ବୀରମହାରାଜପୁର: ଦକ୍ଷିଣ-ପୂର୍ବ ରେଳବାଇ ରାଂଚିକୁ ହରାଇ ୨୩ତମ ସର୍ବଭାରତୀୟ ଲୁତୁରପଙ୍କ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍ ହୋଇଛି ରାୟପୁରର ବି.ବି. ସ୍ପୋଟିଙ୍ଗ। ଛତିଶଗଡ଼ର ରାୟପୁରସ୍ଥିତ ବି.ବି. ସ୍ପୋଟିଙ୍ଗର ଖେଳାଳି ଶଶାଙ୍କ ଚନ୍ଦ୍ରାକରଙ୍କୁ ଦର୍ଶକମାନେ ଟୁର୍ଣ୍ଣାମେଣ୍ଟର ହିରୋ ଭାବରେ ଦେଖିବାକୁ ପାଇଥିଲେ। କାରଣ ଶଶାଙ୍କ ଫାଇନାଲ ମ୍ୟାଚରେ ଶତକ ହାସଲ କରି ନିଜ ଟିମ୍କୁ ବିଜୟ ଦେଇଥିବା ବେଳେ ସେ ଟୁର୍ଣ୍ଣାମେଣ୍ଟର ‘ମ୍ୟାନ୍ ଅଫ୍ ଦ ସିରିଜ’ ପୁରସ୍କାର ପାଇଥିଲେ।
ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ଲୁତୁରପଙ୍କ ଠାରେ ଶନିବାର ଖେଳାଯାଇଥିବା ଫାଇନାଲ ମୁକାବିଲା ଟି-୨୦ ଓ ଟି-୧୦ ଫର୍ମାଟରେ ଖେଳାଯାଇଥିଲା। ରାଂଚି ପ୍ରଥମେ ଟସ୍ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୧୯.୩ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୪୨ ରନ କରିଥିଲା। ସୁରଜ ସର୍ବାଧିକ ୩୬ ରନ ଓ ଧର୍ମେନ୍ଦ୍ର କୁମାର ୨୮ ରନ ଯୋଡ଼ିଥିଲେ। ବିପକ୍ଷ ଦଳ ହମିଦ୍ ରାଜା ଓ ରାଜ୍ ୩-୩ ଓ୍ଵିକେଟ ନେଇଥିଲେ। ଜବାବରେ ରାୟପୁର ଟିମ୍ର ଶଶାଙ୍କ ଚନ୍ଦ୍ରାକରଙ୍କ ବିସ୍ଫୋରକ ଶତକ (୧୧୩ ରନ, ୫୦ ବଲ, ୬ ଚୌକା ଓ ୧୨ ଛକା) ବଳରେ ୧୪.୫ ଓଭରରେ ୩ ଓ୍ଵିକେଟ ହରାଇ ଆବଶ୍ୟକ ରନ୍ (୧୪୩ ରନ) ହାସଲ କରିଥିଲା।
ଫାଇନାଲ ମ୍ୟାଚ୍ର ଦ୍ୱିତୀୟ ଅଧିବେଶନରେ ଟି-୧୦ ମ୍ୟାଚ ଖେଳାଯାଇଥିଲା। ଏଥିରେ ରାଂଚି ନିର୍ଦ୍ଧାରିତ ୧୦ ଓଭରରେ ୭ ଓ୍ଵିକେଟ ହରାଇ ୯୬ ରନ କରିଥିବା ବେଳେ ଜବାବରେ ରାୟପୁର ୯ ଓଭରରେ ୫ ଓ୍ଵିକେଟ ହରାଇ ୯୭ ରନ କରିଥିଲା। ଟି-୧୦ରେ ମଧ୍ୟ ଶଶାଙ୍କଙ୍କ ଜଲଓ୍ଵା ଦେଖିବାକୁ ମିଳିଥିଲା। ଶଶାଙ୍କ ୧୪ଟି ବଲ ଖେଳି ୪୩ ରନ କରିଥିଲେ।
ପ୍ରାଣବନ୍ଧୁ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସମାରୋହରେ କ୍ଲବର ଉପଦେଷ୍ଟା ରାଜଗୋପାଳ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ। ସମାରୋହର ମୁଖ୍ୟ ଅତିଥି ତଥା ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ରାୟପୁର ଟିମ୍ର ଶଶାଙ୍କ ଚନ୍ଦ୍ରାକରଙ୍କୁ ‘ପ୍ଲେୟାର ଅଫ୍ ଦ ମ୍ୟାଚ୍’, ‘ମ୍ୟାନ୍ ଅଫ୍ ଦ ସିରିଜ’ ପୁରସ୍କାର ଦେଇଥିଲେ। ହମିଦ୍ ରାଜାଙ୍କୁ ଶ୍ରେଷ୍ଠ ବୋଲର ଭାବେ ପୁରସ୍କୃତ କରାଯାଇଥିଲା। ଚାମ୍ପିଅନ୍ ଦଳକୁ ଏସ୍ଡିସିଏ, ସୋନପୁର ପ୍ରଦତ୍ତ ଟ୍ରଫି ସହ ନଗଦ ୩୫ ହଜାର ଟଙ୍କା ଓ ୨୨ ହଜାର ଟଙ୍କା ଦିଆଯାଇଥିଲା।
ସମାରୋହରେ ବାଲେଶ୍ୱର ଦୌରାଜଜ ରାମଶଙ୍କର ହୋତା, ଜିଲ୍ଲା ପରିଷଦ ଗାୟତ୍ରୀ ପାଣିଗ୍ରାହୀ, ସ୍ଥାନୀୟ ସରପଂଚ ସୁଜାତା ସାହୁ, ସମିତି ସଭ୍ୟ ଲବ କୁମାର ସାହୁ, ଦୁର୍ଜନତୈଲା ସରପଂଚ ରଂଜିତ ଖେତୀ, ବହଲପଦର ସମିତି ସଭ୍ୟ ପୀତାମ୍ବର ସାହୁ, ସୁବଳୟା ସମିତି ସଭ୍ୟ ରଂଜିତ ରଥ, ତହସିଲଦାର ଲକ୍ଷ୍ମୀ ପ୍ରସାଦ ସାହୁ, ଆଇଆଇସି ହେମନ୍ତ ରାଓ ପ୍ରମୁଖ ଅତିଥି ଥିଲେ।