ରେଳବାଇ, ବିହାର, ମଧ୍ୟପ୍ରଦେଶ ବିଜୟୀ

ଜାତୀୟ ମହିଳା ଫୁଟ୍‌ବଲ୍‌

କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଜାତୀୟ ମହିଳା ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ରବିବାର ରେଳବାଇ, ବିହାର ଓ ମଧ୍ୟପ୍ରଦେଶ ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ୍‌ରେ ରେଳବାଇ ୧୩-୦ ଗୋଲ୍‌ରେ କେରଳକୁ ହରାଇଛି। ଓ୍ଵାଇ କମଳା ଦେବୀ (୧୪, ୨୦, ୩୩, ୩୮, ୫୫, ୫୯ ମିନିଟ୍‌) ଏକାକି ୬ ଗୋଲ ଦେଇଥିଲା ବେଳେ ଶୁଭପ୍ରଭା ରାଉତ (୧୮ ଓ ୬୭ ମିନିଟ୍‌) ଦୁଇଟି, ମନପ୍ରୀତ କୌର (୭୧ ମିନିଟ୍‌), ସଂଜୁ (୪୦ ମିନଟ୍‌), କବିତା ଦେବୀ (୪୨ ମିନିଟ୍‌), ରଚିତା ମଲ୍ଲିକ (୭୭ ମିନିଟ୍‌) ଓ ଦୀପର୍ଣ୍ଣିତା ଦେ (୮୨ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଯୋଡ଼ି ବ୍ୟବଧାନ ବଢ଼ାଇଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ ବିହାର ୭-୧ ଗୋଲ୍‌ରେ ଚଣ୍ଡିଗଡ଼କୁ ହରାଇଥିଲା। ବିହାର ପକ୍ଷରୁ ପୁତୁଲ କୁମାରୀ (୪୪, ୬୭, ୭୯ ମିନିଟ୍‌) ୩, ଅର୍ଚ୍ଚନା କୁମାରୀ (୪୬, ୮୮ ମିନଟ୍‌) ଓ ନେହା କୁମାରୀ (୪୮, ୬୬ ମିନିଟ୍‌) ୨ ଲେଖାଏଁ ଗୋଲ୍‌ କରିଥଲେ। ବିପକ୍ଷ ଦଳର ସୋନିଆ (୬୦ ମିନିଟ୍‌) ଗୋଟିଏ ଗୋଲ ଶୁଝି ଦେଇଥିଲେ। ପଣ୍ଡିଚେରୀ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍‌ ୨-୨ ଗୋଲରେ ଅମୀମାଂସିତ ରହିଥିଲା। ପଣ୍ଡିଚେରୀର ଏସ୍‌ ପ୍ରଦୀପ ୬ ମିନିଟ୍‌, ଆର୍‌ ସାନ୍ଧିୟ ରଙ୍ଗନାଥନ୍‌ ୬୪ ମିନିଟ୍‌ରେ ଗୋଲ ଦେଇଥିଲା ବେଳେ ହରିୟାଣା ପକ୍ଷରୁ ସୁଷମା ୮୦ ମିନିଟ୍‌ ଓ ଦୀପିକା ୮୩ ମିନିଟ୍‌ରେ ଗୋଲ କରିଥିଲେ। ରବିବାରର ଶେଷ ମ୍ୟାଚ୍‌ରେ ମଧ୍ୟପ୍ରଦେଶ ୫-୦ ଗୋଲ୍‌ରେ ଜମ୍ମୁ କଶ୍ମୀରକୁ ପରାସ୍ତ କରିଛି। ବିଜୟୀ ଦଳର ଶିଭାଙ୍ଗୀ ଗୌର ୬, ୮୦, ୮୭ ମିନିଟ୍‌ରେ ତିନିଟି ଗୋଲ ଦେଇଥିଲା ବେଳେ ଅଶିମା ପାଓ୍ଵାର ୭୦ ମିନିଟ୍‌ ଓ ସାଲିନୀ ସିଂହ ୭୨ ମିନିଟ୍‌ରେ ଆଉ ଦୁଇଟି ଗୋଲ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର