ଦିଲ୍ଲୀକୁ ଦାବି ରାଜସ୍ଥାନ ଶୀର୍ଷରେ, ବଟଲର୍‌ଙ୍କ ତୃତୀୟ ଶତକ

ମୁମ୍ବାଇ: ଦିଲ୍ଲୀ କ୍ୟାପିଟାଲ୍ସକୁ ୧୫ ରନ୍‌ରେ ପରାସ୍ତ କରି ରାଜସ୍ଥାନ ରୟାଲ୍ସ ପଏଣ୍ଟ ଟେବୁଲ୍‌ର ଶୀର୍ଷକୁ ଉଠିଛି। ଶୁକ୍ରବାର ହାଇସ୍କୋରିଂ ମୁକାବିଲାରେ ରାଜସ୍ଥାନ ୨୨୨ ରନ୍‌ କରିବା ପରେ ଦିଲ୍ଲୀକୁ ୨୦୭ ରନ୍‌ରେ ରୋକି ଦେଇଥିଲା। ଦିଲ୍ଲୀର ପଶ୍ଚାତଧାବନ ବେଳେ ଶେଷ ଓଭରରୁ ଦଳକୁ ୩୬ ରନ୍‌ ଆବଶ୍ୟକ ଥିଲା। ପ୍ରଥମ ୩ ବଲ୍‌କୁ ଛକା ମାରି ରୋଭମ୍ୟାନ୍ ପାୱେଲ୍ ଆଶା ସଞ୍ଚାର କରିଥିଲେ। ତୃତୀୟ ବଲ୍‌ଟି ନୋ ବଲ୍‌ ଥିବା ଦାବି କରି ଦିଲ୍ଲୀ ଖେଳାଳି, ପ୍ରଶିକ୍ଷକ ଓ ଅଧିନାୟକ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା ଏବଂ ପଡ଼ିଆ ଛାଡ଼ିବାର ଧମକ ଦେବା କାରଣରୁ ମ୍ୟାଚ୍‌ ଅଟକିଥିଲା। ଅମ୍ପାୟାର୍‌ କିନ୍ତୁ ଏହାକୁ ବିଚାରକୁ ନ ନେଇ ବୁଝାଇବା ପରେ ଶେଷ ୩ ବଲ୍‌ ପଡ଼ିଥିଲା। ରୋଭମ୍ୟାନ୍ କିନ୍ତୁ ଲୟ ହରାଇ ଦୁଇ ଡଟ୍‌ ସହ ଶେଷ ବଲରେ ଆଉଟ୍ ହୋଇଯାଇଥିଲେ। ଦିଲ୍ଲୀ ପାଳିରେ ଅଧିନାୟକ ଋଷଭ ପନ୍ତ୍ ସର୍ବାଧିକ ୪୪ ରନ୍‌ କରିଥିଲେ। ଉଭୟ ଦଳ ସପ୍ତମ ମ୍ୟାଚ୍‌ ଖେଳିଥିବା ବେଳେ ରାଜସ୍ଥାନ ପଞ୍ଚମ ବିଜୟ ଏବଂ ଦିଲ୍ଳୀ ଚତୁର୍ଥ ପରାଜୟ ବରଣ କରିଥିଲା। ଜୋସ ବଟଲର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ବଟଲର୍‌ଙ୍କ ତୃତୀୟ ଶତକ
ଜୋସ ବଟଲର୍‌ଙ୍କ ଆଉ ଏକ ଶତକ ସହ ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଚଳିତ ଆଇପିଏଲ୍‌ର ସର୍ବାଧିକ ଦଳଗତ ସ୍କୋର୍‌ (୨୨୨/୨) କରିଛି। ଗତ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଶତକ ହାସଲ କରିଥିବା ଇଂଲିସ୍ ବ୍ୟାଟର୍‌ ଜୋସ୍ ବଟଲର୍‌ ଚଳିତ ସଂସ୍କରଣରେ ୭ ପାଳିରୁ ୩ ଶତକ ହାସଲ କରି ଜବରଦସ୍ତ ଫର୍ମରେ ରହିବା ସହ ଅରେଞ୍ଜ୍‌ କ୍ୟାପ୍‌କୁ ଆଉ କିଛି ଦିନ ରଖିବାରେ ନିଶ୍ଚିତ ହୋଇଛନ୍ତି। ୭ ପାଳିରୁ ବଟଲର୍‌ ଏବେ ୪୯୧ ରନ୍‌ ସଂଗ୍ରହ କରି ବ୍ୟାଟିଂ ତାଲିକାର ଶୀର୍ଷରେ ରହିଛନ୍ତି। ଶୁକ୍ରବାର ରାଜସ୍ଥାନକୁ ଦିଲ୍ଲୀ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବା ପରେ ବଟଲର୍‌ ଓ ଦେବଦତ୍ତ ପଡ଼ିକଲ ମନ୍ଥର ଆରମ୍ଭ କରିଥିଲେ ମଧ୍ୟ କ୍ରମେ ବି‌ସ୍ଫୋରକ ରୂପ ନେଇଥିଲେ। ୧୫ ଓଭରରୁ ଏହି ଯୋଡ଼ି ୧୫୫ ରନ୍‌ ଉଠାଇଥିଲେ। ପଡିକଲ୍‌ ୩୫ ବଲରୁ ୫୪ ରନ୍‌ କରିବା ପରେ ଖଲିଲ୍ ଅହମ୍ମଦଙ୍କ ଶିକାର ହୋଇଥିଲେ। ବଟଲର କିନ୍ତୁ ତାଙ୍କ ଶତକ ସ‌ୁଯୋଗ ହାତଛଡ଼ା ହେବାକୁ ଦେଇନଥିଲେ। ପ୍ରଥମ ୫୦ ରନ୍‌ ପାଇଁ ୩୬ ବଲ୍ ଖେଳିଥିଲେ ମଧ୍ୟ ଦ୍ବିତୀୟ ୫୦ ରନ୍‌ ପାଇଁ ମାତ୍ର ୨୧ ବଲ୍‌ ଖେଳିଥିଲେ। ଶେଷକୁ ୬୫ ବଲ୍‌ରୁ ୯ ଲେଖାଏଁ ଚୌକା ଓ ଛକା ମାରି ୧୧୬ ରନ୍‌ କରି ଶେଷ ଓଭରରେ ମୁସ୍ତାଫିଜୁରଙ୍କ ଶିକାର ହୋଇଥିଲେ। ତେବେ ଅଧିନାୟକ ସଞ୍ଜୁ ସାମସନଙ୍କ ୧୯ ବଲ୍‌ ୪୬* ରନ୍‌ କାରଣରୁ ରାଜସ୍ଥା‌ନ ୨୨୨ ରନ୍‌ କରି ନେଇଥିଲା।

ସମ୍ବନ୍ଧିତ ଖବର