ଅହମ୍ମଦାବାଦ : ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୫ର ୨ୟ କ୍ବାଲିଫାୟର ମ୍ୟାଚ ବର୍ଷା ଯୋଗୁଁ ବିଳମ୍ବିତ ହୋଇଛି । ଖବର ଲେଖା ହେବା ବେଳକୁ ବର୍ଷା ହେବା ବନ୍ଦ ହୋଇଛି, ତଥାପି ଆଉଟଫିଲଡରେ ପାଣି ଜମି ରହିଛି । ତେବେ ବର୍ଷା ଛାଡ଼ିଯାଇଥିବାରୁ ମ୍ୟାଚ ପୁଣି ଆରମ୍ଭ ହେବାର ସମ୍ଭାବନା ରହିଛି ।
ତେବେ ଯଦି ବର୍ଷା ଯୋଗୁଁ ମ୍ୟାଚ ସଂପୂର୍ଣ୍ଣଭାବେ ବାତିଲ ହେଲା ତେବେ ଫାଇନାଲକୁ କିଏ ଯିବ, ମୁମ୍ବାଇ ଇଣ୍ଡିଆନ୍ସ ନା ପଞ୍ଜାବ କିଙ୍ଗସ ?
ସୂଚନା ଅନୁସାରେ ଯଦି ରାତି ୯ଟା ୪୦ ମିନିଟ ସୁଦ୍ଧା ମ୍ୟାଚ ଆରମ୍ଭ ହୁଏ ତେବେ ସଂପୂର୍ଣ୍ଣ ୨୦ ଓଭର ବିଶିଷ୍ଟ ମ୍ୟାଚ ହୋଇପାରିବ । କିନ୍ତୁ ୯ଟା ୪୦ ପରେ ମ୍ୟାଚ ଆରମ୍ଭ ହେଲେ ଓଭର ସଂଖ୍ୟା କମାଯିବ । ସେହିପରି ରାତି ୧୧ଟା ୫୬ ମିନିଟ ଅତିକ୍ରମ କରିଗଲେ ୫ ଓଭର ବିଶିଷ୍ଟ ମ୍ୟାଚ ହୋଇପାରିବ । କିନ୍ତୁ ରାତି ୧୨ଟା ୫୦ ମିନିଟ ଅତିକ୍ରମ କରିଗଲେ କେବଳ ସୁପର ଓଭର ହୋଇପାରିବ । କିନ୍ତୁ ଯଦି ତଥାପି ବର୍ଷା ନ ଛାଡ଼ିଲା ତେବେ ମ୍ୟାଚ ବାତିଲ ହେବ ଓ ପଏଣ୍ଟ ଟେବୁଲରେ ପଂଜାବ ମୁମ୍ବାଇ ଉପରେ ଥିବାରୁ ପଂଜାବ ହିଁ ଫାଇନାଲକୁ ଯିବ । ଏଣୁ ବର୍ଷା ହିଁ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ଏକ ବିପଦ ଭାବେ ଛିଡ଼ା ହୋଇଛି । ଏଣୁ ଆକାଶ ଅମ୍ବାନି ଚିନ୍ତାର ସହ ଆକାଶକୁ ଚାହୁଁଥିବା ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।