ଭୁବନେଶ୍ବର: ଓଡ଼ିଶା ଏଫ୍ସି ଗୁରୁବାର ରାଜ୍ ଆଠୱାଲ୍ଙ୍କୁ ନିଜ କ୍ଲବ୍ର ନୂଆ ସଭାପତି ଭାବେ ନିଯୁକ୍ତ କରିଛି। ଗ୍ଲାସ୍ଗୋ ରେଞ୍ଜର୍ସ, କଭେଣ୍ଟ୍ରି ସିଟି ଓ ୱାଟ୍ଫର୍ଡ ଭଳି ବ୍ରିଟିସ୍ କ୍ଲବ୍ ସହ ୨୫ ବର୍ଷ କାର୍ଯ୍ୟ କରିବାର ଅଭିଜ୍ଞତା ରାଜ୍ଙ୍କ ନିକଟରେ ରହିଛି। ଏଥିସହ ସେ ବ୍ରେଣ୍ଡନ୍ ରୋଜର୍ସ, ଗର୍ଡନ ଷ୍ଟ୍ରାଚନ, ସିନ୍ ଡାଇଚି, ଆଲି ମ୍ୟାକ୍କଏଷ୍ଟ, ଗ୍ୟାରି ମ୍ୟାକ୍ଆଲିଷ୍ଟର, ପିଟର ରିଡ୍, ରବ୍ ପେଜ୍ (ଏବର ୱେଲ୍ସ ପ୍ରବନ୍ଧକ) ଏବଂ ନିଜେଲ କ୍ଲଗ୍’ଙ୍କ ଭଳି ପ୍ରମୁଖ ଫୁଟ୍ବଲ୍ ପ୍ରଶିକ୍ଷକଙ୍କ ସହ ମଧ୍ୟ କାମ କରିଥିଲେ। ଏବେ ସେ ଓଡ଼ିଶା ଏଫ୍ସିର ଦାୟିତ୍ବ ନେବେ। ତାଙ୍କ ଉପରେ ଦଳର ପରିଚାଳନା ଏବଂ ବ୍ୟାବସାୟିକ ଦାୟିତ୍ବ ରହିବ। ‘‘ବିଶ୍ବର ବଡ଼ ଏବଂ ଦ୍ରୁତ ଅଭିବୃଦ୍ଧିଶାଳୀ ଅର୍ଥନୀତି ଭାରତରେ ରହିଛି।
ଯଦିଓ ଭାରତରେ କ୍ରିକେଟ୍ର ଲୋକପ୍ରିୟତା ରହିଛି ତଥାପି ୧୦୦ କୋଟିରୁ ଊର୍ଧ୍ବ ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ମଧ୍ୟ ଫୁଟ୍ବଲ୍ ପ୍ରତି ଆଗ୍ରହ ବଢ଼ିବାକୁ ଲାଗିଛି। ଫଳରେ ଏଠାରେ ଫୁଟ୍ବଲ୍ରେ ବଡ଼ ବ୍ୟବସାୟ ସମ୍ଭାବନା ରହିଛି। ତେଣୁ ଓଡ଼ିଶା ଏଫ୍ସିର ବ୍ୟବସାୟ କିଭଳି ବଢ଼ିବ ଏବଂ ପ୍ରତିବର୍ଷ ଅଧିକରୁ ଅଧିକ ଲାଭ ହେବ ତାହା ଉପରେ ଗୁରୁତ୍ବ ଦେବି। ଯେହେତୁ ଭାରତୀୟ ସଂସ୍କୃତି ସହ ଜଡ଼ିତ ଏବଂ ହିନ୍ଦୀ ଭାଷା ଭଲ ଭାବେ ଜାଣିଛି ଏହା ମୋତେ ଦଳ ପାଇଁ ବ୍ୟବସାୟ ସାଥୀ ଯୋଗାଡ଼ କରିବାରେ ସହାୟକ ହେବ।’’ ବୋଲି ରାଜ୍ କହିଛନ୍ତି। ‘‘କ୍ଲବ୍ର ସଭାପତି ଭାବେ ରାଜ୍ଙ୍କୁ ସ୍ବାଗତ କରୁଛୁ। ତାଙ୍କ ପାଖରେ ଅଭିଜ୍ଞତା ସହ ନେତୃତ୍ବ ନେବାର କୌଶଳ ରହିଛି। ଯାହା ଆମକୁ ଫାଇଦା ଦେବ’’ ବୋଲି କ୍ଲବ୍ର ସିଇଓ ରୋହନ ଶର୍ମା କହିଛନ୍ତି।