ତ୍ରିଭେନ୍ଦ୍ରମ: ବିଶ୍ବକପ୍‌ ଗ୍ଲାନିକୁ ଦୂର କରିବାକୁ ଭାରତର ଯୁବ ବାହିନୀ ନୂଆ ଆଶା ଦେଇଛନ୍ତି। ପ୍ରଥମ ୩ ଜଣ ବ୍ୟାଟର୍‌ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇ-ପ୍ରସିଦ୍ଧ କୃଷ୍ଣ ମିଳିତ ଭାବେ ୬ ୱିକେଟ୍ ଦଖଲ କରିନେବାରୁ ଭାରତ ରବିବାର ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦କୁ ୪୪ ରନ୍‌ରେ ଜିତି ନେଇଛି। ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ୨୦୮ ରନ୍‌କୁ ପଛରେ ପକାଇଥିବା ଘରୋଇ ଦଳ ରବିବାର ୨୩୫ ରନ୍‌ ସ୍କୋର୍‌ କରିବା ପରେ କଙ୍ଗାରୁ ଦଳକୁ ୧୯୧ ରନ୍‌ରେ ରୋକି ଦେଇଛି। ଏଥି ସହିତ ଭାରତ ୫ ମ୍ୟାଚ୍‌ ଶୃଙ୍ଖଳାରେ ୨-୦ରେ ଆଗୁଆ ହୋଇଛି। ନଭେମ୍ବର ୨୮ରେ ତୃତୀୟ ଟ୍ବେଣ୍ଟି-୨୦ ଗୁଆହାଟୀରେ ଖେଳାଯିବ।

Advertisment

୨୩୬ ରନ୍‌କୁ ପିଛା କରିଥିବା ଅଷ୍ଟ୍ରେଲିଆ ବ‌ିସ୍ଫୋରକ ଆରମ୍ଭ କରିଥିଲେ ମଧ ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇ ଅଷ୍ଟମ ଓଭର ବେଳକୁ ୫୮/୪ରେ ସଂଘର୍ଷ କରିଥିଲା। ମାର୍କସ ଷ୍ଟୋଇନିସ୍ ଓ ଟିମ୍ ଡେଭିଡ୍‌ ୬ ଓଭରରେ ୮୧ ରନ୍‌ ଯୋଡ଼ିଥିଲେ। କିନ୍ତୁ ରବି ବ‌ିଷ୍ଣୋଇ, ପ୍ରସିଦ୍ଧ କୃଷ୍ଣ ଘାତକ ବୋଲିଂ କରି ଅଷ୍ଟ୍ରେଲିଆକୁ ବିଜୟ ଲକ୍ଷ୍ୟରେ ପହଞ୍ଚିବାକୁ ଦେଇ ନଥିଲେ। ଅକ୍ଷର ପଟେଲ୍ (୪-୦-୨୫-୧) ସବୁଠାରୁ ମିତବ୍ୟୟୀ ବୋଲିଂ କରିବା ନିର୍ଣ୍ଣାୟକ ‌ହୋଇଥିଲା। ମୁକେଶ କୁମାର, ଅର୍ଶଦୀପ ସିଂହ ଜଣେ ଲେଖାଏଁ ବ୍ୟାଟର୍‌ଙ୍କୁ ବିଦା କରିବା ଘରୋଇ ଦଳର ପ୍ରତି ବୋଲରଙ୍କୁ ଅନ୍ୟୁନ ୧ ୱିକେଟ୍‌ ସଫଳତା ‌ଦେଇଥିଲା।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପାଇଁ ଯଶସ୍ବୀ ଜୟସ୍ବାଲ ଓ ଋତୁରାଜ ଗାଏକ୍ବାଡ ବଢ଼ିଆ ଆରମ୍ଭ କରିଥିଲେ। ଗାଏକ୍ବାଡ ବଲ୍ ପିଛା ରନ୍‌ ସଂଗ୍ରହ କରୁଥିବା ବେଳେ ଜୟସ୍ବାଲ ମାତ୍ର ୨୪ ବଲ୍‌ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରି ନେଇଥିଲେ। ଏଲିସ୍‌ଙ୍କ ଶିକାର ‌ହୋଇ ଜୟସ୍ବାଲ (୨୫ ବଲ୍‌ରୁ ୫୩ ରନ୍‌) ବିଦାୟ ନେଇଥିଲେ। ଈଶାନ କିଶନ କିନ୍ତୁ ତୁରନ୍ତ ବାଟନ୍ ଧରି ଦଳର ବ‌ିସ୍ଫୋରକ ବ୍ୟାଟିଂ ଆଭିମୁଖ୍ୟକୁ ଜାରି ରଖିଥିଲେ। କିଶନ ୩ ଚୌକା ଓ ୪ ଛକା ବଳରେ ୫୨ ରନ୍‌ କରି ଷ୍ଟୋଇନିସ୍‌ଙ୍କ ବୋଲିଂରେ ଏଲିସ୍‌ଙ୍କୁ କ୍ୟାଚ୍‌ ଦେଇ ଫେରିଥିଲେ। ଗାଏକ୍ବାଡ ୩୯ ବଲ୍‌ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରିଥିଲେ। ଜୟସ୍ବାଲ ଓ କିଶନଙ୍କ ଭଳି ଗାଏକ୍ବାଡ ମଧ୍ୟ ଅର୍ଦ୍ଧଶତକ ହାସଲ ପରେ ଆଉଟ୍ ହୋଇଯାଇଥିଲେ। ଶେଷକୁ ସୂର୍ଯ୍ୟକୁମାର ଯାଦବ (୧୦ ବଲ୍‌ରୁ ୧୯), ରିଙ୍କୁ ସିଂହ (୯ ବଲ୍‌ରୁ ୩୧*) ଓ ତିଳକ ବର୍ମା (୨ ବଲ୍‌ରୁ ୭*) ଭାରତକୁ ୨୩୫ ରନ୍‌ର ଲଢ଼ୁଆ ସ୍କୋର୍‌ ‌ଦେଇଥିଲେ।

ଚତୁର୍ଥ ଥର ପାଇଁ ଏକ ଭାରତ ପାଳିରେ ଶୀର୍ଷ ୩ ଜଣ ଅର୍ଦ୍ଧଶତକ ହାସଲ କରିଥିଲେ। ରବିବାର ଭାରତ ପାୱାର ପ୍ଲେ ୬ ଓଭରରେ ୭୭ ରନ୍‌ ଯୋଡ଼ିଥିବା ବେଳେ ପରବର୍ତ୍ତୀ ୫ ଓଭରରେ ମାତ୍ର ୨୯ ରନ୍‌ ସଂଗ୍ରହ କରିଥିଲା। କିନ୍ତୁ ଶେଷ ୯ ଓଭରରେ ୧୨୯ ରନ୍‌ ସଂଯୋଗ କରିବାରେ ସକ୍ଷମ ହୋଇଥିଲା। ଭାରତର ନୂଆ ଫିନିସର୍ ଭାବେ ଉଭା ‌ହୋଇଥିବା ରିଙ୍କୁ ସିଂହ ଏପର୍ଯ୍ୟନ୍ତ ନିଜ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ଜୀବନରେ ୧୯ ଓ ୨୦ ଓଭରରେ ଥରେ ଆଉଟ୍ ହେବା ସହ ୨୮ ବଲ୍‌ରୁ ୯୩ ରନ୍‌ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ୯ ଚୌକା ଓ ୮ ଛକା ମାରିଛନ୍ତି। ଏହି ଦୁଇ ଓଭରରେ ସେ ମାତ୍ର ୪ଟି ଡଟ୍ ବଲ୍‌ ଖେଳିଛନ୍ତି। ସେହିଭଳି ୨୩୫/୪‌ ସ୍କୋର୍‌ ଭାରତ ପାଇଁ ଚତୁର୍ଥ ସର୍ବୋଚ୍ଚ, ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ବିତୀୟ ସର୍ବୋଚ୍ଚ ହୋଇଛି। ଅଷ୍ଟ୍ରେଲିଆ ବିପକ୍ଷରେ କିନ୍ତୁ ଏହା କୌଣସି ଦଳ ପାଇଁ ଭାରତ ମାଟିରେ ସର୍ବୋଚ୍ଚ ହୋଇଛି।