ଖ୍ରିଷ୍ଟଚର୍ଚ୍ଚ: ଦ୍ବିତୀୟ ଦିନିକିଆ ବର୍ଷାରେ ଧୋଇଯିବା ପରେ ଭାରତ ଓ ନ୍ୟୁଜିଲାଣ୍ଡ ତୃତୀୟ ତଥା ଶେଷ ଦିନିକିଆ ପାଇଁ ପ୍ରସ୍ତୁତ ହେଉଛନ୍ତି। ବୁଧବାର ଖ୍ରିଷ୍ଟଚର୍ଚ୍ଚରେ ଏହି ମ୍ୟାଚ୍ ଖେଳାଯିବ। କିନ୍ତୁ ଦ୍ବିତୀୟ ମ୍ୟାଚ୍ ପରି ଶେଷ ମ୍ୟାଚ୍ରେ ବି ବର୍ଷା ବଡ଼ ଭୂମିକା ଗ୍ରହଣ କରିବ। ବୁଧବାର ହଗ୍ଲି ଓଭାଲ୍ରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ତଥାପି ଏହି ମ୍ୟାଚ୍କୁ ଦୃଷ୍ଟିରେ ରଖି ଭାରତୀୟ ଦଳ ହଗ୍ଲି ଓଭାଲ୍ରେ ମଙ୍ଗଳବାର ଅଭ୍ୟାସକୁ ଶେଷ ସ୍ପର୍ଶ ଦେଇଛି। ଅଧିନାୟକ ଶିଖର ଧାୱନ ଲମ୍ବା ସମୟ ଧରି ନେଟ୍ସରେ ବ୍ୟାଟିଂ କରିଥିଲା ବେଳେ ପ୍ରଶିକ୍ଷକ ଭିଭିଏସ୍ ଲକ୍ଷ୍ମଣ ଓ ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରେ ଦୀର୍ଘସମୟ ଧରି ବାର୍ତ୍ତାଳାପ କିଛି ନୂଆ ପରିବର୍ତ୍ତନର ସଙ୍କେତ ଦେଉଛି। ଅନ୍ୟପକ୍ଷରେ ଦ୍ରୁତ ବୋଲର ଯୋଡ଼ି ଅର୍ଶଦୀପ ସିଂହ ଓ ଉମ୍ରାନ୍ ମଲିକଙ୍କ ସହିତ ସ୍ପିନ୍ ଯୋଡ଼ି ୟୁଝ୍ବେନ୍ଦ୍ର ଚହଲ ଓ କୁଲଦୀପ ଯାଦବ ମଧ୍ୟ ନେଟ୍ସରେ ଅଧିକ ସମୟ ବିତାଇଥିଲେ।
ବିଶ୍ବକପ୍କୁ ନଜରରେ ରଖି ଏହାକୁ ପ୍ରସ୍ତୁତି ଭାବେ ବିବେଚନା କରାଯାଉଥିଲେ ହେଁ ଉଭୟ ଦଳ ସୁପରଲିଗ୍କୁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ତେଣୁ ଏକ୍ଷେତ୍ରରେ କୌଣସି ଦଳ ପାଇଁ ସମସ୍ୟା ହେବନି। ତଥାପି ନ୍ୟୁଜିଲାଣ୍ଡ ଗସ୍ତରେ ଭାରତ ସମ୍ମାନ ରକ୍ଷା କରିବାକୁ ହେଲେ ଶୃଙ୍ଖଳା ବରାବର କରିବା ଜରୁରୀ। କାରଣ ପ୍ରଥମ ଦିନିକିଆକୁ ଘରୋଇ ଦଳ ନିଜ ନାମରେ କରିସାରିଛି ଓ ଦ୍ବିତୀୟ ଦିନିକିଆରେ ଭାରତୀୟ ପାଳିରେ ମାତ୍ର ୧୨.୫ ଓଭର ବଲ୍ ପଡ଼ିପାରିଥିଲା। ଯଦି ଶେଷ ମ୍ୟାଚ୍ ସଂପୂର୍ଣ୍ଣ ନହୁଏ ତାହେଲେ ଦିନିକିଆ ଶୃଙ୍ଖଳାକୁ ବି ଘରୋଇ ଦଳ ବିନା ପରିଶ୍ରମରେ କବ୍ଜା କରିନେବ।
ନ୍ୟୁଜିଲାଣ୍ଡ ଗସ୍ତରେ ଭାରତ ବର୍ତ୍ତମାନ ସୁଦ୍ଧା ଖେଳିଥିବା ୫ ମ୍ୟାଚ୍ରେ ବର୍ଷାର ପ୍ରଭାବ ରହିଛି। ତେଣୁ ଏଭଳି ପାଣିପାଗକୁ ନେଇ ଖେଳାଳିମାନେ ଅସନ୍ତୁଷ୍ଟ ଅଛନ୍ତି। ଟ୍ବେଣ୍ଟି-୨୦ ବିଶ୍ବକପ୍ ଶେଷ ହେବା ଠିକ୍ ପରେ ଅନାବଶ୍ୟକ ଶୃଙ୍ଖଳା ଖେଳାଯାଇଥିଲା। ତଥାପି କିଛି ଯୁବ ଖେଳାଳିଙ୍କ ପାଇଁ ଏହା ସୁଯୋଗ ସୃଷ୍ଟି କରିଥିଲା। ଦିନିକିଆରେ ଏବେ ନ୍ୟୁଜିଲାଣ୍ଡ ଆଗରେ ଥିବାରୁ ଶେଷ ମ୍ୟାଚ୍ରେ କିଛି ଖେଳାଳିଙ୍କୁ ନେଇ ପରୀକ୍ଷା କରିପାରେ। ହେଲେ ଭାରତୀୟ ଦଳରେ ଷଷ୍ଠ ବୋଲରର ଆବଶ୍ୟକତା ନାହିଁ। ତେଣୁ ଦୀପକ ହୁଡ଼ାଙ୍କ ସ୍ଥାନରେ ସଞ୍ଜୁ ସାମସନ୍ଙ୍କୁ ଖେଳାଇବାକୁ ଦଳ ବିଚାର କରିପାରେ। ନଚେତ୍ ପ୍ରମୁଖ ଖେଳାଳି ଶ୍ରେୟସ ଆୟର କିମ୍ବା ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରୁ ଜଣଙ୍କୁ ବିଶ୍ରାମ ଦେଇ ସଞ୍ଜୁଙ୍କୁ ଖେଳାଯାଇପାରେ।
ନ୍ୟୁଜିଲାଣ୍ଡ ସମ୍ଭାବ୍ୟ ୧୧: ଫିନ୍ ଆଲେନ୍, ଡେଭନ୍ କନୱେ, କେନ୍ ୱିଲିୟମସନ୍, ଡାରେଲ୍ ମିଚେଲ୍, ଟମ୍ ଲଥାମ, ଗ୍ଲେନ୍ ଫିଲିପ୍ସ, ମିଚେଲ୍ ସାଣ୍ଟନର, ମିଚେଲ୍ ବ୍ରେସ୍ୱେଲ୍, ମାଟ୍ ହେନ୍ରି, ଟିମ୍ ସାଉଦି, ଲୋକି ଫର୍ଗୁସନ୍।
ଭାରତ ସମ୍ଭାବ୍ୟ ୧୧: ଶିଖର ଧାୱନ, ଶୁବମନ ଗିଲ୍, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଋଷଭ ପନ୍ତ, ଦୀପକ ହୁଡ଼ା, ୱାସିଂଟନ୍ ସୁନ୍ଦର, ଦୀପକ ଚହର, ଉମ୍ରାନ ମଲ୍ଲିକ, ଅର୍ଶଦୀପ ସିଂହ, ୟୁଝବେନ୍ଦ୍ର ଚହଲ।