ରାହୁଲଙ୍କ ଶତକ: ଭାରତ ୨୭୬/୩

ଲର୍ଡସ: ଗୁରୁବାରଠାରୁ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ଭାରତ ପ୍ରଥମ ଦିନର ସମ୍ମାନକୁ ନିଜ ନାମରେ କରିଛି। ପ୍ରଥମ ଦିନ ଖେଳ ଶେଷ ବେଳକୁ ଭାରତ ୩ ୱିକେଟ୍‌ ହରାଇ ୨୭୬ ରନ୍‌ କରିଛି। ପ୍ରାରମ୍ଭିକ ଯୋଡ଼ି ରୋହିତ ଶର୍ମା (୮୩) ଏବଂ କେଏଲ୍ ରାହୁଲ୍ (୧୨୭*)ଙ୍କ ବଢ଼ିଆ ପାଳି ବଳରେ ଭାରତ ଦୃଢ଼ ସ୍ଥିତି ହାତେଇଛି। ରୋହିତ ଶର୍ମା ଏବଂ ବିରାଟ କୋହଲି (୪୨)ଙ୍କୁ ସାଥି କରି ରାହୁଲ ଦୁଇଟି ଶତକୀୟ ଭାଗୀଦାରି ଗଢ଼ିବା ଭ୍ରମଣକାରୀ ଦଳକୁ ପ୍ରାଧାନ୍ୟ ବିସ୍ତାର କରିବାର ସୁଯୋଗ ଦେଇଛି।

ମେଘୁଆ ଆକାଶକୁ ଦେଖି ଇଂଲଣ୍ଡ ଟସ୍ ଜିତି ପ୍ରଥମେ ‌‌କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲା। ତତ୍‌କ୍ଷଣାତ ବର୍ଷା କାରଣରୁ ମ୍ୟାଚ୍‌ ପ୍ରାୟ ଅଧଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ଭାରତୀୟ ପ୍ରାରମ୍ଭିକ ଯୋଡ଼ି ରୋହିତ ଶର୍ମା ଏବଂ କେଏଲ୍ ରାହୁଲ୍‌ ଚମତ୍କାର ଆରମ୍ଭ କରିଥିଲେ। ଉଭୟ ଇଂଲଣ୍ଡ ବୋଲରଙ୍କୁ ପ୍ରଥମ ଘଣ୍ଟା ରକ୍ଷଣାତ୍ମକ ଖେଳିଥିଲେ। ରୋହିତ ଶର୍ମା ଏହା ପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଥିବା ବେଳେ ରାହୁଲ ୧୦୦ ବଲ୍ ପର୍ଯ୍ୟନ୍ତ ୨୨ ରନ୍‌ କରି ନିଜ ଅସୀମ ଧୈର୍ଯ୍ୟର ଦକ୍ଷତା ଦେଖାଇଥିଲେ। ଉଭୟ ପ୍ରଥମ ୱିକେଟ୍‌ ପାଇଁ ୧୨୬ ରନ୍‌ ଉଠାଇ ଦୃଢ଼ ମୂଳଦୁଆ ପକାଇଥିଲେ। ୨୦୧୭ ମସିହା ପରେ ଭାରତ ପ୍ରଥମ ଥର ପାଇଁ ବିଦେଶ ମାଟିରେ ଶତକୀୟ ପ୍ରାରମ୍ଭିକ ଭାଗୀଦାରି ପାଇଥିଲା। ରୋହିତ ଶର୍ମା (୮୩, ୧୪୫ ବଲ୍‌, ୧୧‌ ଚୌକା, ୧ ଛକା) କିନ୍ତୁ ବିଦେଶ ମାଟିରେ ଶତକ ହାସଲ କରିବାର ସ୍ବପ୍ନ ସାକାର କରିପାରିନଥିଲେ। ଜେମ୍ସ ଆଣ୍ଡରସନ୍‌ଙ୍କ ଏକ ଭିତରକୁ ଆସୁଥିବା ବଲ୍‌ ରୋହିତଙ୍କ ପଛ ଗୋଡ଼ରେ ବାଜି ଅଫଷ୍ଟମ୍ପ୍‌ ଉଡ଼ାଇ ଦେଇଥିଲା। ୬ ଓଭର ପରେ ଚେତେଶ୍ବର ପୂଜାରା (୯, ୨୩ ବଲ୍‌)ଙ୍କୁ ଆଣ୍ଡରସନ୍‌ ଆଉଟ୍ କରି ଲଗାତାର ସଫଳତା ଅର୍ଜନ କରିଥିଲେ।

ଅଫଷ୍ଟମ୍ପ୍‌ ବାହାର ବଲ୍‌କୁ ଖେଳିବାର ଫଳ ଭୋଗି ନିଜ ଉପରକୁ ଚାପ ବଢ଼ାଇଛନ୍ତି ପୂଜାରା। ରୋହିତଙ୍କ ପରଠାରୁ ରାହୁଲ ମଧ୍ୟ ନିଜ ଆକ୍ରମଣାତ୍ମକ ଆଭିମୁଖ୍ୟକୁ ସ୍ପଷ୍ଟ କରିଥିଲେ। ୧୩୭ ବଲ୍‌ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରି ମିଳିଥିବା ବିଳମ୍ବିତ ସୁଯୋଗକୁ ଦୁଇ ହାତରେ ଜାବୁଡି ଧରିଛନ୍ତି। ଲଗାତାର ଟେଷ୍ଟରେ ସେ ୫୦+‌ ସ୍କୋର୍‌ କରିଛନ୍ତି। ଐତିହାସିକ ଲର୍ଡସ ପଡିଆରେ ଶତକ (୧୨୭*, ୨୪୮ ବଲ୍‌, ୧୨ ବଲ୍‌, ୧ ଛକା) ହାସଲ କରିବାର ବିରଳ ସଫଳତା ଅର୍ଜନ କରିଥିଲେ। ଏହା ରାହୁଲଙ୍କ ଷଷ୍ଠ ଟେଷ୍ଟ୍ (ବିଦେଶରେ ଚତୁର୍ଥ) ଶତକ। ଗତ ସପ୍ତାହରେ ନଟିଂହାମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ରାହୁଲ ଉଭୟ ପାଳିରେ ୮୪ ଓ ୨୬ ରନ୍‌ କରିଥିଲେ। ରାହୁଲ ଏବଂ କୋହଲି ତୃତୀୟ ୱିକେଟ୍‌ ପାଇଁ ଆଇ ଏକ ଶତକୀୟ (୧୧୭ ରନ୍‌) ଭାଗୀଦାରିରେ ସଂଶ୍ଲିଷ୍ଟ ରହିଥିଲେ। ଦ୍ବିତୀୟ ନୂଆ ବଲ୍‌ର ପଞ୍ଚମ ଓଭରରେ ବିରାଟ କୋହଲି (୪୨, ୧୦୩ ବଲ୍‌)ଙ୍କୁ ଓଲି ରବିନସନ୍‌ ପ୍ୟାଭିଲିଅନ୍‌ ପଠାଇ ଦେଇଥିଲେ। ଅଫଷ୍ଟମ୍ପ୍‌ ବାହାର ବଲ୍‌ରୁ ବ୍ୟାଟ୍ ହଟାଇ ନ ପାରି କୋହଲି ସ୍ଲିପ୍‌ରେ ରୁଟଙ୍କ ହାତରେ ଧରାପଡ଼ିଯାଇଥିଲେ। ଇଂଲଣ୍ଡ ପାଇଁ ଜେମ୍ସ ଆଣ୍ଡରସନ୍‌ ନିଜର ଦୁଇ ୱିକେଟ୍ ସହିତ ଲର୍ଡସରେ ଭାରତ ବିପକ୍ଷରେ ୨୯ ୱିକେଟ୍ ନେଇ ଗୋଟିଏ ଭେନ୍ୟୁରେ ସର୍ବାଧିକ ୱିକେଟ୍‌ ନେବାରେ ଶ୍ରୀଲଙ୍କାର ମୁଥୟା ମୁରଲୀଧରନଙ୍କ (୨୯ ୱିକେଟ୍‌, କଲ‌ମ୍ବୋ, ଏସ୍ଏସ୍‌ସି) ସମକକ୍ଷ ହୋଇଥିଲେ।

ସମ୍ବନ୍ଧିତ ଖବର