ରାଜସ୍ଥାନ ଭରିଲା ରୋମାଞ୍ଚ

ମୁମ୍ବାଇ ୭ ଓ୍ଵିକେଟ୍‌ରେ ପରାସ୍ତ

ମୁମ୍ବାଇ: ଠିକଣା ସମୟରେ ଲୟକୁ ଫେରିଛି ରାଜସ୍ଥାନ ରୟାଲ୍ସ। ରବିବାର ରାତିରେ ଖେଳାଯାଇଥିବା ଚଳିତ ଆଇପିଏଲ୍‌ର ୪୭ତମ ମ୍ୟାଚ୍‌ରେ ଗତବର୍ଷ ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ଅତି ସହଜରେ ୭ ଓ୍ଵିକେଟ୍‌ରେ ହରାଇ ରାଜସ୍ଥାନ ତା’ର ପ୍ଲେ ଅଫ୍‌ ଦାବିକୁ ଆହୁରି ମଜବୁତ କରିନେଇଛି। ମୁମ୍ବାଇ ୧୬୯ ରନ୍‌ର ଛୋଟିଆ ବିଜୟ ଲକ୍ଷ୍ୟ ଦେବା ପରେ ରାଜସ୍ଥାନ ଏହାକୁ ୨ ଓଭର ପୂର୍ବରୁ ଏବଂ ମାତ୍ର ୩ ଓ୍ଵିକେଟ୍‌ ହରାଇ ହାସଲ କରି ନେଇଛି। ଲଗାତାର ପଞ୍ଚମ ଅର୍ଧଶତକ ଅର୍ଜନ କରି ଇଂଲିସ୍‌ ତାରକା ଜୋସ୍‌ ବଟଲର (୯୪* ରନ୍‌, ୫୩ ବଲ୍‌, ୯ ଚୌକା, ୫ଛକା) ଆଜି ରାଜସ୍ଥାନକୁ ମହତ୍ୱପୂର୍ଣ୍ଣ ବିଜୟ ଉପହାର ଦେଇଥିଲେ। ଏଥିରେ ତାଙ୍କୁ ଯୁବ ତାରକା ସଞ୍ଜୁ ସାମସନ (୨୬) ଏବଂ ଅଧିନାୟକ ଅଜିଙ୍କ୍ୟ ରାହାଣେ (୩୭) ଉପଯୋଗୀ ସମର୍ଥନ କରିଥିଲେ। ବଟଲରଙ୍କୁ ତାଙ୍କ ବିସ୍ଫୋରକ ପାଳି ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ରାଜସ୍ଥାନ ଦ୍ୱାଦଶ ମ୍ୟାଚ୍‌ରୁ ଷଷ୍ଠ ବିଜୟ ହାସଲ କରିଥିଲା। ଅନ୍ୟପକ୍ଷରେ ମୁମ୍ବାଇ ସପ୍ତମ ପରାଜୟ ବରଣ କରିଥିଲା। ରାଜସ୍ଥାନ ବିଜୟ ପରେ ପ୍ଲେ ଅଫ୍‌ର ଶେଷ ଦୁଇଟି ସ୍ଥାନ ପାଇଁ ପ୍ରତିଦ୍ୱନ୍ଦ୍ୱିତା ତୀବ୍ରତର ହେବାର ଆଶା ବଢ଼ି ଯାଇଛି। ଓ୍ଵାଙ୍ଖଡେ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ରାଜସ୍ଥାନ ଟସ୍‌ ଜିତି ମୁମ୍ବାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ମୁମ୍ବାଇର ପ୍ରାରମ୍ଭିକ ଯୋଡ଼ି ସୂର୍ଯ୍ୟକୁମାର ଯାଦବ ( ୩୮ ରନ୍‌, ୩୧ ବଲ୍‌, ୭ ଚୌକା) ଓ ଏଭିନ ଲୁଇସ୍‌ (୬୦ ରନ୍‌, ୪୨ ବଲ୍‌, ୪ ଚୌକା, ୪ ଛକା) ଭଲ ଆରମ୍ଭ କରିଥିଲେ। ଉଭୟ ପ୍ରଥମ ଓ୍ଵିକେଟରେ ୮୭ ରନ୍‌ ଯୋଡ଼ିଥିଲେ। ହେଲେ ଏକାଦଶ ଓଭରରେ ସୂର୍ଯ୍ୟକୁମାର ଆଉଟ୍‌ ହେବାର ପରବର୍ତୀ ବଲ୍‌ରେ ଅଧିନାୟକ ରୋହିତ ଶର୍ମା ନିଜ ଓ୍ଵିକେଟ୍‌ ଫିଙ୍ଗିଦେବା ପରେ ରାଜସ୍ଥାନ ମ୍ୟାଚ୍‌କୁ ଫେରିଥିଲା। ନିୟମିତ ବ୍ୟବଧାନରେ ଓ୍ଵିକେଟ୍‌ ନେଇ ମୁମ୍ବାଇକୁ ନିର୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ୍‌ ବିନିମୟରେ ୧୬୮ ରନରେ ଅଟକାଇ ଦେଇଥିଲା। ରାଜସ୍ଥାନର ଦୁଇ ବିଦେଶୀ ଅଲରାଉଣ୍ଡର ଜୋଫ୍ରା ଆର୍ଚର ଓ ବେନ୍‌ ଷ୍ଟୋକ୍ସ ମୁମ୍ବାଇ ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲେ। ମୁମ୍ବାଇ ପାଇଁ ଅନ୍ୟମାନଙ୍କ ମଧ୍ୟରେ କେବଳ ହାର୍ଦିକ ପାଣ୍ଡ୍ୟା ୩୬ ରନ୍‌ (୨୧ ବଲ୍‌, ୩ ଚୌକା, ୨ ଛକା) କରିଥିଲେ।

ସଂକ୍ଷିପ୍ତ ସ୍କୋର: ମୁମ୍ବାଇ ୨୦ ଓଭରରେ ୧୬୮/୬ (ଏଭିନ ଲୁଇସ୍‌ ୬୦, ସୂର୍ଯକୁମାର ଯାଦବ ୩୮, ହାର୍ଦିକ ପାଣ୍ଡ୍ୟା ୩୬, ଜୋଫ୍ରା ଆର୍ଚର ୨/୧୬, ବେନ୍‌ ଷ୍ଟୋକ୍ସ ୨/୨୬)। ରାଜସ୍ଥାନ ରୟାଲ୍ସ ୧୮ ଓଭରରେ ୧୭୧/୩ (ଜୋସ୍‌ ବଟଲର ୯୪*, ଅଜିଙ୍କ୍ୟ ରାହାଣେ ୩୭, ସଞ୍ଜୁ ସାମସନ ୨୬, ହାର୍ଦିକ ପାଣ୍ଡ୍ୟା ୨/୫୨)।

ସମ୍ବନ୍ଧିତ ଖବର