ପୂର୍ବତନ ଭାରତୀୟ ଅଲ୍ରାଉଣ୍ଡର୍ ସୁରେଶ ରାଇନା ଖୁବ୍ ଶୀଘ୍ର ଅଭିନୟ ଦୁନିଆରେ ପଦାର୍ପଣ କରିବାକୁ ଯାଉଛନ୍ତି। ଡ୍ରିମ୍ ନାଇଟ୍ ଷ୍ଟୋରିଜ୍ (ଡିଏନ୍ଏସ୍) ପ୍ରଯୋଜିତ ଏକ ତାମିଲ ଚଳଚ୍ଚିତ୍ରରେ ରାଇନା ଅଭିନୟ କରିବାକୁ ଯାଉଥିବା ସୂଚନା ମିଳିଛି। ଚେନ୍ନାଇ ସୁପର୍ କିଙ୍ଗ୍ସ ପ୍ରଶଂସକଙ୍କ ନିକଟରେ ‘ଚିନା ଥାଲ୍ଲା’ ଭାବେ ପରିଚିତ ରାଇନାଙ୍କ ଏକ ଭିଡିଓ ଛାଡ଼ି ଡିଏନ୍ଏସ୍ ଏହି ସୂଚନା ଦେଇଛି। ଏଥିରେ ରାଇନା ଏକ କ୍ରିକେଟ୍ ଷ୍ଟାଡିୟମ୍କୁ ପ୍ରବେଶ କରୁଥିବାବେଳେ ହଜାର ହଜାର ପ୍ରଶଂସକ ତାଙ୍କୁ ଚିୟର୍ କରୁଛନ୍ତି।
ପୂର୍ବରୁ ଏହି ଚଳଚ୍ଚିତ୍ରର ଲୋଗୋକୁ ଅନ୍ୟତମ ସିଏସ୍କେ କ୍ରିକେଟର୍ ଶିବମ ଦୁବେ ଉନ୍ମୋଚନ କରିଥିଲେ। ରାଇନା ଭାରତୀୟ ମଧ୍ୟକ୍ରମ ବ୍ୟାଟିଂର ଅନ୍ୟତମ ଶ୍ରେଷ୍ଠ ଥିବାବେଳେ ଦେଶର ପ୍ରଥମ ଖେଳାଳି ଭାବେ ସମସ୍ତ ୩ ଫର୍ମାଟରେ ଶତକ ମାରିଥିଲେ। ମୋଟ ୩୨୨ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ରାଇନା ୩୨.୮୭ ହାରାହାରି ଓ ୯୨ ଷ୍ଟ୍ରାଇକ୍ ରେଟ୍ରେ ୭,୯୮୮ ରନ୍ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ୭ ଶତକ, ୪୮ ଅର୍ଦ୍ଧଶତକ ରହିଛି। ୨୦୧୧ ଦିନିକିଆ ବିଶ୍ବକପ୍ ବିଜୟୀ ଦଳର ସଦସ୍ୟ ରାଇନା ମଧ୍ୟ ସେହି ସଂସ୍କରଣରେ ତାଙ୍କ ଶ୍ରେଷ୍ଠ ବ୍ୟକ୍ତିଗତ ସ୍କୋର ୧୨୦ ରନ୍ କରିଥିଲେ। ୨୦୧୩ ଆଇସିସି ଚାମ୍ପିଅନ୍ସ ଟ୍ରଫି ବିଜୟୀ ଦଳର ମଧ୍ୟ ସେ ସଦସ୍ୟ ଥିଲେ।