ଟେନିସ୍ ବଲ୍‌ରେ ରାହୁଲଙ୍କ ‘ପୁଲ୍ ସଟ୍’ ଅଭ୍ୟାସ

ସିଡ୍‌ନି: ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣ ପାଇଁ ୟୁଏଇ‌ର ମନ୍ଥର ପିଚ୍‌ରେ ପାଖପାଖି ଦୁଇ ମାସ ଖେଳିବା ପରେ ତାରକା ଖଚିତ ଭାରତୀୟ କ୍ରିକେଟ୍ ଦଳ ଅଷ୍ଟ୍ରେଲିଆର ଜୀବନ୍ତ ପିଚ୍ ପାଇଁ ସୋମବାରଠାରୁ ପାରମ୍ପରିକ ଟେନିସ୍ ବଲ୍ ଅଭ୍ୟାସ ଆରମ୍ଭ କରିଛି। ସୋମବାରର ନେଟ୍ ଅଧିବେସନରେ ସଂପ୍ରତି ଚମତ୍କାର ଫର୍ମରେ ଥିବା କେଏଲ୍ ରାହୁଲ ଦୀର୍ଘ ସମୟ ପର୍ଯ୍ୟନ୍ତ ନିଜ ପୁଲ୍ ସଟ୍‌କୁ ଠିକ୍ କରିବାରେ ଲାଗିଥିଲେ। ୧୮ ଗଜ ଦୂରରୁ ଆସୁଥିବା ଟେନିସ୍ ବଲ୍‌କୁ ସଫଳତାର ସହ ପୁଲ୍ ସଟ୍ ଖେଳି ସେ ନିଜ କ୍ରିକେଟ୍ କୌଶଳକୁ ଆହୁରି ଶାଣିତ କରିବାରେ ଲାଗି ପଡ଼ିଥିଲେ।

ବିସିସିଆଇ ନିଜ ଟ୍ବିଟର ପୃଷ୍ଠାରେ ପ୍ରକାଶ କରିଥିବା ଭିଡିଓରେ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଏକ ଟେନିସ୍ ରୢାକେଟ୍ ସହାୟତାରେ ଭାରତର ନୂଆ ଧଳା ବଲ୍ ଉପଅଧିନାୟକ ରାହୁଲଙ୍କୁ ବଲ୍ ପକାଉଥିବା ଦେଖିବାକୁ ମିଳୁଛି। ରାହୁଲ ପୁଲ୍ ସଟ୍ ଖେଳି ଏହାକୁ ତଳେ ରଖିବାକୁ ଚେଷ୍ଟା କରୁଛନ୍ତି। ଖେଳାଳିମାନେ ସାଧାରଣତଃ ଗତି ଏବଂ ଉଚ୍ଛାଳ ଥିବା ପିଚ୍ ଲାଗି ଏଭଳି ଅଭ୍ୟାସ କରନ୍ତି। ଭାରତୀୟ ବ୍ୟାଟର୍‌ ଓଦା ଟେନିସ୍ ବଲ୍‌ରେ ଅଭ୍ୟାସ କରିବା କିନ୍ତୁ ନୂଆ କଥା ନୁହେଁ। ୮୦ ଓ ୯୦ ଦଶକରେ ୱେଷ୍ଟଇଣ୍ଡିଜ୍ କିମ୍ବା ଅଷ୍ଟ୍ରେଲିଆ ଗସ୍ତରେ ଯିବା ପୂର୍ବରୁ ସେମାନେ ଏଭଳି ଅଭ୍ୟାସ କରି ନିଜକୁ ବାଉନ୍ସି ପିଚ୍ ପାଇଁ ପ୍ରସ୍ତୁତ କରୁଥିଲେ। ସେପଟେ ଦ୍ରୁତ ବୋଲର ମହମ୍ମଦ ସାମି, ଗୋଲାପି ବଲ୍‌ରେ ବୋଲିଂ କରୁଥିବାର ନିଜର ଏକ ଭିଡିଓ ବ୍ୟକ୍ତିଗତ ଟ୍ବିଟର ପୃଷ୍ଠା‌ରେ ପ୍ରକାଶ କରିଥିଲେ। ‘‘ଦେଶର ପ୍ରତିନିଧିତ୍ବ କରିବାଠାରୁ ମିଠା ଅନୁଭୂତି ଆଉ କିଛି ନୁହେଁ। ଲମ୍ବା ଅପେକ୍ଷା ପରେ ବୋଲିଂ କରିବାର ସୁଯୋଗ। ଆଜିର ନେଟ୍ ଅଭ୍ୟାସ ଶେଷ ହେଲା’’ ବୋଲି ସାମି ଲେଖିଥିଲେ।

ସମ୍ବନ୍ଧିତ ଖବର