ଜମ୍ମୁକାଶ୍ମୀର ପିଲାମାନଙ୍କୁ କ୍ରିକେଟ ଶିଖାଇବାକୁ ଚାଁହୁଛନ୍ତି ରାଇନା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେବାର କିଛି ଦିନ ପରେ ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ଜାମ୍ମୁ କାଶ୍ମୀରର କ୍ରିକେଟ୍ କୁ ପ୍ରୋତ୍ସାହିତ କରିବା ପାଇଁ ତାଙ୍କ ସେବା ଦେବାକୁ ପ୍ରସ୍ତାବ ଦେଇଛନ୍ତି। ରାଜ୍ୟର ପିଲାମାନଙ୍କୁ ସେ ସାହାଯ୍ୟ କରିବେ ବୋଲି ରାଇନା କହିଛନ୍ତି। ଜମ୍ମୁକାଶ୍ମୀର ଡିଜିପି ଦିଲବାଗ ସିଂଙ୍କୁ ରାଇନା ଏକ ଚିଠି ଲେଖିଛନ୍ତି। ୩୩ ବର୍ଷୀୟ ରାଇନା ଲେଖିଛନ୍ତି ଯେ ସେ ଖେଳକୁ କିଛି ଫେରାଇବାକୁ ଚାହୁଁଛନ୍ତି। ରାଇନା ନିଜେ ଜଣେ କାଶ୍ମୀରୀ ପଣ୍ଡିତ।

ତାଙ୍କ ପିତା ତ୍ରିଲୋକଚାନ୍ଦ ରାଜ୍ୟର ରଣୱାରୀ ଅଞ୍ଚଳର ହୋଇଥିବାବେଳେ ତାଙ୍କ ମା ହିମାଚଳ ପ୍ରଦେଶ ଧର୍ମଶାଳାର ମୂଳ ବାସିନ୍ଦା। ରାଇନା ଚିଠିରେ ଲେଖିଛନ୍ତି, ‘ମୁଁ ୧୫ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟରେ କଠିନ ପରିଶ୍ରମ କରିଛି | ତେଣୁ ମୁଁ ଏହି ୧୫ ବର୍ଷରେ ଶିଖିଥିବା ଜ୍ଞାନ ଏବଂ ଦକ୍ଷତାକୁ ଆଗାମୀ ପିଢ଼ିକୁ ଦେବାକୁ ଚାହୁଁଛି। ମୋର ଲକ୍ଷ୍ୟ ରହିବ ଯେ ମୁଁ କିଭଳି ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଜମ୍ମୁକାଶ୍ମୀରର ଗ୍ରାମୀଣ ଅଞ୍ଚଳରୁ ଖେଳୁଆଡ଼ ମନୋବୃତ୍ତି ରଖୁଥିବା ଯୁବକମାନଙ୍କୁ ଖୋଜିବି ଓ ସେମାନଙ୍କୁ ମୋର ଅଭିଜ୍ଞତାରୁ କିଛି କୌଶଳ ଶିଖାଇବି | ମୁଁ ପିଲାମାନଙ୍କର ଫିଟନେସ, ଦକ୍ଷତା କୌଶଳକୁ ପରଖିବା ସହ ସେମାନଙ୍କୁ ମାଷ୍ଟର କ୍ଲାସ ମାଧ୍ୟମରେ ଶିକ୍ଷା ପ୍ରଦାନ କରିବି” |

ଉଭୟ ମାନସିକ ଓ ଶାରୀରିକ ଭାବେ ସେମାନଙ୍କୁ କ୍ରିକେଟ ପ୍ରତି ଆକୃଷ୍ଟ କରାଇବାକୁ ଚେଷ୍ଟା କରିବି ବୋଲି ରାଇନା ଚିଠିରେ ଉଲ୍ଲେଖ କରିଛନ୍ତି |

ସମ୍ବନ୍ଧିତ ଖବର