ରାହୁଲଙ୍କ ବିଶ୍ବ କୀର୍ତ୍ତିମାନ: ୨୦୦+ ଦଳୀୟ ସ୍କୋର୍‌ ବେଳେ ସର୍ବାଧିକ ୫୦+

ମୋହାଲି: ରୋହିତ ଶର୍ମା, ବିରାଟ କୋହଲି ଏବଂ ବାବର ଆଜମ୍‌ଙ୍କ ଭଳି ଚର୍ଚ୍ଚିତ ବ୍ୟାଟର୍‌ ଯାହା କରିପାରିନାହାନ୍ତି କେଏଲ୍‌ ରାହୁଲ ବିଶ୍ବର ପ୍ରଥମ ଖେଳାଳି ଭାବେ ସେଭଳି ଏକ ବିଶ୍ବ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଭାରତ ୨୦୮ ରନ୍‌ କରିଥିଲା। ଦଳର ଏହି ୨୦୦+ ସ୍କୋର୍‌ ଅବସରରେ ରାହୁଲ ୫୫ ରନ୍‌ କରିଥିଲେ। ରାହୁଲଙ୍କର ଏହା ଥିଲା ଦଶମ ଅର୍ଦ୍ଧଶତକ। କୌଣସି ଦଳ ୨୦୦+ ସ୍କୋର୍‌ କରିଥିବା ଅବସରରେ ଜଣେ ଖେଳାଳି ସର୍ବାଧିକ ୫୦+ ସ୍କୋର୍‌ (୧୦ ଥର) କରିବାରେ ରାହୁଲ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ କ୍ରିକେଟ୍‌ ଇତିହାସରେ ନୂଆ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ଏକ୍ଷେତ୍ରରେ ସେ ଅଧିନାୟକ ରୋହିତ ଶର୍ମା (୯ ଥର)ଙ୍କୁ ଟପି ଯାଇଥିଲେ। ରାହୁଲ ଓ ରୋହିତଙ୍କ ପଛକୁ ଏବେ ଆରୋନ ଫିଞ୍ଚ୍‌ (୬), ବାବର ଆଜମ (୫), କଲିନ୍‌ ମୁନ୍‌ରୋ (୫) ଏବଂ ବିରାଟ କୋହଲି (୫) ଏହି କ୍ଲବ୍‌ରେ ରହିଛନ୍ତି। ରାହୁଲ ତାଙ୍କ ପାଳିରେ ୩୫ ବଲ୍‌ ‌ଖେଳି ୪ ଚୌକା ଓ ୩ ଛକା ମାରିଥିଲେ। ତାଙ୍କ ଷ୍ଟ୍ରାଇକ୍‌ ରେଟ୍‌ ୧୫୭.୧୪ ଥିଲା। ଏଥି ସହିତ କ୍ରିକେଟ୍‌ର ଏହି ଫଟାଫଟ୍‌ ଫର୍ମାଟ୍‌ରେ ତାଙ୍କ ଷ୍ଟ୍ରାଇକ୍‌ ରେଟ୍‌କୁ ନେଇ ଚାଲିଥିବା ସମାଲୋଚନାର ଜବାବ ଦେଇଥିଲେ।

ସମ୍ବନ୍ଧିତ ଖବର