କେକେଆର୍‌ ବିପକ୍ଷରେ ସବୁଠୁ ଅଧିକ ରନ୍‌ ୱାର୍ନରଙ୍କୁ ଟପିଲେ ରାଇନା

ଚେନ୍ନାଇ: ସୁରେଶ ରାଇନା ଆଇପିଏଲ୍‌ରେ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବିପକ୍ଷରେ କୌଣସି ବ୍ୟାଟ୍‌ସମ୍ୟାନ୍‌ ସବୁଠୁ ଅଧିକ ରନ୍‌ କରିବାରେ ରାଇନା ସନ୍‌ରାଇଜର୍ସ ହାଇଦ୍ରବାଦାର ଅଷ୍ଟ୍ରେଲୀୟ ଖେଳାଳି ଡେଭିଡ୍‌ ୱାର୍ନରଙ୍କୁ ଟପି ଯାଇଛନ୍ତି। ଗତ ରବିବାର ଦୀନେଶ କାର୍ତିକଙ୍କ ନେତୃତ୍ବାଧୀନ କେକେଆର୍‌ ବିପକ୍ଷ ମ୍ୟାଚ୍‌ରେ ଦମ୍‌ଦାର ଅର୍ଧଶତକ ଜମାଇବା ପରେ ‌ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ)ର ଭାରତୀୟ ତାରକା ରାଇନାଙ୍କ ମୋଟ ରନ୍‌ ସଂଖ୍ୟା ୮୧୭ରେ ପହଞ୍ଚିଯାଇଛି। ରବିବାର କେକେଆର୍‌ ବିପକ୍ଷ ମ୍ୟାଚ୍‌ରେ ରାଇନା ୪୨ ବଲ୍‌ରୁ ୫୮ ରନ୍‌ କରିଥିଲେ। ଫଳରେ କେକେଆର୍‌ ବିପକ୍ଷରେ ରାଇନା ସବୁଠୁ ଅଧିକ ଆଇପିଏଲ୍‌ ରନ୍‌ କରିବା କ୍ଷେତ୍ରରେ ୱାର୍ନର (୭୬୦ ରନ୍)ଙ୍କୁ ପଛରେ ପକାଇ ଦେଇଛନ୍ତି।
କେବଳ ସେତିକି ନୁହେଁ ରାଇନା ମଧ୍ୟ ଆଇପିଏଲ୍‌ରେ ସର୍ବକାଳୀନ ସର୍ବାଧିକ ରନ୍‌ ସଂଗ୍ରହରେ ଭାରତୀୟ ଦଳର ଅଧିନାୟକ ତଥା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲିଙ୍କ ନିକଟତର ହୋଇଛନ୍ତି। ‌କୋହଲି ଏପର୍ଯ୍ୟନ୍ତ ୧୭୦ ମ୍ୟାଚ୍‌ ଖେଳି ୫୨୧୮ ରନ୍‌ ସଂଗ୍ରହ କରିଛନ୍ତି। ଯାହାକି ଆଇପିଏଲ୍‌ରେ କୌଣସି ବ୍ୟାଟ୍‌ସମ୍ୟାନ୍‌ଙ୍କ ପାଇଁ ସର୍ବାଧିକ କୀର୍ତିମାନ। ରାଇନା ୧୮୪ ମ୍ୟାଚ୍‌ରୁ ୫୧୭୯ ରନ୍‌ ସଂଗ୍ରହ କରିସାରିଥିଲା ବେଳେ ଏବେ କୋହଲିଙ୍କ କୀର୍ତିମାନ ଟପିବା ପାଇଁ ଆଉ ମାତ୍ର ୪୦ ରନ୍‌ ପଛରେ ରହିଛନ୍ତି।

ସମ୍ବନ୍ଧିତ ଖବର