲିଂ କରିଥିବା ଅଭେଶ ଆଙ୍ଗୁଠିରେ ଆଘାତ ପାଇ ପଡ଼ିଆ ଛାଡ଼ିଥିଲେ। କୌଣସି ଖେଳାଳି ନିଜ ଦଳ ବିପକ୍ଷରେ ଖେଳିବା ନୂଆ ନଥିଲା। ଏହା ପୂର୍ବରୁ ୧୯୮୭ରେ ସଚିନ୍ ତେନ୍ଦୁଲକର (୧୪ ବର୍ଷ) ପାକିସ୍ତାନ ଦଳରୁ ଭାରତ ବିପକ୍ଷରେ ଖେଳିଥିଲେ। ସେତେବେଳେ ସେ ପାକିସ୍ତାନର ଭାରତ ବିପକ୍ଷ ଏକ ମ୍ୟାଚ୍‌ରେ ଇମ୍ରାନ୍‌ ଖାନ୍‌ ଏବଂ ଅବ୍‌ଦୁଲ କାଦିରଙ୍କ ପାଇଁ କ୍ଷେତ୍ରରକ୍ଷଣ କରିଥିବା ଦେଖାଯାଇଥିଲା।

ସମ୍ବନ୍ଧିତ ଖବର