ଆଇପିଏଲ୍‌ରୁ ରାଇନା ଓହରିଗଲେ

ରାଇନାଙ୍କ ପିଉସାଙ୍କୁ ହତ୍ୟା, ପିଉସୀ ଗୁରୁତର

ଦୁବାଇ : ସ୍ବାଧୀନତା ଦିବସରେ ଅଚାନକ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରି ଦେଇଥିବା ପୂର୍ବତନ ଭାରତୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ତଥା ଚେନ୍ନାଇ ସୁପରକିଙ୍ଗ୍ସ (ସିଏ୍‌କେ) ଶନିବାର ଆଉ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତିି ନେଇଛି। ଆଇପିଏଲ୍-୧୩ ଖେଳିବା ଲାଗି ବହୁ ଉତ୍ସାହର ସହ ଦୁବାଇ ଯାଇଥିବା ଉତ୍ତରପ୍ରଦେଶ ତାରକା ସୁରେଶ ରାଇନା ବ୍ୟକ୍ତିଗତ କାରଣ ଦର୍ଶାଇ ସଂପୂର୍ଣ୍ଣ ଲିଗ୍‌ରୁ ଓହରି ଯାଇଛନ୍ତି। ସେ ମଧ୍ୟ ଶନିବାର ଦୁବାଇରୁ ଭାରତ ଫେରି ଆସିଛନ୍ତି। ସିଏସ୍‌କେ ଟ୍ବିଟ୍ କରି ଏହି ବିଷୟରେ ସୂଚନା ଦେବା ପରେ ରାଇନାଙ୍କ ପ୍ରଶଂସକ ପୂରା ନିରାଶ ହୋଇଯାଇଛନ୍ତି। ସେହିଭଳି ତାଙ୍କୁ ନେଇ ନାନା କଳ୍ପନା ଜଳ୍ପନା ବି ପ୍ରକାଶ ପାଇଛି। ତେବେ ପାରିବାରିକ ସମସ୍ୟା ସହ କରୋନା ସଙ୍କଟ ସେ ଓହରିବାର କାରଣ ହୋଇପାରେ ବୋଲି ଆକଳନ କରାଯାଉଛି। ସିଏସ୍‌କେର ମୁଖ୍ୟ କାର୍ଯ୍ୟନିର୍ବାହୀ କେଏସ୍ ବିଶ୍ବନାଥନ ଟ୍ବିଟ୍ କରିଥି‌ଲେ ଯେ ସୁରେଶ ରାଇନା ବ୍ୟକ୍ତିଗତ କାରଣରୁ ସ୍ବଦେଶ ଫେରି ଯାଇଛନ୍ତି ଏବଂ ଆଇପିଏଲ୍ ଲାଗି ଉପଲବ୍ଧ ହେବେ ନାହିଁ। ଖବର ଶୁଣିବା ପରେ ଏହି ଦଳର ଅଷ୍ଟ୍ରେଲୀୟ ଅଲରାଉଣ୍ଡର ସେନ୍ ୱାଟସନ୍ ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ବିଟ୍ କରିଥିଲେ ଯେ ରାଇନା ମୁଁ ଏବେ କେବଳ ତୁମ କଥା ଭାବୁଛି।

ରାଇନାଙ୍କ ପିଉସାଙ୍କୁ ହତ୍ୟା, ପିଉସୀ ଗୁରୁତର
ପଠାନକୋଟ : ବ୍ୟକ୍ତିଗତ କାରଣ ପାଇଁ ରାଇନା ଆଇପିଏଲ୍‌ରୁ ଓହରି ଯାଇଥିବା ‌ସିଏସ୍‌କେ ପକ୍ଷରୁ କୁହାଯାଉଥିଲା ବେଳେ ଅଜଣା ଦୁର୍ବୃତ୍ତଙ୍କ ଆକ୍ରମଣରେ ତାଙ୍କ ପିଉସାଙ୍କ ମୃତ୍ୟୁ ହୋଇଯିବା ଏବଂ ପିଉସୀ ଗୁରୁତର ଭାବେ ଆହତ ହେବା ଏହାର ମୁଖ୍ୟ କାରଣ ହୋଇପାରେ ବୋଲି ବିଶ୍ବାସ କରାଯାଉଛି। ପଠାନକୋଟରେ ରହୁଥିବା ରାଇନାଙ୍କ ପିଉସା ଓ ତାଙ୍କ ପରିବାରର ସଦସ୍ୟ ନିଜ ଘରର ଟେରିସ୍‌ରେ ଶୋଇଥିଲା ବେଳେ କିଛି ଅଜଣା ବ୍ୟକ୍ତି ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ଘଟଣାସ୍ଥଳରେ ହିଁ ରାଇନାଙ୍କ ପିଉସାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଗୁରୁତର ଆହତ ହୋଇଥିବା ପିଉସୀଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି। ଏହି ଭୟଙ୍କର ଓ ଅଭାବନୀୟ ଘଟଣା ପଠାନକୋଟ ଯୋଧପୁର ଅଞ୍ଚଳର ଧରିୟାଲ ଗାଁରେ ଗତ ୧୯ ତାରିଖ ଦିନ ଘଟିଥିଲା। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ ଏପର୍ଯ୍ୟନ୍ତ ଆକ୍ରମଣକାରୀଙ୍କର କୌଣସି ପତ୍ତା ମିଳିନାହିଁ। ରାଇନାଙ୍କ ପିଉସା ଅଶୋକ କୁମାର ପେସାରେ ଜଣେ ଠିକାଦାର ହୋଇଥିଲା ବେଳେ ନିଘୋଡ଼ ନିଦରେ ଶୋଇଥିବାରୁ ପରିବାର ବର୍ଗ ଆକ୍ରମଣକାରୀଙ୍କର କୌଣସି ମୁକାବିଲା କରିପାରିନଥିଲେ।

ସମ୍ବନ୍ଧିତ ଖବର