ଆଇପିଏଲ : ପଂଜାବକୁ ୬ ଓ୍ବିକେଟରେ ହରାଇଲା ରାଜସ୍ଥାନ

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୨ର ୫୨ତମ ମ୍ୟାଚରେ ପଂଜାବକୁ ୬ ଓ୍ବିକେଟରେ ପରାସ୍ତ କରିଛି ରାଜସ୍ଥାନ ।

ପଂଜାବ ଦ୍ବାରା ରଖାଯାଇଥିବା ୧୯୦ରନର ବିଜୟ ଲକ୍ଷ୍ୟକୁ ରାଜସ୍ଥାନ ୨୦ତମ ଓଭରରେ ୪ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ୬୮, ଜସ ବଟଲର ୩୦, ଦେବଦତ୍ତ ପଡିକଲ ଓ ସିମରନ ହେଟମେୟର ୩୧ରନ ଲେଖାଏଁ କରିଥିଲେ । ପଂଜାବ ପକ୍ଷରୁ ଅର୍ସଦୀପ ସିଂ ୨ଟି ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚରେ ପଂଜାବ କିଙ୍ଗସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦୁଇ ଓପନର ଜନି ବେୟାରଷ୍ଟୋ ଓ ଶିଖର ଧଓ୍ବନ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ଉଭୟ ପ୍ରଥମ ଓ୍ବିକେଟ ଯୋଡ଼ିରେ ୪୭ ରନ ଯୋଗ କରିଥିଲେ । ବେୟାରଷ୍ଟୋ ୫୬ରନ କରିଥିବାବେଳେ ଧଓ୍ବନ ୧୨ରନ କରିଥିଲେ । ଧଓ୍ବନଙ୍କ ପରେ ଆସିଥିବା ଭାନୁକା ରାଜପକ୍ଷେ ୨୭ରନ କରିଥିବାବେଳେ  ଜିତେଶ ଶର୍ମା ଅପରାଜିତ ୩୮ ରନ କରିଥିଲେ । ସେହିପରି ଲିଭିଙ୍ଗଷ୍ଟୋନ ୨୨ରନର ଇନିଂସ ଖେଳିଥିଲେ । ଏହାଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୮୯ ରନ କରିଥିଲା । ରାଜସ୍ଥାନ ପକ୍ଷରୁ ଯୁଜବେନ୍ଦ୍ର ଚହଲ ୩ଟି ଓ୍ବିକେଟ ନେଇଥିବାବେଳେ ଅଶ୍ବୀନ ଓ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

 

 

ସମ୍ବନ୍ଧିତ ଖବର