ପାକ୍‌ ଲଢ଼େଇକୁ ପାଗ ଡର

ବର୍ଷା ବିପଦ: ସକାଳେ ଝିପି ଝିପି, ଅପରାହ୍ନରେ ଅଧିକ

ମାଞ୍ଚେଷ୍ଟର: ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ରବିବାର ଚଳିତ ବିଶ୍ବକପ୍‌ରେ ପ୍ରଥମ ଥର ମୁହାଁମୁହିଁ ହେବେ। ବିଶ୍ବକପ୍‌ରେ କିନ୍ତୁ ଉଭୟ ଦଳ ସପ୍ତମ ଥର ପାଇଁ ପରସ୍ପର ବିପକ୍ଷରେ ଖେଳିବେ। ହେଲେ ପ୍ରଥମ ଥର ପାଇଁ ସମ୍ଭବତଃ କ୍ରିକେଟ୍ ବିଶେଷଜ୍ଞଙ୍କଠାରୁ ଆରମ୍ଭ କରି ଖେଳାଳି ଏବଂ ପ୍ରଶଂସକଙ୍କର ସବୁ ନଜର ପାଗ ଉପରେ ରହିବ। ରବିବାର ମାଞ୍ଚେଷ୍ଟରରେ ବର୍ଷା ହେବାର ପୂର୍ବାନୁମାନ ଥିବାରୁ ଉଭୟ ପାକିସ୍ତାନ ଏବଂ ଭାରତୀୟ କ୍ରିକେଟ୍‌ପ୍ରେମୀ ଦିନରାତି ଇନ୍ଦ୍ର ଦେବତାଙ୍କୁ ଜୁହାର କରୁଛନ୍ତି। ଅନ୍ତତଃ ଗୋଟିଏ ଦିନ ମାଞ୍ଚେଷ୍ଟରରେ ବର୍ଷା ନ କରିବାକୁ ନିବେଦନ କରୁଛନ୍ତି। ରବିବାର ଭାରତ ପାଇଁ ବ୍ୟାଟିଂରେ ବିରାଟ କୋହଲି, ରୋହିତ ଶର୍ମା, ଲୋକେଶ ରାହୁଲ ଏବଂ ବୋଲିଂରେ ଯଶପ୍ରୀତ ବୁମରା, ୟୁଜବେନ୍ଦ୍ର ଚହଲ ଓ ଭୁବନେଶ୍ବର କୁମାରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ। ପାକିସ୍ତାନ ପାଇଁ ବ୍ୟାଟିଂରେ ଫକର ଜମନ, ବାବର ଆଜମ, ଇମାମ-ଉଲ୍-ହକ୍ ଏବଂ ବୋଲିଂରେ ମହମ୍ମଦ ଆମିର, ହାସନ ଅଲ୍ଲୀ ଓ ୱାହାବ ରିଆଜଙ୍କ ପ୍ରଦର୍ଶନ ଗୁରୁତ୍ବ ବହନ କରିବ।

ପିଚ୍ ସିମ୍ ଓ ସୁଇଂକୁ ସୁହାଇବ
ଓଲ୍ଡ ଟ୍ରାଫର୍ଡ ପିଚ୍‌ରେ ବ୍ୟାଟିଂ କରିବା ‌ସେତେ କଷ୍ଟକର ନୁହେଁ। ହେଲେ ଗତ କିଛି ଦିନ ଏଠାରେ ପାଗ କୋହଲା ରହୁଥିବାରୁ ଏବଂ ରବିବାର ବର୍ଷା ହେବାର ପୂର୍ବାନୁମାନ ଥିବାରୁ ବୋଲର ଅଧିକ ଫାଇଦାରେ ରହିବେ। ଆସନ୍ତାକାଲି ବଲ୍ ଘୂରିବା ସହ ଦ୍ରୁତ ବୋଲର ପାଲଟା ସୁଇଂ କରିବା ସହଜ ହେବ। ଏଠାରେ ପାରମ୍ପରିକ ଭାବେ ନୂଆ ବଲ୍‌ ସେତେଟା ଘୂରେନି। ହେଲେ ରବିବାର ଓଲଟା ଫଳ ଦେଖିବାକୁ ମିଳିପାରେ।

ଇଂଲଣ୍ଡରେ ଭାରତ ୩-୨
ଇଂଲଣ୍ଡରେ ଭାରତ ଓ ପାକିସ୍ତାନ ୫ ମ୍ୟାଚ୍‌ରେ ସାମ୍ନାସାମ୍ନି ହୋଇଛନ୍ତି। ସେଥିମଧ୍ୟରେ ଭାରତ ଟିକିଏ ଆଗୁଆ ରହିଛି। ଇଂଲଣ୍ଡରେ ଭାରତ ୩ ମ୍ୟାଚ୍ ଜିତିଥିଲା ‌ବେଳେ ପାକିସ୍ତାନ ଖାତାକୁ ୨ ମ୍ୟାଚ୍ ଯାଇଛି। ଓଲ୍ଡ ଟ୍ରାଫର୍ଡରେ ମଧ୍ୟ ଭାରତ ଭଲ କରିଛି। ଉଭୟ ଦଳ ୨୦ ବର୍ଷ ତଳେ ଅର୍ଥାତ୍ ୧୯୯୯ରେ ଏଠାରେ ଶେଷ ମ୍ୟାଚ୍ ଖେଳିଥିଲେ। ସେହି ମ୍ୟାଚ୍‌କୁ ଭାରତ ଜିତି ନେଇଥିଲା।

ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ଲୋକେଶ ରାହୁଲ, ରୋହିତ ଶର୍ମା, ମହେନ୍ଦ୍ର ସିଂହ ଧୋନି, ହାର୍ଦିକ ପାଣ୍ଡ୍ୟା, କେଦାର ଯାଦବ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ବର କୁମାର, ଯଶପ୍ରୀତ ବୁମରା, କୁଲଦୀପ ଯାଦବ/ମହମ୍ମଦ ସାମି, ବିଜୟ ଶଙ୍କର/ଦୀନେଶ କାର୍ତିକ।

ସମ୍ଭାବ୍ୟ ପାକିସ୍ତାନ: ସର୍ଫରାଜ ଅହମ୍ମଦ (ଅଧିନାୟକ), ଫକର ଜମନ, ଇମାମ-ଉଲ୍-ହକ୍, ବାବର ଆଜମ, ହାସନ ଅଲ୍ଲୀ, ମହମ୍ମଦ ହାଫିଜ, ସାହିନ ଆଫ୍ରିଦି, ୱାହାବ ରିଆଜ, ମହମ୍ମଦ ଆମିର, ସୋଏବ ମଲ୍ଲିକ, ଆସିଫ ଅଲ୍ଲୀ/ଇମଦ ୱାସିମ।

ମାଞ୍ଚେଷ୍ଟରରେ ପାକିସ୍ତାନକୁ ଭାରତ ହରାଇ ସାରିଛି
୧୯୯୯ ବିଶ୍ବକପ୍‌ରେ ମଧ୍ୟ ଭାରତ-ପାକିସ୍ତାନ ମାଞ୍ଚେଷ୍ଟରରେ ମୁହାଁମୁହିଁ ହୋଇଥିଲେ। ସୁପର ସିକ୍ସ ପର୍ଯ୍ୟାୟରେ ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ଖେଳାଯାଇଥିବା ସେହି ମ୍ୟାଚ୍‌ରେ ପାକିସ୍ତାନକୁ ଭାରତ ପରାସ୍ତ କରିଥିଲା।
ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍‌ ଟସ୍‌ ଜିତି ବ୍ୟାଟି˚ କରିଥିଲେ। ଧୀମା ପିଚ୍‌ରେ ସଚିନ୍‌ଙ୍କ ସହ ସଦାଗୋପନ୍‌ ରମେଶ ବ୍ୟାଟି˚ ଆରମ୍ଭ କରିଥିଲେ। ସଚିନ୍‌ ୪୫ ଓ ରମେଶ ୨୦ ରନ୍‌ କରି ଆଉଟ ହେବା ପରେ ମଧ୍ୟକ୍ରମରେ ରାହୁଲ ଦ୍ରାଭିଡ୍‌ ଓ ମହମ୍ମଦ ଆଝାରୁଦ୍ଦିନ୍‌ଙ୍କ ମଧ୍ୟରେ ଅର୍ଧଶତକୀୟ ଭାଗୀଦାରି ହୋଇଥିଲା। ଦ୍ରାଭିଡ୍‌ ୬୧, ଆଝାରୁଦ୍ଦିନ୍‌ ୫୯ ରନ୍‌ ସହାୟତାରେ ଭାରତ ୬ ଵିକେଟ ବିନିମୟରେ ୨୨୭ ରନ୍‌ ସ˚ଗ୍ରହ କରିପାରିଥିଲା। ଵାସିମ୍‌ ଆକ୍ରମ ଓ ଆଝାର ମେହେମୁଦ୍‌ ଦୁଇଟି ଲେଖାଏଁ ଵିକେଟ ପାଇଥିଲେ। କିନ୍ତୁ ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ନିୟମିତ ହାରରେ ଵିକେଟ ହରାଇବାରୁ ପାକିସ୍ତାନ ୧୮୦ ରନ୍‌ରେ ସୀମିତ ରହିଥିଲା। ଇଞ୍ଜାମାମ ଉଲ ହକ୍‌ ସର୍ବାଧିକ ୪୧, ସୟଦ ଅନଵର ୩୬, ମୋଇନ୍‌ ଖାନ୍‌ ୩୪ ରନ୍‌ ଯୋଗ କରିଥିଲେ। ବିଜୟୀ ଦଳର ଭେଙ୍କଟେଶ ପ୍ରସାଦ ୫ ଵିକେଟ ସଫଳତା ପାଇବା ସହ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ। ଦେବାଶିଷ ମହାନ୍ତି ଏହି ମ୍ୟାଚ୍‌ରେ ଖେଳିଥିଲା ବେଳେ ୧୦ ଓଭରରେ ୨ ମେଡେନ୍‌ ସହ ୩୧ ରନ୍‌ ବ୍ୟୟ କରି ପ୍ରଭାବୀ ରହିଥିଲେ।

ଚଳିତ ବିଶ୍ବକପ୍‌ରେ ବର୍ଷା ସମ୍ଭବତଃ ଏକାଦଶ ଦଳ ଭାବେ ଖେଳୁଛି। ମୋଟ ୪୬ ଦିନର ଖେଳ ମଧ୍ୟରୁ ପ୍ରଥମ ୧୭ ଦିନର ଖେଳରେ ହିଁ ୩ ମ୍ୟାଚ୍ ବାତିଲ ‌ହୋଇଛି। ଗୋଟିଏ ମ୍ୟାଚ୍‌ର ଫଳାଫଳ ମିଳିନି। ଶନିବାରର ଆଫଗାନିସ୍ତାନ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ସମେତ ଏକାଧିକ ମୁକାବିଲାରେ ବର୍ଷା ବ୍ୟାଘାତ ହୋଇଛି। ରବିବାର ଭାରତ-ପାକିସ୍ତାନ ମ୍ୟାଚ୍ ମଧ୍ୟ ବର୍ଷା ଦ୍ବାରା ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ପୂର୍ବାନୁମାନ ଅନୁସାରେ ଆସନ୍ତାକାଲି ପୂରା ୫୦ ଓଭରିଆ ମ୍ୟାଚ୍ ଖେଳ ହେବାର ସମ୍ଭାବନା ବହୁତ କମ। ବ୍ରିଟେନ୍ ପାଣିପାଗ ବିଭାଗର ଆକଳନ ଅନୁସାରେ ରବିବାର ସକାଳେ ମାଞ୍ଚେଷ୍ଟରରେ ଝିପି ଝିପି ବର୍ଷା ହୋଇପାରେ। ଏହା ପରେ ସୂର୍ଯ୍ୟ ବାହାରିବେ। ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖରା ରହିବ। ତେବେ ଦ୍ବିତୀୟ ପାଳି ବେଳକୁ ବର୍ଷା ପୁଣି ଥରେ ଫେରିପାରେ। ମାଞ୍ଚେଷ୍ଟରରେ ଅପରାହ୍ନରେ ବର୍ଷା ହେବାର ୫୦ ପ୍ରତିଶତ ସମ୍ଭାବନା ରହିଛି। ସୂଚନାଯୋଗ୍ୟ ଯେ ରବିବାର ମ୍ୟାଚ୍ ସ୍ଥାନୀୟ ସମୟ ୧୦ଟା ୩୦ ଏବଂ ଭାରତୀୟ ସମୟ ଅପରା‌ହ୍ନ ୩ଟାରେ ଆରମ୍ଭ ହେବାର ଅଛି।

ସମ୍ବନ୍ଧିତ ଖବର