ଲଣ୍ଡନ୍: କେନିଙ୍ଗଟନ୍ ଓଭାଲରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟେଷ୍ଟ୍ରେ ଭାରତ ବର୍ଷା ଭିଜା ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ବର୍ଷା ଓ ଖରାପ ପାଗ କାରଣରୁ ବାରମ୍ବାର ଖେଳ ଅଟକିବା ଭିତରେ ଭାରତୀୟ ବ୍ୟାଟର୍ କଡ଼ା ସଂଘର୍ଷ କରିଛନ୍ତି। ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ଭାରତ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୬ ୱିକେଟ୍ ବିନିମୟରେ ୨୦୪ ରନ୍ କରିଥିଲା। ଚଳିତ ଗସ୍ତରେ କରୁଣ ନାୟରଙ୍କ ପ୍ରଥମ ଅର୍ଦ୍ଧଶତକ (୫୨*, ୯୮ ବଲ୍, ୭ ଚୌକା) ଭାରତର ସମ୍ମାନ ରଖିଛି।
ଗୁରୁବାର ଏହି ନିର୍ଣ୍ଣାୟକ ଟେଷ୍ଟ୍ ଆରମ୍ଭ ପୂର୍ବରୁ ହିଁ ବର୍ଷା ଆରମ୍ଭ ହୋଇଯାଇଥିଲା। କିନ୍ତୁ ପଡ଼ିଆକୁ ଠିକଣା ସମୟରେ ପ୍ରସ୍ତୁତ କରାଯିବାରୁ ମ୍ୟାଚ୍ ସାମାନ୍ୟ ବିଳମ୍ବରେ ଆରମ୍ଭ ହୋଇଥିଲା। ୨୩ ଓଭର ବେଳକୁ ପୁଣି ବର୍ଷା ହେବାରୁ ଆଗୁଆ ମଧ୍ୟାହ୍ନ ଭୋଜନ କରିଦିଆଯାଇଥିଲା। ଏହି ସମୟ ଭିତରେ ଭାରତ ଉଭୟ ଓପନର୍ ଯଶସ୍ବୀ ଜୟସ୍ବାଲ (୨) ଓ କେଏଲ୍ ରାହୁଲ (୧୪)ଙ୍କୁ ହରାଇ କରିଥିଲା ୭୨ ରନ୍। ପ୍ରାୟ ୨ ଘଣ୍ଟା ଖେଳ ଅଟକିବା ପରେ ପୁଣି ଆରମ୍ଭ ହୋଇଥିଲା। ତେବେ ୬ ଓଭର ପରେ ପୁଣି ବର୍ଷା ହେବାରୁ ଆଗୁଆ ଚା’ପାନ ବିରତି ହୋଇଥିଲା। ଏହି ଅଧଘଣ୍ଟା ଖେଳ ଭିତରେ ଭାରତ ଅଧିନାୟକ ଶୁବମନ ଗିଲ (୨୧)ଙ୍କୁ ଆତ୍ମଘାତୀ ରନ୍ଆଉଟ୍ ରୂପରେ ହରାଇଥିଲା। ଚା’ପାନ ବିରତି ପରେ ବି ଓଦା ପଡ଼ିଆ ପାଇଁ ଖେଳ ବିଳମ୍ବରେ ଆରମ୍ଭ ହୋଇଥିଲା। ପିଚ୍ ଓ ପାଗରୁ ଫାଇଦା ଉଠାଇ ଇଂଲଣ୍ଡର ଅନଭିଜ୍ଞ ବୋଲିଂ ବାହିନୀ ସାଇ ସୁଦର୍ଶନ (୩୮, ୧୦୮ ବଲ୍) ଏବଂ ରବୀନ୍ଦ୍ର ଜାଡ଼େଜା (୯)ଙ୍କୁ ହରାଇ ଗଭୀର ସଙ୍କଟରେ ପଡ଼ିଛି। ଉଭୟଙ୍କୁ ଜୋସ୍ ଟଙ୍ଗ୍ ନିଜର ଗୋଟିଏ ଓଭର ବ୍ୟବଧାନରେ କଟ୍ ବିହାଇଣ୍ଡ୍ କରାଇ ନେଇଥିଲେ। ଏହି ସମୟରେ ଅପ୍ରତ୍ୟାଶିତ ସୁଯୋଗ ପାଇଥିବା କରୁଣ ନାୟାର ଓ ଧ୍ରୁବ ଜୁରେଲ ପାଳି ଗଢ଼ିବାକୁ ଚେଷ୍ଟା କରିଥିଲେ। ଜୁରେଲଙ୍କୁ ଆଟ୍କିନ୍ସନ୍ ତାଙ୍କ ଦ୍ବିତୀୟ ଶିକାର କରିଥିଲେ।
ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି: ୬୪ ଓଭରରେ ୨୦୪/୬ (କରୁଣ ନାୟର-୫୨*, ସାଇ ସୁଦର୍ଶନ-୩୮, ଶୁବମନ ଗିଲ୍-୨୧, ଧ୍ରୁବ ଜୁରେଲ-୧୯, ୱିସିଂଟନ୍ ସୁନ୍ଦର-୧୯*, ଗସ୍ ଆଟ୍କିନ୍ସନ୍-୨/୩୧, ଜୋସ୍ ଟଙ୍ଗ୍-୨/୪୭, କ୍ରିସ୍ ୱକ୍ସ-୧/୪୬)।
୪୭ ବର୍ଷର ରେକର୍ଡ ଭାଙ୍ଗିଲେ ଗିଲ୍
ଏକ ଚମତ୍କାର ଶୃଙ୍ଖଳା ଖେଳୁଥିବା ଭାରତୀୟ ଅଧିନାୟକ ଶୁବମନ ଗିଲ୍ ଏକ ଆନମନା ରନ୍ଆଉଟ୍ ହୋଇଛନ୍ତି। ରନ୍ ନେବାର କୌଣସି ସୁଯୋଗ ନ ଥିବାବେଳେ ଆଗକୁ ଦୁଇ ତିନି ପାଦ ବଢ଼ିଯିବା ପରେ ଆଉ ଫେରିପାରି ନଥିଲେ। ନିଜେ ବୋଲର ଗସ୍ ଆଟ୍କିନ୍ସନ୍ ଫଲୋ ଥ୍ରୁ’ରୁ ବାମକୁ ଯାଇ ବଲ୍ ସଂଗ୍ରହ କରି ସିଧାସଳଖ ଗିଲ୍ଙ୍କୁ ରନ୍ଆଉଟ୍ କରି ଦେଇଥିଲେ। ୩୫ ବଲ୍ ସମ୍ମୁଖୀନ ହୋଇ ସେ ୨୧ ରନ୍ କରିଥିଲେ। ଏହି ନିରୁତ୍ସାହଜନକ ରନ୍ଆଉଟ୍ ପୂର୍ବରୁ କିନ୍ତୁ ଗିଲ୍ ଏକ ୪୭ ବର୍ଷ ତଳର ରେକର୍ଡକୁ ପଛରେ ପକାଇ ଦେଇଥିଲେ। ଗୋଟିଏ ଶୃଙ୍ଖଳାରେ ଜଣେ ଭାରତୀୟ ଅଧିନାୟକ ଭାବେ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି। ଏବେ ଗିଲ୍ଙ୍କ ମୋଟ ରନ୍ ୭୪୩ ରହିଛି। ପୂର୍ବ ରେକର୍ଡ ସୁନୀଲ ଗାଭାସ୍କରଙ୍କ ନାମରେ ରହିଥିଲା। ଗାଭାସ୍କର ୧୯୭୮-୭୯ ଘରୋଇ ଶୃଙ୍ଖଳାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୭୩୨ ରନ୍ ସଂଗ୍ରହ କରିଥିଲେ। ମୋଟ ଉପରେ କିନ୍ତୁ ଗିଲ୍ ଏବେ ଅଧିନାୟକଙ୍କ ଗୋଟିଏ ଶୃଙ୍ଖଳା ସର୍ବାଧିକ ରନ୍ ତାଲିକାରେ ଚତୁର୍ଥରେ ରହିଛନ୍ତି।
ଗିଲ୍ (୭୪୩)ଙ୍କ ଉପରେ ରହିଛନ୍ତି ଅଷ୍ଟ୍ରେଲିଆର ସାର୍ ଡନ୍ ବ୍ରାଡ୍ମ୍ୟାନ୍ (୮୧୦ ରନ୍) ଏବଂ ଇଂଲଣ୍ଡର ଗ୍ରାହାମ୍ ଗୁଚ୍ (୭୫୨ ରନ୍)। ଅଧିନାୟକ ଭାବେ କିନ୍ତୁ ଗୋଟିଏ ଶୃଙ୍ଖଳାରେ ସର୍ବାଧିକ ଶତକ ହାସଲରେ ସେ ବ୍ରାଡ୍ମ୍ୟାନ୍ ଓ ଗାଭାସ୍କରଙ୍କ ସମକକ୍ଷ ଅଛନ୍ତି। ଏହି ୩ ଜଣ ୪ ଲେଖାଏଁ ଶତକ ମାରିଛନ୍ତି। ଗିଲ୍ଙ୍କ ପ୍ରାଧାନ୍ୟ ସତ୍ତ୍ବେ ଭାରତ ଶୃଙ୍ଖଳାରେ ୧-୨ରେ ପଛୁଆ ରହିଛି। ଶୃଙ୍ଖଳାରେ ଗିଲ୍ଙ୍କ ଅବଦାନ ଭାରତ ପାଇଁ ଏହା ଯଥେଷ୍ଟ ହୋଇ ନଥିଲେ ବି ଏକ ନୂଆ ଅଧ୍ୟାୟ ସଂଯୋଗ କରିଛି। ଅଧିନାୟକ ଭାବେ ଗିଲ୍ ଗୋଟିଏ ଶୃଙ୍ଖଳାରେ ସର୍ବାଧିକ ୭୪୩ ରନ୍ ସଂଗ୍ରହ କରି ଟେଷ୍ଟ୍ କ୍ରିକେଟ୍ରେ ଅଗ୍ରଣୀ ଭାରତୀୟ ହୋଇଥିବା ବେଳେ ଧଳାବଲ୍ରେ ବିରାଟ କୋହଲି ଶୀର୍ଷ ସ୍ଥାନକୁ ସୁରକ୍ଷିତ ରଖିଛନ୍ତି। କୋହଲି ୨୦୧୮ରେ ଦକ୍ଷିଣ ଆଫ୍ରିକା ଦିନିକିଆ ଶୃଙ୍ଖଳାରେ ୫୫୮ ରନ୍ ଏବଂ ୨୦୨୧ ଇଂଲଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ୨୩୧ ରନ୍ ସଂଗ୍ରହ କରିଥିଲେ।