ବେଙ୍ଗାଲୁରୁ: ଶନିବାରଠୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ଆଇପିଏଲ୍‌ ଖେଳାଳି ନିଲାମର ପ୍ରଥମ ଦିନ ପ୍ରମୁଖ ଖେଳାଳିଙ୍କ ମଧ୍ୟରେ ଭାରତର ସୁରେଶ ରାଇନା, ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌, ବାଂଲାଦେଶର ସକିବ୍‌ ଅଲ୍‌ ହାସନ ଏବଂ ନ୍ୟୁଜିଲାଣ୍ଡ୍‌ର ଡେଭିଡ୍‌ ମିଲର ବିକ୍ରି ହୋଇନାହାନ୍ତି। ଏମାନଙ୍କୁ କୌଣସି ବି ଫ୍ରାଞ୍ଚାଇଜ୍‌ କିଣିବା ପାଇଁ ଆଗ୍ରହ ପ୍ରକାଶ କରିନାହାନ୍ତି। ରା‌ଇନା ଆଇପିଏଲ୍‌ର ପ୍ରଥମ ସଂସ୍କରଣରୁ ହିଁ ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ)ର ପ୍ରତିନିଧିତ୍ବ କରିଥିଲେ। କେବଳ ୨୦୧୬ ଓ ୨୦୧୭ରେ ସିଏସ୍‌କେ ବାସନ୍ଦ ହୋଇଥିବାରୁ ରାଇନା ସେହି ଦୁଇ ସଂସ୍କରଣରେ ଗୁଜରାଟ ଲାୟନ୍‌ସ ପକ୍ଷରୁ ଖେଳିବା ପରେ ପୁଣି ସିଏସ୍‌କେକୁ ଫେରିଥିଲେ। ହେଲେ ସିଏସ୍‌କେ ତାଙ୍କ ଏଥର ଛାଡ଼ି ଦେଇଥିଲା। ଅନ୍ୟପକ୍ଷରେ ସ୍ମିଥ୍‌ ୨୦୧୯ ଓ ୨୦୨୦ରେ ରାଜସ୍ଥାନ ରୟାଲ୍‌ସର ନେତୃତ୍ବ ନେଇଥିଲା ବେଳେ ଗତ ୨୦୨୧ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍‌ସର ପ୍ରତିନିଧିତ୍ବ କରିଥିଲେ। ସକିବ୍‌ ଗତ ସଂସ୍କରଣରେ କୋଲ୍‌କାତା ନାଇଟ୍‌ ରାଇଡର୍ସ ଏବଂ ମିଲର ରାଜସ୍ଥାନ ରୟାଲ୍‌ସ ପକ୍ଷରୁ ଖେଳିଥିଲେ।

Advertisment

ଶନିବାରର ଆଇପିଏଲ୍ ନିଲାମ ଉପରେ ଭାରତୀୟ କ୍ରିକେଟ୍ ଦଳର ମଧ୍ୟ ନଜର ରହିଥିଲା। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ପ୍ରସ୍ତୁତ ହେଉଥିବା ଭାରତୀୟ ଖେଳାଳିମାନେ ହୋଟେଲ ରୁମ୍‌ରେ ରହି ନିଲାମ ପ୍ରକ୍ରିୟାର ସିଧା ପ୍ରସାରଣ ଦେଖିଥିଲେ। ଯାହାର ଏକ ଫଟୋଳ ଅଧିନାୟକ ରୋହିତ ଶର୍ମା ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରିଥିଲେ। ତା ତଳେ ସେ ଲେଖିଥିଲେ କାହା ମୁହଁରେ ଚିନ୍ତା ତ ଆଉ କାହା ମୁହଁରେ ହସ। ଫାଟୋଟିରେ ୟୁଝବେନ୍ଦ୍ର ଚହଲ, ଈଶାନ କିଶନ, ଶାର୍ଦୁଳ ଠାକୁର, ଋଷଭ ପନ୍ତ ଏବଂ ସୂର୍ଯ୍ୟକୁମାର ଯାଦବ ପ୍ରମୁଖ ଉତ୍ସୁକତାର ସହ ଟେଲିଭିନ୍ ପରଦାକୁ ଚାହିଁ ରହିଥିବା ଦେଖିବାକୁ ମିଳୁଛି।