ବର୍ଷା ଖେଳ ଜାରି: ପୂଜାରା ଦୃଢ଼

କୋଲ୍‌କାତା: ଇଡେନ୍‌ ଗାର୍ଡେନ୍‌ସରେ ବର୍ଷାର ଖେଳ ଜାରି ରହିବାରୁ ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ୍‍ର ଦ୍ୱିତୀୟ ଦିନ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଗୁରୁବାର ମାତ୍ର ୧୧.୫ ଓଭର ଖେଳ ହୋଇଥିବା ବେଳେ ଶୁକ୍ରବାର ୨୧ ଓଭର ସମ୍ଭବ ହୋଇଛି। ସକାଳେ ଦେଢ଼ ଘଣ୍ଟା ଖେଳରେ ଶ୍ରୀଲଙ୍କା ଆଉ ଦୁଇ ଓ୍ଵିକେଟ୍‌ ହରାଇ ଦ୍ୱିତୀୟ ଦିନ ସୁଦ୍ଧା ୭୪/୫ରେ ସଂଘର୍ଷ କରୁଛି।

ଭାରତ ଅଧା ଖେଳାଳିଙ୍କୁ ହରାଇଥିଲେ ମଧ୍ୟ ଚେତେଶ୍ୱର ପୂଜାରା ନିଜକୁ ପକ୍କା ଟେଷ୍ଟ୍‍ ଖେଳାଳିର ପ୍ରମାଣ ଛାଡ଼ିଛନ୍ତି। ବ୍ୟକ୍ତିଗତ ଭାବେ ୪୭ ରନ୍‌ରେ ଖେଳୁଛନ୍ତି ଏହି ସୌରାଷ୍ଟ୍ର ବ୍ୟାଟ୍‌ସମ୍ୟାନ୍‌। ତାଙ୍କ ୧୦୨ ବଲ୍‌ ପାଳିରେ ରହିଛି ୭ ଚୌକା। ନିକଟରେ ନଟିଂହାମସାୟାର ପାଇଁ କାଉଣ୍ଟି ଖେଳିଥିବା ପୂଜାରା ଅବିଚଳିତ ରହିଛନ୍ତି। ଦିନର ସଫଳ ବୋଲର ଦାସୁନ୍‌ ସଣକାଙ୍କ ଫୁଲ୍‌ ଲେନ୍‌ଥ ବଲ୍‌କୁ ଖେଳିବାକୁ ସେ ଫରଓ୍ଵାର୍ଡ ଡ୍ରାଇଭ୍‌ ଜରିଆରେ ମିଡ୍‌ ଅଫ୍‌ ଅଞ୍ଚଳକୁ ୪ ଚୌକା ମାରିବା ଉଲ୍ଲେଖନୀୟ ଥିଲା। କିନ୍ତୁ ରନ୍‌ ସ୍କୋରିଂ ସୁଯୋଗ ରଖୁଥିବା ସଣକାଙ୍କ ଫୁଲ୍‌ ଲେନ୍‌ଥ ବଲ୍‌କୁ ବୁଝି ନ ପାରି ଅଜିଙ୍କ୍ୟ ରାହାଣେ ଓ ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ ଆଉଟ୍‌ ହୋଇଛନ୍ତି। ବଲ୍‌ ସିମ୍‌ରେ ପଡ଼ିନଥିଲା କି ସୁଇଙ୍ଗ କରି ନଥିଲା। ରାହାଣେ କିନ୍ତୁ ହାଲ୍‌କାରେ ଖେଳିବାରୁ ବଲ୍‌ ତାଙ୍କ ବ୍ୟାଟ୍‌ ଧାରରେ ବାଜି ଓ୍ଵିକେଟ୍‌ରକ୍ଷକ ଡିକ୍‌ଓ୍ଵାଲ୍‌ଙ୍କ ଗ୍ଲୋଭ୍‌ସରେ ପଡ଼ିଥିଲା। ୨୬ତମ ଓଭରରେ ସଣକାଙ୍କ ବଲ୍‌ ଅଫ୍‌ ଷ୍ଟମ୍ପ୍‌ ବାହାରେ ପଡ଼ିଥିଲେ ମଧ୍ୟ ଅଶ୍ୱିନ୍‌ ଅଯଥାରେ ଖେଳି ବ୍ୟାକ୍‌ଓ୍ଵାର୍ଡ ପଏଣ୍ଟ୍‌ ଅଞ୍ଚଳରେ କରୁଣାରତ୍ନେଙ୍କ ହାତରେ ଧରାପଡ଼ିଥିଲେ। ଏହି ଅବସରରେ ସୁରଙ୍ଗା ଲାକମଲ୍‌ ଓ ଲାହିରୁ ଗାମାଗେ ମଧ୍ୟ ଭଲ ସୁଇଙ୍ଗ୍‌ ଓ ବାଉନ୍‌ସ ପାଉଥିଲେ ଏବଂ ବହୁବାର ବ୍ୟାଟସମ୍ୟାନ୍‌ଙ୍କୁ ପରାସ୍ତ କରିବାରେ ସଫଳ ହୋଇଥିଲେ। କିନ୍ତୁ ସାମୟିକ ମଧ୍ୟମଗତି ବୋଲର ଦିମୁଥ କରୁଣାରତ୍ନେଙ୍କୁ ବୋଲିଂରେ ଲଗାଇ ଅଧିନାୟକ ଦୀନେଶ ଚାନ୍ଦିମାଳ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ପୂଜାରା ତାଙ୍କ ବିପକ୍ଷରେ ୬ ବଲ୍‌ ଖେଳି ୨ ଚୌକା ସହ ୧୨ ରନ୍‌ ଆଦାୟ କରିଥିଲେ। ସୂଚନାଯୋଗ୍ୟ, କରୁଣାରତ୍ନେଙ୍କ ଏକମାତ୍ର ଟେଷ୍ଟ୍‍ ଓ୍ଵିକେଟ୍‌ ହେଉଛନ୍ତି ପୂଜାରା। ଚଳିତ ବର୍ଷ ଅଗଷ୍ଟରେ କଲମ୍ବୋରେ ସେ ପୂଜାରାଙ୍କୁ ଆଉଟ୍‌ କରିଥିଲେ।

ଶୁକ୍ରବାର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ପୂଜାରାଙ୍କ ସହିତ ସ୍ଥାନୀୟ ଖେଳାଳି ତଥା ଓ୍ଵିକେଟ୍‌ରକ୍ଷକ ରିଦ୍ଧିମାନ ସାହା (୬*, ୨୨ ବଲ୍‌, ୧ ଚୌକା) ଅପରାଜିତ ରହିଛନ୍ତି। ମଧ୍ୟାହ୍ନ ଭୋଜନ ବିରତିର ଅଧଘଣ୍ଟା ପୂର୍ବରୁ ଖେଳ ବନ୍ଦ ହୋଇଯିବା ପରେ ପ୍ରବଳ ବର୍ଷା କାରଣରୁ ଅଢ଼େଇଟା ବେଳକୁ ଦ୍ୱିତୀୟ ଦିନ ଖେଳ ବନ୍ଦ ଘୋଷଣା କରାଯାଇଥିଲା। ଫଳରେ ଦୁଇ ଦିନର ୧୮୦ ଓଭର ପରିବର୍ତେ ମାତ୍ର ୩୨.୫ ଓଭର ଖେଳ ସମ୍ଭବ ହୋଇଛି।

କୋହଲିଙ୍କ ଟେଷ୍ଟ୍‌ ନିରାଶା

ସୀମିତ ଓଭର କ୍ରିକେଟ୍‌ରେ ସଫଳତାର ଶୀର୍ଷ ଛୁଇଁଥିବା ବିରାଟ କୋହଲିଙ୍କ ପାଇଁ ଚଳିତ ବର୍ଷ କିନ୍ତୁ ଟେଷ୍ଟ୍‍ କ୍ରିକେଟ୍‌ରେ ଭଲ ବିତିନାହିଁ। ଚଳିତ ଟେଷ୍ଟ୍‍ରେ ଶୂନରେ ଆଉଟ୍‌ ହେବା ପରେ ଏହା ଥିଲା ତାଙ୍କ ଖେଳ ଜୀବନର ଷଷ୍ଠ ଏବଂ ଅଧିନାୟକ ଭାବେ ଦ୍ୱିତୀୟ। ଚଳିତ ବର୍ଷ ଫେବ୍ରୁଆରିରେ ଅଷ୍ଟ୍ରେଲିଆ ବିପକ୍ଷ ପୁନେ ଟେଷ୍ଟ୍‍ରେ ମଧ୍ୟ କୋହଲି ଶୂନରେ ଆଉଟ୍‌ ହୋଇଥିଲେ। ଟେଷ୍ଟ୍‍ ଅଧିନାୟକ ଭାବେ ୨ ଥର ଶୂନରେ ଆଉଟ୍‌ ହେବା ଭାରତ ପାଇଁ ଏକମାତ୍ର ଉଦାହରଣ। ଚଳିତ ବର୍ଷ ଫେବ୍ରୁଆରିରେ କୋହଲି ବାଂଲାଦେଶ ବିପକ୍ଷ ହାଇଦ୍ରାବାଦ ଟେଷ୍ଟ୍‍ରେ ୨୦୪ ରନ୍‌ ପାଳି ଖେଳିବା ପରଠାରୁ ଅସ୍ଥିର ପ୍ରଦର୍ଶନ ଦେଇଆସୁଛନ୍ତି। ଏହା ପରଠାରୁ ୧୧ ପାଳିରେ ଥରେ ମାତ୍ର ୫୦ (୧୦୩* ବନାମ ଶ୍ରୀଲଙ୍କା, ଗଲ୍‌) ଅତିକ୍ରମ କରିଛନ୍ତି। ଚଳିତ ବର୍ଷ କୋହଲି ଟେଷ୍ଟରେ ୪୦.୮୧ ହାରରେ ୮ ଟେଷ୍ଟ୍‍ରୁ ୪୪୯ ରନ୍‌ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ୨ ଶତକ ରହିଛି। ତାଙ୍କ ପାଇଁ ଏହା ୨୦୧୨ ମସିହା ପରେ ଅତି ଖରାପ। ତାଙ୍କ ସାମଗ୍ରିକ ଟେଷ୍ଟ୍‍ ଜୀବନ ହାରାହାରି ୪୯.୦୩ ରହିଥିଲେ ମଧ୍ୟ ଶ୍ରୀଲଙ୍କା ବିପକ୍ଷ ୭ ଟେଷ୍ଟରୁ ୩୯.୪୦ ହାରରେ ୩୯୪ ରନ୍‌ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ୨ ଶତକ ଓ ୧ ଅର୍ଧଶତକ ରହିଛି।

ଅନ୍ୟପକ୍ଷରେ ସୁରଙ୍ଗା ଲାକ୍‌ମଲ୍‌ ପ୍ରଥମ ବଲ୍‌ରେ ଓ୍ଵିକେଟ୍‌ (ଲୋକେଶ ରାହୁଲ) ପାଇବା ତାଙ୍କ ପାଇଁ ଦ୍ୱିତୀୟ ଉଦାହରଣ। ୨୦୧୦ରେ ସେ କାଣ୍ଡିରେ କ୍ରିସ୍‌ ଗେଲ୍‌ଙ୍କୁ ମଧ୍ୟ ଶୂନରେ ଆଉଟ୍‌ କରିଥିିଲେ। ଅନ୍ୟ କୌଣସି ଶ୍ରୀଲଙ୍କା ଖେଳାଳି ଥରେ ବି ପ୍ରଥମ ବଲ୍‌ରେ ଓ୍ଵିକେଟ୍‌ ପାଇ ନାହାନ୍ତି। ପ୍ରଥମ ଦିନର ବୋଲିଂ ଚିତ୍ର (୬-୬-୦-୩) ସହିତ ସୁରଙ୍ଗା ଲାକମଲ୍‌ ଅଷ୍ଟ୍ରେଲିଆର ରିଚି ବେନ (୩.୪-୩-୦-୩)ଙ୍କ ଭଳି ବିନା ରନ୍‌ରେ ୩ ଓ୍ଵିକେଟ୍‌ ନେବାର ବିରଳ କୀର୍ତିମାନ କଲେ। ଉଭୟଙ୍କ ପ୍ରଦର୍ଶନ ଭାରତ ବିପକ୍ଷରେ ଭାରତ ମାଟିରେ। ରିଚି ୧୯୫୯ରେ ଦିଲ୍ଲୀରେ ଭାରତର ୧୩୫ ରନ୍‌ ପାଳିରେ ଏହି ବୋଲିଂ ଚିତ୍ର ପାଇଥିଲେ।

ଲୋକେଶ ରାହୁଲ ମଧ୍ୟ ଦ୍ୱିତୀୟ ଥର ପାଇଁ ଟେଷ୍ଟ୍‍ରେ ଶୂନରେ ଆଉଟ୍‌ ହେଲେ। ଗତବର୍ଷ ବିଶାଖାପାଟଣାରେ ସେ ଇଂଲଣ୍ଡ ବିପକ୍ଷରେ ମଧ୍ୟ ଶୂନରେ ଆଉଟ୍‌ ହୋଇଥିଲେ। ଉଭୟ ଥର ପ୍ରଥମ ପାଳିରେ ଏହା ଘଟିଛି। ତେବେ ଏକ ଟେଷ୍ଟ୍‍ ମ୍ୟାଚ୍‌ର ପ୍ରଥମ ବଲ୍‌ରେ ଆଉଟ୍‌ ହେବାରେ ରାହୁଲ ଷଷ୍ଠ ଭାରତୀୟ। ପୂର୍ବ ୫ ଜଣ ହେଲେ-ସୁନୀଲ ଗାଭାସ୍କର (୩ ଥର), ସୁଧୀର ନାଏକ, ଉର୍କେରୀ ରମଣ, ଶିବ ସୁନ୍ଦର ଦାସ ଏବଂ ଓ୍ଵାସିମ୍‌ ଜାଫର୍‌। ପ୍ରଥମ ବଲ୍‌ ଶୂନରେ ଆଉଟ୍‌ ହେବା ପୂର୍ବରୁ କିନ୍ତୁ ରାହୁଲ ଲଗାତାର ୭ ଟେଷ୍ଟ୍‍ ପାଳିରେ ଅର୍ଧଶତକ ମାରିଥିଲେ। ଏ କ୍ଷେତ୍ରରେ ସେ ଏଭର୍ଟନ ଓ୍ଵିକ୍‌ସ, ଆଣ୍ଡି ଫ୍ଲାଓ୍ଵାର, ଶିବନାରିନ୍‌ ଚନ୍ଦରପଲ୍‌, କୁମାର ସାଙ୍ଗାକାରା, କ୍ରିିସ୍‌ ରୋଜର୍ସଙ୍କୁ ପଛରେ ପକାଇଥିଲେ।

ଚଳିତ ଟେଷ୍ଟ୍‍ରେ ଭାରତ ୫୦ ରନ୍‌ରେ ୫ ଓ୍ଵିକେଟ୍‌ ହରାଇବା ଭଳି ଉଦାହରଣ ଶେଷ ଥର ପାଇଁ ୨୦୧୦ରେ ଦେଖିବାକୁ ମିଳିଥିଲା। ଅହମ୍ମଦାବାଦରେ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ଏଭଳି ଘଟିଥିଲା। ମୋଟ ଉପରେ ଘରୋଇ ମାଟିରେ ଭାରତ ପାଇଁ ଏହା ୧୭ତମ ଥର ଏବଂ ବିଗତ ୩୦ ବର୍ଷରେ ପଞ୍ଚମ ଉଦାହରଣ। ୪୬ ବଲ୍‌ ବୋଲିଂ କରିବା ପରେ ପ୍ରଥମ ରନ୍‌ ବ୍ୟୟ କରିଥିଲେ ସୁରଙ୍ଗା ଲାକ୍‌ମଲ୍‌। ୨୦୦୧ ମସିହା ପରେ ଏହା ସର୍ବାଧିକ ବଲ୍‌। ୨୦୧୫ରେ ଜାମାଇକାରେ ଅଷ୍ଟ୍ରେଲିଆ ବିପକ୍ଷରେ େଓ୍ଵଷ୍ଟଇଣ୍ଡିଜ୍‌ର ଜେରୋମ୍‌ ଟେଲର୍‌ ୪୦ ବଲ୍‌ ପରେ ପ୍ରଥମ ରନ୍‌ ବ୍ୟୟ କରିଥିଲେ।

ସମ୍ବନ୍ଧିତ ଖବର