ବେଙ୍ଗାଲୁରୁ: ଗତ ବର୍ଷର ବିଜେତା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ଏଥର ପ୍ଲେ ଅଫ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛି। ଅସ୍ଥିର ପ୍ରଦର୍ଶନ ସାଙ୍ଗକୁ ଦୁଇ ଦୁଇଟି ମ୍ୟାଚ୍‌ ବର୍ଷା ‌ଧୋଇ ନେବା ଅଜିଙ୍କ୍ୟ ରାହାଣେଙ୍କ ଦଳକୁ ଆଗୁଆ ବିଦାୟ ରାସ୍ତା ଦେଖାଇଛି। ଭାରତ-ପାକିସ୍ତାନ ଉତ୍ତେଜନା ପରିସ୍ଥିତି ପରେ ଶନିବାରଠାରୁ ଆଇପିଏଲ୍‌ ପୁଣି ଆରମ୍ଭ ହୋଇଥିଲେ ମଧ୍ୟ ପ୍ରତ୍ୟାବର୍ତ୍ତନର ପ୍ରଥମ ମ୍ୟାଚ୍‌କୁ ବର୍ଷା ଧୋଇ ନେଇଛି। ଫଳରେ କର ବା ମର ସ୍ଥିତିରେ ଥିବା କୋଲକାତା ନାଇଟ୍ ରାଇଡର୍ସ ଆଶା ପାଣିରେ ମିଶିଯାଇଛି। ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌କୁ ବର୍ଷା ‌ଆଦୌ ବାଟ ଛାଡ଼ିନଥିଲା। ଫଳରେ ରାତି ସାଢ଼େ ଦଶଟାରେ ମ୍ୟାଚ୍‌କୁ ସମ୍ପୂର୍ଣ୍ଣ ବାତିଲ ଘୋଷଣା କରିଦିଆଯାଇଥିଲା। ଟେଷ୍ଟ୍ ଅବସର ପରେ ବିରାଟ କୋହଲିଙ୍କ ତାଙ୍କ ଘରୋଇ  ଗ୍ରାଉଣ୍ଡ୍‌ରେ ଦେଖିବାକୁ ଆସିଥିବା ପ୍ରଶଂସକମାନେ ବି ନିରାଶ ‌ହୋଇ ଫେରିଥିଲେ। ଆର୍‌ସିବି କିନ୍ତୁ ଆଉ ଏକ ପଏଣ୍ଟ୍ ଯୋଡ଼ି ଶୀର୍ଷକୁ ଉଠିବା ସହ ପ୍ଲେ ଅଫ୍‌ ପ୍ରବେଶକୁ ନିଶ୍ଚିତ କରିନେଇଥିଲା।

Advertisment

ନୂଆଦିଲ୍ଲୀ: ଇଂଲଣ୍ଡ ଟ୍ବେଣ୍ଟି-୨୦ ତାରକା ଜୋସ୍‌ ବଟ୍‌ଲର୍‌ ଆଇପିଏଲ୍‌ ପ୍ଲେ ଅଫ୍‌ରେ ଖେଳିପାରିବେନି। ଚଳିତ ମାସ ୨୯ ତାରିଖରୁ ଆରମ୍ଭ ହେବାକୁ ଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଧଳାବଲ୍‌ ଶୃଙ୍ଖଳା ଲାଗି ଏହି ଗୁଜରାଟ ଟାଇଟନ୍ସ ତାରକା ଦେଶ ପକ୍ଷରୁ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଶେଷ ୩ ଲିଗ୍‌ ମ୍ୟାଚ୍‌ ଖେଳିବା ପରେ ସେ ସ୍ବଦେଶ ଫେରି‌ଯିବେ। ସଂପ୍ରତି ଗୁଜରାଟ ଦଳ ୧୧ ମ୍ୟାଚ୍‌ରୁ ୧୬ ପଏଣ୍ଟ ପାଇ ଟେବୁଲ ଶୀର୍ଷରେ ରହିଛି। ଏବେ ଦଳ ଶେଷ ୩ ‌ଲିଗ୍‌ ମ୍ୟାଚ୍‌ ଚଳିତ ମାସ ୧୮, ୨୨ ଓ ୨୫ରେ ଯଥାକ୍ରମେ ଦିଲ୍ଲୀ କ୍ୟାପିଟାଲ୍ସ, ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ଓ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଖେଳିବ। ପ୍ଲେ ଅଫ୍‌ରେ ତାଙ୍କ ବଦଳ ଖେଳାଳି ଭାବେ ଶ୍ରୀଲଙ୍କା ‌ବାମହାତୀ କୁଶାଲ ମେଣ୍ଡିସ୍‌ଙ୍କୁ ଗୁଜରାଟ ଦଳରେ ନେବା ସମ୍ଭାବନା ରହିଛି। ଅନ୍ୟ ଇଂଲଣ୍ଡ ଖେଳାଳି ମୋଇନ ଅଲୀ (କୋଲ୍‌କାତା ନାଇଟ୍‌ ରାଇଡର୍ସ), ଜୋଫ୍ରା ଆର୍ଚର (ରାଜସ୍ଥାନ ରୟାଲ୍ସ) ଏବଂ ସାମ କରନ୍‌ ଓ ଜାମି ଓଭରଟନ୍‌ (ଉଭୟ ସିଏସ୍‌କେ) ମଧ୍ୟ ଆଇପିଏଲ୍‌ର ଶେଷ ଭାଗରୁ ଓହରି ଯାଇଛନ୍ତି।