କେପ୍ ଟାଉନ୍: ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳାର ପ୍ରଥମ ଟେଷ୍ଟ୍ର ତୃତୀୟ ଦିନ ବର୍ଷା ଯୋଗୁଁ ଗୋଟିଏ ବି ବଲ୍ ପଡ଼ି ପାରିନି। ରବିବାର କେପ୍ଟାଉନ୍ ପଡ଼ିଆରେ ବଲ୍ ପଡ଼ିବା ପାଇଁ ପାଗ ଅନୁକୂଳ ନହେବାରୁ ଶେଷରେ ଅମ୍ପାୟର ରବିବାରର ଖେଳକୁ ବାତିଲ ଘୋଷଣା କରିଥିଲେ। ଏହା ପରେ ଉଭୟ ଦଳ ହୋଟେଲ୍କୁ ଫେରି ଯାଇଥିଲେ। ଚତୁର୍ଥ ଦିନ ଖେଳ ପୂର୍ବ ନିର୍ଧାରିତ ସମୟ ଅନୁସାରେ ହେବ ଏବଂ ଶେଷ ଦୁଇଦିନ ୯୮ ଓଭର ଲେଖାଏଁ ଖେଳାଯିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ପ୍ରଥମ ପାଳିରେ ଦକ୍ଷିଣ ଆଫ୍ରିକା ୨୮୬ ରନ୍ କରିଥିଲା। ଜବାବରେ ଭାରତ ୯୧ ରନ୍ରେ ୭ ଓ୍ଵିକେଟ୍ ହରାଇ ସଂକଟରେ ପଡ଼ିଥିଲା। ହାର୍ଦିକ ପାଣ୍ଡ୍ୟା (୯୩, ୯୫ ବଲ୍)ଙ୍କ ଅର୍ଧଶତକ ସାଙ୍ଗକୁ ଭୁବନେଶ୍ୱରଙ୍କ ୨୫ ରନ୍ ସହାୟତାରେ ୨୦୯ ରନ୍ କରିିଥିଲା। ୭୭ ରନ୍ର ପାଳି ଅଗ୍ରଣୀ ନେଇଥିବା ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ପାଳିରେ ୨ ଓ୍ଵିକେଟ୍ ହରାଇ ୬୫ ରନ୍ କରିଛି। ଫଳରେ ଦକ୍ଷିଣ ଆଫ୍ରିକା ତୃତୀୟ ଦିନ ସୁଦ୍ଧା ହାତରେ ୮ ଓ୍ଵିକେଟ୍ ସହ ୧୪୨ ରନ୍ ଆଗୁଆ ରହିଛି। ଗୋଟିଏ ଦିନ ସମ୍ପୂର୍ଣ୍ଣ ଧୋଇଯିବା ଫଳରେ ଏବେ ଭାରତ ଏହି ଟେଷ୍ଟ୍ରେ ବର୍ତିବା ସୁଯୋଗ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଆହତ ଦ୍ରୁତ ବୋଲର ଡେଲ୍ ଷ୍ଟେନ୍ ଟେଷ୍ଟ୍ ଶୃଙ୍ଖଳାରୁ ସମ୍ପୂର୍ଣ୍ଣ ବାଦ୍ ପଡ଼ିଛନ୍ତି। ଶନିବାର ସେ ପାଦରେ ଆଘାତ ପାଇ ଅଧାରୁ ପଡ଼ିଆ ଛାଡ଼ିଥିଲେ। କ୍ଷେତ୍ରରକ୍ଷଣ କରିବାକୁ ଆସିନ ଥିବାବେଳେ ତାଙ୍କର ସିଟି ସ୍କାନ୍ କରାଯାଇଥିଲା। ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ପାଳି ଚାଲିଥିବାରୁ ଆବଶ୍ୟକ ପଡ଼ିଲେ ସେ ବ୍ୟାଟିଂ କରିବାକୁ ଆସିବେ ବୋଲି କିନ୍ତୁ ଦଳୀୟ ଶିବିର ପକ୍ଷରୁ କୁହାଯାଇଛି।
ବର୍ଷା ଧୋଇ ନେଲା ତୃତୀୟ ଦିନ ଖେଳ
/sambad/media/post_attachments/wp-content/uploads/2018/01/india-vs-south-africa-test-match_cfacb440-9cf9-11e7-9c3b-8e901839ece0.jpg)