ଗଲ୍‌ ଟେଷ୍ଟ୍‌ରେ ବର୍ଷା ବାଧକ: ୱେଷ୍ଟଇଣ୍ଡିଜ୍ ୨୨୪/୯

ଗଲ୍‌: ଶ୍ରୀଲଙ୍କା-ୱେଷ୍ଟଇଣ୍ଡିଜ୍‌ ଗଲ୍‌ ଟେଷ୍ଟ୍‌ରେ ବର୍ଷା ବାଧକ ସାଜିଛି। ଏହି ପ୍ରଥମ ଟେ‌ଷ୍ଟ୍‌ର ମଙ୍ଗଳବାର ତୃତୀୟ ଦିବସ ଖେଳ ବର୍ଷା ଯୋଗୁଁ ପ୍ରାୟ ଦୁଇଟି ଅଧିବେସନ ନଷ୍ଟ ହୋଇଛି। ମଙ୍ଗଳବାର ମାତ୍ର ୩୮ ଓଭର ଖେଳ ସମ୍ଭବ ହୋଇଥିଲା ବେଳେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‌ ଦଳ ପୂର୍ବଦିନ ସ୍କୋର୍‌ରେ ୧୧୧ ରନ୍‌ ଯୋଡ଼ି ୩ଟି ୱିକେଟ୍‌ ହରାଇଛି। ଫଳରେ ଦ୍ବିତୀୟ ଦିବସରେ ୧୧୩/୬ କରିଥିବା ଇଣ୍ଡିଜ୍‌ ଦଳ ବର୍ଷା ଯୋଗୁଁ ଆଗୁଆ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ୨୨୪/୯ କରିଥିଲା। ଆଉ ଦୁଇ ଦିନ ଖେଳ ବାକି ଥିଲା ବେଳେ ଶ୍ରୀଲଙ୍କାର ପ୍ରଥମ ପାଳି ସ୍କୋର୍‌ (୩୮୬)ଠାରୁ ଇଣ୍ଡିଜ୍‌ ୧୬୨ ରନ୍‌ ପଛରେ ରହିଛି। ହାତରେ ଗୋଟିଏ ୱିକେଟ୍‌ ରହିଛି।

ପୂର୍ବଦିନର ଅପରାଜିତ ବ୍ୟାଟର୍‌ କାଇଲ ମେୟର୍ସ ଏବଂ ଜାସନ ହୋଲ୍‌ଡର ବୁଧବାର ଦଳୀୟ ସ୍ଥିତିକୁ ସୁଧରିବାର ଢେର ପ୍ରୟାସ କରିଥିଲେ। ଦୁ‌ହେଁ ସପ୍ତମ ୱିକେଟ୍‌ରେ ୬୩ ରନ୍ ଯୋଡ଼ିଥିଲେ ମଧ୍ୟ ୧୨ ରନ୍‌ ମଧ୍ୟରେ ଉଭୟେ ପାଭିଲିୟନ୍‌ ଫେରିଯାଇଥିଲେ। ମାୟର୍ସଙ୍କୁ ଧନଞ୍ଜୟ ଡି’ ସିଲ୍‌ଭା ଏବଂ ହୋଲ୍‌ଡରଙ୍କୁ ଜୟବିକ୍ରମା ଆଉଟ୍‌ କରି ଶ୍ରୀଲଙ୍କାକୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଥିଲେ। ହେଲେ ଦଶମ ବ୍ୟାଟର୍‌ ଭାବେ କ୍ରିଜ୍‌କୁ ଆସିଥିବା ରାଖିମ କର୍ଣ୍ଣୱାଲଙ୍କ ଉପଯୋଗୀ ୩୯ ରନ୍‌ ସାଙ୍ଗକୁ ୱିକେଟ୍‌ରକ୍ଷକ ଜୋସୁଆ ଦା ସିଲ୍‌ଭାଙ୍କ ସହ ଅଷ୍ଟମ ୱିକେଟ୍‌ରେ ୪୯ ରନ୍‌ର ଭାଗୀଦାରି ହିଁ ଇଣ୍ଡିଜ୍‌କୁ ୨୦୦ ପାରି କରାଇଥିଲା। ୮୦ତମ ଓଭରରେ ହିଁ କର୍ଣ୍ଣୱାଲ ଆଉଟ୍‌ ହେବାମାତ୍ରେ ବର୍ଷାର ପ୍ରକୋପ ଷ୍ଟମ୍ପ୍‌ସ ଅପସାରଣ ପାଇଁ ବାଧ୍ୟ କରିଥିଲା। ପ୍ରବୀଣ ଜୟବୀକ୍ରମା ଓ ରମେଶ ମେଣ୍ଡିସ୍‌ ୩ ଲେଖାଏଁ ୱିକେଟ୍‌ ନେଇଥିଲେ।

ସଂକ୍ଷିପ୍ତ ସ୍କୋର୍‌: ଶ୍ରୀଲଙ୍କା ପ୍ରଥମ ପାଳି ୧୩୩.୫ ଓଭରରେ ୩୮୬ (ଦିମୁତ କରୁଣାରତ୍ନେ-୧୪୭, ଧନଞ୍ଜୟ ଡି’ ସିଲ୍‌ଭା-୬୧, ପଥୁମ ନିଶାଙ୍କ-୫୬, ରସ୍ତନ ଚେଜ୍‌-୫/୪୨, ଜାମି ୱାରିକାନ ୩/୮୭, ସାନନ୍‌ ଗାବ୍ରିଏଲ୍‌-୨/୬୯)। ୱେଷ୍ଟଇଣ୍ଡିଜ୍‌ ପ୍ରଥମ ପାଳି ୮୦ ଓଭରରେ ୨୨୪/୯ (କ୍ରେଗ ବ୍ରାଥୱେଟ୍‌ ୪୧, କାଇଲ ମେୟର୍ସ ୪୫, ରାଖିମ କର୍ଣ୍ଣୱାଲ-୩୯, ଜାସନ ହୋଲ୍‌ଡର-୩୬, ରମେଶ ମେଣ୍ଡିସ ୩/୭୫, ପ୍ରବୀଣ ଜୟବିକ୍ରମା ୩/୩୮)।

ସମ୍ବନ୍ଧିତ ଖବର