ମାଞ୍ଚେଷ୍ଟର: ଶୃଙ୍ଖଳା ନିର୍ଣ୍ଣାୟକ ମାଞ୍ଚେଷ୍ଟର ଟେଷ୍ଟ୍‌ରେ ପରାଜୟ ଏଡ଼ାଇବା ୱେଷ୍ଟଇଣ୍ଡିଜ୍ ପାଇଁ କାଠିକର ପାଠ ଥିଲା। ତେବେ ଇନ୍ଦ୍ର ଦେବତାଙ୍କ ଅନୁଗ୍ରହରୁ ଏହି ଦଳର ସମ୍ଭାବ୍ୟ ପରାଜୟ ଆପାତତଃ ଗୋଟିଏ ଦିନ ବିଳମ୍ବିତ ହୋଇଛି।

Advertisment

ଲଗାଣ ବର୍ଷା ପାଇଁ ସୋମବାର ଚତୁର୍ଥ ଦିନର ଖେଳ ସଂପୂର୍ଣ୍ଣ ଧୋଇ ଯାଇଛି। ଆଜି ଗୋଟିଏ ହେଲେ ବି ବଲ୍ ପଡ଼ି ପାରିନାହିଁ। ତଥାପି ଇଣ୍ଡିଜ୍ ଉପରୁ ବିପଦ ଆଦୌ ଟଳିନି। ୩୯୯ ରନ୍‌ର ପିଛା କରି ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ମାତ୍ର ୧୦ ରନ୍‌ରେ ୨ ୱିକେଟ୍ ହରାଇଥିବା ଇଣ୍ଡିଜ୍‌ର ବଳକା ୮ ୱିକେଟ୍ ନେବାକୁ ଇଂଲଣ୍ଡ ପାଖରେ ପଞ୍ଚମ ଦିନର ପୂରା ଖେଳ ବାକି ରହିଛି। ମଙ୍ଗଳବାରର ସର୍ବାଧିକ ୯୮ ଓଭର ଖେଳ ପର୍ଯ୍ୟନ୍ତ ଅଲଆଉଟ୍ ହେବାରୁ ବର୍ତ୍ତିଲେ ଇଣ୍ଡିଜ୍ ଅସମ୍ଭବକୁ ସମ୍ଭବ କରି ପାରିବ। ଅର୍ଥାତ୍ ଇଂଲଣ୍ଡର ଅଗ୍ନିବର୍ଷୀ ବୋଲିଂକୁ ପ୍ରତିହତ କରି ମ୍ୟାଚ୍‌କୁ ଅମୀମାଂସିତ ରଖି ପାରିବ। ବିଜୟ ସମ୍ଭାବନା ପୂରା ଉଭେଇ ଯାଇ ଥିବାରୁ ଡ୍ର’ ହିଁ ଜାସନ ହୋଲ୍ଡରଙ୍କ ଦଳର ଏକମାତ୍ର ଲକ୍ଷ୍ୟ ଥିବ। ଦଳ କିନ୍ତୁ ଏବେ ବିଜୟ ଲକ୍ଷ୍ୟଠାରୁ ୩୮୯ ରନ୍ ଦୂରରେ ରହିଛି। ଏହି ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍ ଟସ୍ ଜିତି କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେବା ପରେ ପ୍ରଥମ ଦିନରୁ ହିଁ ଇଂଲଣ୍ଡ ଆଧିପତ୍ୟ ବିସ୍ତାର କରିଥିଲା। ଚାରିଟି ଅର୍ଧଶତକ ବଳରେ ଘରୋଇ ଦଳ ତା’ର ପ୍ରଥମ ପାଳିରେ ୩୬୯ ରନ୍ କରିଥିଲା। ଇଣ୍ଡିଜ୍ ବ୍ୟାଟର କିନ୍ତୁ ନିରାଶ କରିଥିଲେ। ଷ୍ଟୁଆର୍ଟ ବ୍ରଡ୍‌ଙ୍କ ଘାତକ ବୋଲିଂକୁ ସମ୍ମୁଖୀନ ହୋଇ ନପାରି ମାତ୍ର ୧୯୭ ରନ୍‌ରେ ସମସ୍ତ ୱିକେଟ୍ ହରାଇଥିଲେ। ଫଳରେ ଇଂଲଣ୍ଡକୁ ୧୭୨ ରନ୍‌ର ଅଗ୍ରଣୀ ମିଳିଥିଲା। ଇଂଲଣ୍ଡ ୨୨୬/୨ରେ ଦ୍ବିତୀୟ ପାଳି ଘୋଷଣା କରିବା ପରେ କଷ୍ଟେମ‌ଷ୍ଟେ ଫଲୋଅନ୍ ଏଡ଼ାଇଥିବା ଇଣ୍ଡିଜ୍ ସମ୍ମୁଖରେ ୩୯୯ ରନ୍‌ର ଅସାଧ୍ୟ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ସୂଚନାଯୋଗ୍ୟ ଯେ ତିନି ଟିକିଆ ଶୃଙ୍ଖଳାରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ବରାବର ସ୍ଥିତିରେ ରହିଛନ୍ତି।

ମାଇଲଖୁଣ୍ଟଠାରୁ ଗୋଟିଏ ୱିକେଟ୍ ଦୂରରେ ବ୍ରଡ୍
ବର୍ଷା ମାଞ୍ଚେଷ୍ଟର ଟେଷ୍ଟ୍‌ର ଚତୁର୍ଥ ଦିନର ଖେଳ ଧୋଇନେବା ପରେ ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡଙ୍କ ୫୦୦ ୱିକେଟ୍‌ ମାଇଲଖୁଣ୍ଟ ଛୁଇଁବା ମଧ୍ୟ ବିଳମ୍ବିତ ହୋଇଛି। ବ୍ରଡ୍ ସଂପ୍ରତି ୪୯୯ ୱିକେଟ୍‌ରେ ଅଛନ୍ତି। ଆଉ ଗୋଟିଏ ୱିକେଟ୍ ନେଲେ ସେ ଇଂଲଣ୍ଡର ଦ୍ବିତୀୟ ଓ ମୋଟ ଉପରେ ସପ୍ତମ ବୋଲର ଭବେ ଟେଷ୍ଟ୍ କ୍ରିକେଟ୍‌ରେ ୫୦୦ ୱିକେଟ୍ ପୂରଣ କରିବେ। ବ୍ରଡ୍ ୪୯୧ ୱିକେଟ୍‌ରେ ଥାଇ ମାଞ୍ଚେଷ୍ଟର ଟେଷ୍ଟ୍‌କୁ ଯାଇଥିଲେ। ପ୍ରଥମ ପାଳିରେ ୱେଷ୍ଟଇଣ୍ଡିଜ୍‌ର ୬ ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରି ୪୯୭ ୱିକେଟ୍‌ରେ ପହଞ୍ଚିଥିଲେ। ସେହିଭଳି ଦ୍ବିତୀୟ ପାଳି‌ରେ ପତନ ହୋଇଥିବା ଇଣ୍ଡିଜ୍‌ର ଦୁଇଟି ଯାକ ୱିକେଟ୍ ନେଇ ୪୯୯ରେ ରହିଥିଲେ। ମଙ୍ଗଳବାର ପଞ୍ଚମ ଦିନରେ ଆଉ ଗୋଟିଏ ୱିକେଟ୍ ନେ‌ଲେ ସେ ସେନ୍ ୱର୍ନ, ମୁଥୟା ମୁରଲୀଧରନ, ଅନିଲ କୁମ୍ବଲେ, ଜେମ୍ସ ଆଣ୍ଡରସନ୍, ଗ୍ଲେନ୍ ମ୍ୟାଗ୍ରା ଓ କର୍ଟନି ୱାଲ୍ସଙ୍କ କ୍ଲବ୍‌ରେ ଯୋଗଦେବେ।