ଦୁବାଇ: ଆସନ୍ତା ୧୯ ତାରିଖରେ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ସହ ଉଦ୍ଘାଟନୀ ମ୍ୟାଚ୍ ଖେଳି ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍)ରେ ଅଭିଯାନ ଆରମ୍ଭ କରିବ ତିନି ଥର ବିଜେତା ତଥା ଗତଥରର ଉପବିଜେତା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)। ଅଭିଜ୍ଞ ଅଲ୍ରାଉଣ୍ଡର ସୁରେଶ ରାଇନା ଏବଂ ସ୍ପିନର ହରଭଜନ ସିଂହ ବ୍ୟକ୍ତିଗତ କାରଣ ଦର୍ଶାଇ ଓହରି ଯାଇଛନ୍ତି। ହେଲେ ରାଇନାଙ୍କ ଅନୁପସ୍ଥିତି ଏଥର ସିଏସ୍କେ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି ବୋଲି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଡିନ୍ ଜୋନ୍ସ। ରାଇନା ଆଇପିଏଲ୍ ଇତିହାସରେ ଶ୍ରେଷ୍ଠ ୫ ରନ୍ ସ୍କୋର୍ଙ୍କ ମଧ୍ୟରେ ଅନ୍ୟତମ। ପୁଣି ସେ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ୍ ସାଙ୍ଗକୁ ସ୍ପିନ୍କୁ ଖୁବ୍ ଭଲ ଭାବେ ଖେଳିପାରନ୍ତି। ସିଏସ୍କେରେ ଅଧିକାଂଶ ଖେଳାଳି ଡାହାଣହାତୀ। ତେଣୁ ବାମହାତୀ ରାଇନାଙ୍କ ଅନୁପସ୍ଥିତି ସିଏସ୍କେକୁ ପ୍ରଭାବିତ କରିପାରେ। ତେଣୁ ରାଇନାଙ୍କ ବଦଳ ଖେଳାଳି ଭାବେ ଜଣେ ବାମହାତୀକୁ ଦଳରେ ସାମିଲ କରିବା ଉଚିତ ବୋଲି ମତ ଦେଇଛନ୍ତି ଜୋନ୍ସ।
‘‘ସଂଗରୋଧରେ ଯୁବ ଖେଳାଳିଙ୍କୁ ଶୃଙ୍ଖଳା ଶିଖାଉଛନ୍ତି ଧୋନି’’
ମହେନ୍ଦ୍ର ସିଂହ ଧୋନି ଜଣେ କ୍ୟାପ୍ଟେନ୍ କୁଲ୍ ଭାବେ ପରିଚିତ। ସେ ଝାଳ ବୁହାନ୍ତିନି। କିନ୍ତୁ ସେ ୧୪ ମାସ ହେଲା କ୍ରିକେଟ୍ ଖେଳିନାହାନ୍ତି। ଚେନ୍ନାଇ ସୁପର କିଙ୍ଗ୍ସର ଏହି ଅଧିନାୟକ ଏବେ ଆଇପିଏଲ୍କୁ ଫେରିଛନ୍ତି। ଏହା ପୂର୍ବରୁ ଚେନ୍ନାଇରେ ଶିବିରରେ ଅଭ୍ୟାସ ଚଳାଇଥିଲେ। କ୍ରିକେଟ୍ରେ ତାଙ୍କର ଯଥେଷ୍ଟ ଶୃଙ୍ଖଳା ଜ୍ଞାନ ରହିଥିବାରୁ ୟୁଏଇରେ ପହଞ୍ଚିବା ପରେ କରୋନା ମହାମାରୀ ଜନିତ ସଂଗରୋଧ ଅବଧି ମଧ୍ୟରେ ସେ ଯୁବ ଖେଳାଳିମାନଙ୍କୁ ଶୃଙ୍ଖଳା ଜ୍ଞାନ ଶିଖାଉଛନ୍ତି। ସେହି ମହାନ୍ ତାରକା ଧୋନିଙ୍କୁ ପ୍ରଶଂସା କରିଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଡିନ୍ ଜୋନ୍ସ। ଆଇପିଏଲ୍ର ଉଦ୍ଘାଟନୀ ମୁକାବିଲା ଉପରେ ଆଲୋଚନାକୁ ନେଇ ଷ୍ଟାର୍ ସ୍ପୋର୍ଟସ୍ର ସଦ୍ୟ ଅଧ୍ୟାୟ ଚାଟ୍ ସୋ’ କ୍ରିକେଟ୍ କନେକ୍ଟେଡ୍ରେ ଏକଥା କହିଛନ୍ତି ଜୋନ୍ସ। ଧୋନି ସବୁବେଳେ ମୋର ଶ୍ରେଷ୍ଠ ୫ ଭାରତୀୟ ଖେଳାଳିଙ୍କ ତାଲିକାରେ ରହିଛନ୍ତି। ସେ ବହୁ ବର୍ଷ ଧରି ଭାରତୀୟ ଦଳକୁ ନେତୃତ୍ବ ଦେଇଥିବା ଏହାର କାରଣ। ଜଣେ ଅଧିନାୟକ ଭାବେ ତାଙ୍କ ଶୈଳୀରେ ସେ ସ୍ବତନ୍ତ୍ର। ତୁମକୁ ଭୁଲ୍ କରାଇବା ପାଇଁ ସେ ଅପେକ୍ଷା କରନ୍ତି ଏବଂ ପରେ ସଫଳ ହୁଅନ୍ତି। ସେ ଯାହା କରିଯାଇଛନ୍ତି ଲୋକମାନେ ତା’କୁ ସବୁବେଳେ ମନେ ରଖିବେ ବୋଲି କହିଛନ୍ତି ଜୋନ୍ସ।