ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ରାଇନାଙ୍କ ସନ୍ନ୍ୟାସ

ଲକ୍ଷ୍ନୌ : ମହେନ୍ଦ୍ର ସିଂହ ଧୋନିଙ୍କ ସହ ତାଙ୍କର ପ୍ରିୟ ସାଥୀ ତଥା ଦୃଢ଼ ସମର୍ଥକ ସୁରେଶ ରାଇନା ମଧ୍ୟ ଶନିବାର ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ଧୋନି ଟ୍ବିଟ୍ କରି ଅବସର ଘୋଷଣା କରିବାର ମାତ୍ର କିଛି ମିନିଟ୍ ପରେ ରାଇନା ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ନିଜ ଅବସର ନେଇ ସୂଚନା ଦେଇଥିଲେ। ରାଇନା ଲେଖିଥିଲେ; ମାହି ତୁମ ସହ ଖେଳିବା ମୋ ପାଇଁ ବହୁତ ଭଲ ଅଭିଜ୍ଞତା ଥିଲା। ମୋ ହୃଦୟ ସେଥିପାଇଁ ଗର୍ବରେ ଫାଟି ପଡ଼ୁଛି। ମୁଁ ତୁମର ଯାତ୍ରାରେ ଯୋଗ ଦେଉଛି। ଧନ୍ୟବାଦ ଭାରତ, ଜୟ ହିନ୍ଦ୍‌।

ଭାରତୀୟ ଦିନିକିଆ ଦଳର ଜଣେ ଦକ୍ଷ ତଥା ସଫଳ ବ୍ୟାଟ୍‌ସମ୍ୟାନ୍ ଭାବେ ସୁନାମ ଅର୍ଜନ କରିଥିବା ରାଇନା ଭାରତ ପକ୍ଷରୁ ୧୮ଟି ଟେଷ୍ଟ୍, ୨୨୬ ଦିନିକିଆ ଓ ୭୮ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଛନ୍ତି। ସେ ଏହି ତିନି ଫର୍ମାଟ୍‌ରୁ ସେ ଯଥାକ୍ରମେ ୭୬୮, ୫୬୧୫ ଓ ୧୬୦୪ ରନ୍ କରିଛନ୍ତି। ଧୋନି ଓ ସେ ମିଳିତ ଭାବେ ଏକଦିବସୀୟ କ୍ରିକେଟ୍‌ରେ ୭୩ ପାଳି ଖେଳି ୩୫୮୫ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ଉଭୟଙ୍କ ହାରାହାରି ହେଉଛି ୫୬.୯୦ ରନ୍। ରାଇନା ଭାରତର ୨୦୧୧ ବିଶ୍ବକପ୍ ଓ ୨୦୧୩ ଚାମ୍ପିଅନ୍ସ ଟ୍ରଫି ବିଜୟରେ ଉଭୟ ପ୍ରମୁଖ ଭୂମିକା ତୁଲାଇଥିଲେ। ତେବେ ଉଭୟ ଧୋନି ଓ ରାଇନା ଅନ୍ତର୍ଜାତୀୟ କ୍ରିକେଟ୍ ଛାଡ଼ିଥିଲେ ମଧ୍ୟ ୟୁଏଇରେ ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ୍-୧୩ରେ ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ଖେଳୁଥିବାର ଦେଖିବାକୁ ମିଳିବେ।

ସମ୍ବନ୍ଧିତ ଖବର