ଖ୍ରୀଷ୍ଟଚର୍ଚ୍ଚ: ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପରେ ପରେ ଖେଳାଯାଇଥିବା ଭାରତ-ନ୍ୟୁଜିଲାଣ୍ଡ୍‌ ସୀମିତ ଓଭର ଶୃଙ୍ଖଳାରେ ବର୍ଷା ହିଁ ବିଜେତା ହୋଇଛି। ମୋଟ ୬ ମ୍ୟାଚ୍‌ (୩ ଟ୍ବେଣ୍ଟି-୨୦ ଓ ୩ ଦିନିକିଆ) ଖେଳାଯିବାକୁ ଯୋଜନା ଥିଲେ ମଧ୍ୟ ନିରଂତର ବର୍ଷା କାରଣରୁ ମାତ୍ର ଦୁଇଟିରୁ ସମ୍ପୂର୍ଣ୍ଣ ଫଳାଫଳ ମିଳିଛି ଏବଂ ଗୋଟିଏ ବର୍ଷା ବାଧା ପରେ ଡିଏଲ୍‌ ପାର୍‌ ସ୍କୋର୍‌ ଭିତ୍ତିରେ ଟାଇ ରହିପାରିଛି। ଆର୍ଥାତ୍ ୩ଟି ମ୍ୟାଚ୍‌ ସମ୍ପୂର୍ଣ୍ଣ ବାତିଲ ହୋଇଛି। ଏଥି ସହିତ ଭାରତ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୧-୦ରେ ଜିତିଥିବା ବେଳେ ଘରୋଇ ନ୍ୟୁଜିଲାଣ୍ଡ୍‌ ଠିକଣା ଭାବେ (୧-୦) ଏହାର ମଧୁର ପ୍ରତିଶୋଧ ନେଇଛି ଦିନିକିଆରେ।

Advertisment

ବୁଧବାର ବର୍ଷା ପାଇଁ ୧୦ ମିନିଟ୍ ବିଳମ୍ବରେ ମ୍ୟାଚ୍‌ ଆରମ୍ଭ ହୋଇଥିବା ବେଳେ ଭାରତ ଦୟନୀୟ ପ୍ରଦର୍ଶନ କରି ୪୭.୩ ଓଭରରେ ମାତ୍ର ୨୧୯ ରନ୍‌ କରି ସମସ୍ତ ୱିକେଟ୍ ହରାଇ ଦେଇଥିଲା। ଶିଖର ଧାୱନ (୨୮), ଶୁବମନ ଗିଲ୍‌ (୧୩), ଦୀପକ ହୁଡ଼ା (୧୨), ଋଷଭ ପନ୍ତ୍ (୧୦), ସୂର୍ଯ୍ୟକୁମାର ଯାଦବ (୬) ବିଫଳ ହୋଇଥିଲେ। ୨୫.୩ ଓଭର ବେଳକୁ ଭାରତ ଅଧା ଖେଳାଳିଙ୍କୁ ହରାଇ ଦେଇଥିଲା। ଶ୍ରେୟସ ଆୟର୍ (୫୯ ବଲରୁ ୪୯ ରନ୍) ଏବଂ ୭ ନମ୍ବର ସ୍ଥାନରେ ବ୍ୟାଟିଂ କରିଥିବା ୱାସିଂଟନ୍ ସୁନ୍ଦର (୬୪ ବଲ୍‌ରୁ ୫୧ ରନ୍‌) କିଛିଟା ସମ୍ମାନ ରଖିବାରୁ ଭାରତ ୨୦୦ ଅତିକ୍ରମ କରିପାରିଥିଲା। ପ୍ରଥମ ଦିନିକିଆରେ ୧୬ ବଲ୍‌ରୁ ୩୭* ରନ୍‌ ସଂଗ୍ରହ କରିଥିବା ସୁନ୍ଦର ବୁଧବାର ନିଜ ପ୍ରଥମ ଦିନିକିଆ ଅନ୍ତର୍ଜାତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ମଧ୍ୟ ଭାରତ ପାଳିର ଏକମାତ୍ର ଅର୍ଦ୍ଧଶତକ ଥିଲା। ନ୍ୟୁଜିଲାଣ୍ଡ୍‌ ପକ୍ଷରୁ ଡାରିଲ୍ ମ‌ିଚେଲ୍ (୩/୨୫) ଏବଂ ଆଦାମ ମିଲନେ (୩/୫୭) ସଫଳ ବୋଲର ଥିବାବେଳେ ଟିମ୍ ସାଉଦି ୨ଟି, ଫର୍ଗୁସନ-ସାଣ୍ଟନର୍‌ ଗୋଟିଏ ଲେଖାଏଁ ୱିକେଟ୍ ଦଖଲ କରିଥିଲେ।

ଜବାବରେ ନ୍ୟୁଜିଲାଣ୍ଡ୍‌ ଦ୍ରୁତ ବ୍ୟାଟିଂ କରି ୧୮ ଓଭରରେ ୧ ୱିକେଟ୍ ହରାଇ ୧୦୪ ରନ୍‌ ସଂଗ୍ରହ କରି ନେଇଥିବା ବେଳେ ବ‌ର୍ଷା ଆଉ ଖେଳ କରାଇ ଦେଇନଥିଲା। ଡିଏଲ୍ ପାର୍‌ ସ୍କୋର୍‌ ଅନୁସାରେ ଘରୋଇ ଦଳ ଢେର ଆଗରେ ଥିଲେ ମଧ୍ୟ ଅନ୍ୟୁନ ୨୦ ଓଭର ବୋଲିଂ ହୋଇନଥିବାରୁ ନ୍ୟୁଜିଲାଣ୍ଡ ବିଜୟରୁ ବଞ୍ଚିତ ହୋଇଥିଲା। କିନ୍ତୁ ଦିନିକିଆ ବିଶ୍ବକପ୍‌ ଉପବିଜେତା କେନ୍‌ ୱିଲିୟମସନ୍‌ଙ୍କ ଦଳ ଏହି ଫର୍ମାଟରେ ପ୍ରାଧାନ୍ୟ ବିସ୍ତାର କରି ଶୃଙ୍ଖଳା ବିଜୟ ସଫଳତା ପାଇଥିଲା। ନ୍ୟୁଜିଲାଣ୍ଡ୍ ପାଳିରେ ଆଲେନ୍ ଫିନ୍ (୫୪ ବଲ୍‌ରୁ ୫୭ ରନ୍‌) ଏବଂ ଡେଭନ୍ କନୱେ (୫୧ ବଲ୍‌ରୁ ୩୮* ରନ୍‌) ଭଲ ବ୍ୟାଟିଂ କରିଥିଲେ। ଭାରତ ପକ୍ଷରୁ ଏକମାତ୍ର ୱିକେଟ୍ ନେଇଥିଲେ ଉମ୍ରାନ ମଲ୍ଲିକ। ଟମ୍ ଲଥାମ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଭାରତୀୟ ଦଳ ଏହା ପରେ ବାଂଲାଦେଶ ଗସ୍ତରେ ଡିସେମ୍ବର ୪ ତାରିଖରୁ ୩ ଦିନିକିଆ ଏବଂ ୨ ଟେଷ୍ଟ ବିଶିଷ୍ଟ ଦୁଇଟି ଶୃଙ୍ଖଳା ଖେଳିବ।