ଦୁବାଇ : ବ୍ୟକ୍ତିଗତ କାରଣ ଦର୍ଶାଇ ଭାରତ ଫେରି ଆସିଥିବା ଚେନ୍ନାଇ ସୁପର୍ କିଙ୍ଗସ ଅଲରାଉଣ୍ଡର୍ ସୁରେଶ ରାଇନା ଖୁବ୍ ଶୀଘ୍ର ଦଳ ସହ ଯୋଗଦେବେ। କିନ୍ତୁ ଫେରିଲେ ବି ୟୁଏଇର ସଂଗରୋଧ ନିୟମ ଏବଂ ଅନ୍ୟାନ୍ୟ କାରଣରୁ ସେ ଆଇପିଏଲ୍ର ଦ୍ବିତୀୟାର୍ଧରେ ଖେଳିବାର ସୁଯୋଗ ପାଇବେ। ପ୍ରଥମାର୍ଧର କିଛି ମ୍ୟାଚ୍ରୁ ସେ ନିଶ୍ଚିତ ବଞ୍ଚିତ ହେବେ ବୋଲି କହିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର୍ ଦୀପ ଦାସଗୁପ୍ତା। ଭାରତ ପାଇଁ ୮ ଟେଷ୍ଟ୍ ଓ ୫ ଦିନିକିଆ ଖେଳିଥିବା ଏହି ପୂର୍ବତନ ୱିକେଟରକ୍ଷକ ବ୍ୟାଟ୍ସମ୍ୟାନ୍ କହିଛନ୍ତି ‘ସିଏସ୍କେ ସୁରେଶ ରାଇନାଙ୍କ ବଦଳ ଖେଳାଳି ଚୟନ କରିନଥିବାରୁ ଏହା ସ୍ପଷ୍ଟ ଯେ ସେ ତୁରନ୍ତ ଦଳ ସହ ସାମିଲ ହେଉଛନ୍ତି। ରାଇନାଙ୍କ ବଦଳ ଖେଳାଳି ସିଏସ୍କେ ବାଛିନଥିବାରୁ ମୁଁ ଆଶ୍ବର୍ଯ୍ୟ ନୁହେଁ। ରାଇନା ଆଇପିଏଲ୍ର ସର୍ବାଧିକ ରନ୍ ସଂଗ୍ରହକାରୀ ବୋଲି ଦାସଗୁପ୍ତା ପ୍ରକାଶ କରିଛନ୍ତି। ରାଇନା ମଧ୍ୟ ନିଜ ମନ ପରିବର୍ତନ କରି ଖୁବ୍ ଶୀଘ୍ର ଦଳ ସହ ସାମିଲ ହେବେ ବୋଲି କହିଛନ୍ତି। ଏପରିକି ମୁଁ ସଙ୍ଗରୋଧରେ ଥିବାବେଳେ ମଧ୍ୟ ତାଲିମ ଚଳାଇଛି ବୋଲି ରାଇନା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଅଫସ୍ପିନର୍ ହରଭଜନ ସିଂହ ଓହରିଯାଇଥିବାରୁ ଅଲରାଉଣ୍ଡର୍ ଜଳଜ ସାକ୍ସେନା ତାଙ୍କ ଉପଯୁକ୍ତ ବିକଳ୍ପ ବୋଲି କହିଥିଲେ ଏହି ବେଙ୍ଗଲ କ୍ରିକେଟର୍।
ପେସରଙ୍କ ଅଭାବ ପାଇଁ ଚିନ୍ତାରେ ଚେନ୍ନାଇ
ଦୁବାଇ : ଆଇପିଏଲ୍-୧୩ର ଉଦ୍ଘାଟନୀ ମ୍ୟାଚ୍ରେ ଲିଗ୍ର ଦୁଇ ଶକ୍ତିଶାଳୀ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମୁହାଁମୁହିଁ ହେବେ। ଏହା ପୂର୍ବରୁ ବାମହାତୀ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ଏବଂ ସ୍ପିନର ହରଭଜନ ସିଂହ ଓହରିବା ସହ ଦଳରେ ଦକ୍ଷ ଦ୍ରୁତ ବୋଲରଙ୍କ ଅଭାବ ଚେନ୍ନାଇ ଚିନ୍ତାକୁ ବଢ଼ାଇଛି। ଚେନ୍ନାଇ ସୁପରକିଙ୍ଗ୍ସ ଦଳରେ ଏଥର ୭ ଜଣ ଦ୍ରୁତ ବୋଲର ଅଛନ୍ତି। ହେଲେ ସେମାନଙ୍କ ମଧରୁ ଅଧିକାଂଶ ଦଳର ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇନାହାନ୍ତି। ଦୀପକ ଚହରଙ୍କ ସହ କିଛି ଯୁବ ଦ୍ରୁତ ବୋଲର କୋଭିଡ୍-୧୯ ସଂକ୍ରମିତ ହୋଇ ଦଳରୁ ଦୂରେଇ ରହିଛନ୍ତି। କଠୋର ଜୈବ ସୁରକ୍ଷିତ ନିୟମ ପାଇଁ ଦଳ ଅଧିକ ନେଟ୍ ବୋଲର ମଧ୍ୟ ସାଙ୍ଗରେ ନେଇପାରିନାହିଁ। ଡ୍ବେନ୍ ବ୍ରଭୋ ଓ ଜୋସ୍ ହାଜେଲଉଡଙ୍କ ଭଳି ବୋଲର କାରବୀୟ ପ୍ରିମିୟର ଲିଗ୍ ଓ ନିଜ ଜାତୀୟ ଦଳର ସେବାରେ ବ୍ୟସ୍ତ ଅଛନ୍ତି। ସାମ୍ କରନ ଦଳରେ ଯୋଗ ଦେଇନଥିଲା ବେଳେ ଲୁଙ୍ଗି ଏନ୍ଗିଡ଼ି ସେପ୍ଟେମ୍ବର ପହିଲାରେ ଦଳରେ ଯୋଗଦେବା ପରେ ଏବେ ବି ସଙ୍ଗରୋଧରେ ରହିଛନ୍ତି। ଦଳର ପ୍ରଶିକ୍ଷଣ ଶିବିରରେ କେବଳ ସାର୍ଦୁଲ ଠାକୁର ଏବଂ କେଏମ୍ ଆସିଫଙ୍କ ଭଳି ବୋଲର ଯୋଗ ଦେଇପାରିଛନ୍ତି। ତେବେ ଉଭୟ ମଧ୍ୟମ ଧରଣର। ଏଣୁ ଏନଗିଡ଼ି ପ୍ରଶିକ୍ଷଣ ଶିବିରରେ ଯୋଗଦେବାକୁ ଦଳର ବ୍ୟାଟ୍ସମ୍ୟାନମାନେ ଅପେକ୍ଷା କରିଛନ୍ତି। ସେ ଆସିଲା ପରେ ଦ୍ରୁତ ବୋଲିଂର କିଛି ଅଭ୍ୟାସ ହୋଇପାରିବ ବୋଲି ସେମାନେ ଆଶା ରଖିଛନ୍ତି। ଅନ୍ୟପକ୍ଷରେ ଲସିଥ ମାଲିଙ୍ଗା ଓହରିବା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବଡ଼ ଧକ୍କା ହୋଇଛି। ତଥାପି ଦଳ ପାଖରେ କେତେକ ପ୍ରତିଭାବାନ ଦ୍ରୁତ ବୋଲର ଥିବାରୁ ଚେନ୍ନାଇଠାରୁ ଏହି ଦଳର ଚିନ୍ତା ଅପେକ୍ଷାକୃତ କମ୍ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/raina.jpg)