ମୁମ୍ବାଇ: ଭାରତୀୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଅମ୍ବାତି ରାୟୁଡୁ ବିଶ୍ବକପ୍ରୁ ଉପେକ୍ଷିତ ହେବା ପରେ ଅଭିମାନ କଲେ। ବିଶ୍ବକପ୍ ପାଇଁ ଘୋଷିତ ପ୍ରାଥମିକ ପର୍ଯ୍ୟାୟ ଦଳରେ ତାଙ୍କୁ ସ୍ଥାନ ମିଳିନଥିଲା। ପରେ ସାମିଲ ହେବାର ଆଶା ବାନ୍ଧିଥିଲେ। ଚର୍ଚ୍ଚିତ ୪ ନମ୍ବର ସ୍ଥାନ ପାଇଁ ବହୁ ପୂରାତନ କ୍ରିକେଟର୍ ତାଙ୍କ ନାମ ବିଚାରକୁ ନେବା ପାଇଁ ଚାପ ପ୍ରୟୋଗ କରିଥିଲେ। ତେବେ ଅନେକ ଆଡୁ ମନୋନୟନକର୍ତା ସମାଲୋଚିତ ହେବା ପରେ ତାଙ୍କୁ ଷ୍ଟାଣ୍ଡ୍ବାଇ ରଖାଗଲା। ସେ ନିଜେ ମଧ୍ୟ ଚୟନ ପ୍ରକ୍ରିୟାକୁ ସମାଲୋଚନା କରିଥିଲେ। ମନୋନୟନ ସମିତି ଅଧ୍ୟକ୍ଷ ଏମ୍ଏସ୍କେ ପ୍ରସାଦଙ୍କ ତ୍ରିମୁଖୀ (ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ) ପ୍ରତିଭା ମନ୍ତବ୍ୟକୁ ସେ ତୀବ୍ର ସମାଲୋଚନା କରିଥିଲେ। ଗଣମାଧ୍ୟମରେ ମଧ୍ୟ ଏହା ଭାଇରାଲ ହୋଇଥିଲା। ଯାହାକି ବିଶ୍ବକପ୍ରୁ ତାଙ୍କୁ ଉପେକ୍ଷିତ ହେବାର ଅନ୍ୟତମ କାରଣ ବୋଲି ଅଭିଯୋଗ କରିଛନ୍ତି। କିନ୍ତୁ ଶିଖର ଧାୱନ୍ ଆହତ ହୋଇ ବାଦ୍ ପଡ଼ିବା ପରେ ଦଳରେ ସାମିଲ ହେବାର ପ୍ରଥମ ପସନ୍ଦ ମଧ୍ୟ ସେ ଥିଲେ। ହେଲେ ତାଙ୍କୁ ଉପେକ୍ଷିତ କରାଯାଇ ଅନ୍ୟତମ ଷ୍ଟାଣ୍ଡ୍ବାଇ ଋଷଭ ପନ୍ତ୍ଙ୍କୁ ବିଶ୍ବକପ୍ ଟିକେଟ ମିଳିଲା। ଏହାପରେ ଅଲ୍ରାଉଣ୍ଡର ବିଜୟ ଶଙ୍କର ମଧ୍ୟ ଆହତ ତାଲିକାରେ ଯୋଡ଼ି ହୋଇ ଅବଶିଷ୍ଟ ବିଶ୍ବକପ୍ରୁ ବାଦ୍ ପଡ଼ିଲେ। ସେତେବେଳେ ବି ତାଙ୍କ ନାମ ବିଚାରକୁ ନିଆଗଲାନି। ବରଂ ଆଦୌ ବିଶ୍ବକପ୍ ଦଳ କିମ୍ବା ଷ୍ଟାଣ୍ଡ୍ବାଇ ତାଲିକାରେ ନଥିବା ମୟଙ୍କ ଅଗ୍ରୱାଲ୍ଙ୍କୁ ଡକରା ମିଳିଲା। ଏଭଳି ବାରମ୍ବାର ଉପେକ୍ଷିତ ହେବାକୁ ସହଜରେ ଗ୍ରହଣ କରିପାରିଲେନି ୩୩ ବର୍ଷ ବୟସ୍କ ରାୟୁଡୁ। ବିବାଦୀୟ ଭାବେ ବିଶ୍ବକପ୍ ଦଳରୁ ବାହାରେ ରହିବାର ପ୍ରାୟ ଦୁଇ ମାସ ପରେ ଶେଷରେ ଆଉ ସମ୍ଭାଳି ପାରିଲେନି। ଅତ୍ୟନ୍ତ ଅଭିମାନରେ ସେ କ୍ରିକେଟ୍ର ସବୁ ଫର୍ମାଟ୍ରୁ ଅବସର ଘୋଷଣା କରିଦେଲେ। ରାୟୁଡୁ ମଧ୍ୟ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ)କୁ ତାଙ୍କ ନିଷ୍ପତ୍ତି ସଂପର୍କରେ ଜଣାଇ ଦେଇଛନ୍ତି। ବିସିସିଆଇକୁ ଇମେଲ୍ ଜରିଆରେ ଅବସର ନିଷ୍ପତ୍ତି ଜଣାଇବା ସହିତ ଭାରତ ପାଇଁ ପ୍ରତିନିଧିତ୍ବ କରିବାର ସୁଯୋଗ ଦେଇଥିବାରୁ ବିସିସିଆଇ ସମେତ ସମସ୍ତ ରାଜ୍ୟ ସଂଘ (ହାଇଦ୍ରାବାଦ, ବରୋଦା, ଆନ୍ଧ୍ର ଓ ବିଦର୍ଭ)ଗୁଡ଼ିକୁ ଧନ୍ୟବାଦ ଦେଇଛନ୍ତି। ଦେଶ ପାଇଁ ପ୍ରତିନିଧିତ୍ବ କରିବା ମୋ ପାଇଁ ଗର୍ବ ଓ ସମ୍ମାନ ଥିଲା। ଏମାନଙ୍କ ବ୍ୟତୀତ ଆଇପିଏଲ୍ ଫ୍ରାଞ୍ଚାଇଜ୍ ମୁ୍ମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସକୁ ସେମାନଙ୍କ ସମର୍ଥନ ପାଇ ମୁଁ ଧନ୍ୟବାଦ ଜଣାଇଛି ବୋଲି ରାୟୁଡୁ କହିଛନ୍ତି। ମୁଁ ମଧ୍ୟ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି, ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଓ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଧନ୍ୟବାଦ ଜଣାଉଛି। ସେମାନେ ସମସ୍ତେ ଭାରତୀୟ ଦଳରେ ମୋର ପୂରା ଖେଳ ସମୟ ମଧ୍ୟରେ ମୋ ଉପରେ ଯଥେଷ୍ଟ ବିଶ୍ବାସ ରଖିଥିଲେ ବୋଲି ରାୟୁଡୁ କହିଛନ୍ତି। ବୁଧବାର ରାୟୁଡୁ ସବୁ ଫର୍ମାଟ୍ କ୍ରିକେଟ୍ରୁ ସନ୍ନ୍ୟାସ ନେଇଗଲେ। ଅନ୍ୟପକ୍ଷରେ ଦିନକ ପୂର୍ବରୁ ତାଙ୍କୁ ଆଇସ୍ଲାଣ୍ଡ୍ ପକ୍ଷରୁ ନାଗରିକତ୍ବ ଯଚା ଯାଇଥିବାରୁ ଅମ୍ବାତି ଅବସର ଘୋଷଣା କରିଥିବା ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ରାୟୁଡୁ ୨୦୧୩ ମସିହାରେ ଜିମ୍ବାୱେ ବିପକ୍ଷରେ ଖେଳି ଦିନିକିଆ ପଦାର୍ପଣ କରିଥିଲେ। ସେ ୫୫ ଦିନିକିଆ ଖେଳି ୪୭.୦୫ ହାରାହାରିରେ ୧୬୯୪ ରନ୍ ସଂଗ୍ରହ କରିଛନ୍ତି। ଏହା ପୂର୍ବରୁ ଗତବର୍ଷ ନଭେମ୍ବରରେ ପ୍ରଥମ ଶ୍ରେଣୀ କ୍ରିକେଟ୍ରୁ ଅବସର ନେଇ ରାୟୁଡୁ ସୀମିତ ଓଭର କ୍ରିକେଟ୍ ଉପରେ ଦୃଷ୍ଟିନିବଦ୍ଧ କରିଥିଲେ। ଫଳରେ ଆହତ ସମସ୍ୟା ପରେ ସେ ଭାରତୀୟ ଦିନିକିଆ ଦଳକୁ ସଫଳ ପ୍ରତ୍ୟାବର୍ତନ କରିଥିଲେ। ୨୦୧୮ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଆଇପିଏଲ୍ରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଏପରିକି ବିଜେତା ଚେନ୍ନାଇ ଦଳ ପକ୍ଷରୁ ସେ ମଧ୍ୟ ସର୍ବାଧିକ ରନ୍ (୬୦୨) ସଂଗ୍ରହ କରିଥିଲେ। ଆଇପିଏଲ୍ ପ୍ରଦର୍ଶନକୁ ଭିତ୍ତି କରି ରାୟୁଡୁ ଚଳିତ ବର୍ଷ ଜାନୁଆରି-ଫେବ୍ରୁଆରିରେ ନ୍ୟୁଜିଲାଣ୍ଡ୍ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ସ୍ଥାନ ପାଇଥିଲେ। ଭାରତ ୪-୧ରେ ଶୃଙ୍ଖଳା ଜିତିଥିଲା ବେଳେ ରାୟୁଡୁ ୫ ପାଳିରୁ ୧୯୦ ରନ୍ କରିଥିଲେ। ଯାହାକି ସମସ୍ତଙ୍କୁଠୁ ଅଧିକ ଥିଲା। ଏହାପରେ ମାର୍ଚରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ସ୍ଥାନ ପାଇଥିଲେ। ହେଲେ ୩ ପାଳିରେ ଯଥାକ୍ରମେ ୧୮, ୧୩ ଓ ୨ ରନ୍ କରିଥିଲେ। ଯାହାକି ବିଶ୍ବକପ୍ ଦଳରୁ ବାଦ୍ ପଡ଼ିବାର ଯଥେଷ୍ଟ କାରଣ ଥିଲା। ୧୬ ବର୍ଷ ବୟସରୁ ହିଁ ରାୟୁଡୁଙ୍କୁ ଭବିଷ୍ୟତ ତାରକା ଭାବେ ଗଣାଯାଇଥିଲା। ୨୦୦୨ରେ ଇଂଲଣ୍ଡ ୧୯ ବର୍ଷରୁ କମ୍ ଦଳ ବିପକ୍ଷରେ ଭାରତ ପିଛା କରୁଥିଲା ବେଳେ ସେ ଅପରାଜିତ ୧୭୭ ରନ୍ କରିଥିଲେ। ସେ ମଧ୍ୟ ୧୯ ବର୍ଷରୁ କମ୍ ୨୦୦୪ ବିଶ୍ବକପ୍ରେ ଭାରତର ନେତୃତ୍ବ ନେଇଥିଲେ। ତେବେ ୨୦୦୭ରେ ବିବାଦୀୟ ଆଇସିଏଲ୍ (ଇଣ୍ଡିଆନ୍ କ୍ରିକେଟ୍ ଲିଗ୍) ସହ ଚୁକ୍ତିବଦ୍ଧ ହୋଇ ବିସିସିଆଇ କ୍ରୋଧର ଶିକାର ହୋଇଥିଲେ।
ରାୟୁଡୁଙ୍କ ଅଭିମାନ:କ୍ରିକେଟ୍ରୁ ନେଲେସନ୍ନ୍ୟାସ
/sambad/media/post_attachments/wp-content/uploads/2019/07/Rayudu-retires-from-cricket.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)