ଆଇପିଏଲ୍‌: କୋଲକାତା ନାଇଟ ରାଇଡର୍ସକୁ ୩ ଓ୍ଵିକେଟରେ ପରାସ୍ତ କଲା ରାଜସ୍ଥାନ ରୟାଲସ୍‌

କୋଲକାତା: ଇଣ୍ଡିଆନ୍‌ ପ୍ରିମିୟମ ଲିଗ୍‌ (ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣର ୪୩ ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ୩ ଓ୍ଵିକେଟରେ ପରାସ୍ତ କରିଛି ରାଜସ୍ଥାନ ରୟାଲସ୍‌ । ଦ୍ୱିତୀୟ ପାଳିରେ ରାଜସ୍ଥାନ ୧୭୬ ରନ୍‌ ଲକ୍ଷ୍ୟର ପିଛା କରି ୧୯.୨ ଓଭରରେ ୧୭୭ ରନ୍‌ କରିଛି । ରାଜସ୍ଥାନ ପକ୍ଷରୁ ଯୁବ ତାରକ ରିୟାନ ପରାଗ ୪୭ ରନ୍‌ (୩୧ ବଲ୍‌, ୫ଚଉକା, ୨ଛକା) କରିଥିବା ବେଳେ ଜୋଫର ଆଚର ଦମ୍‌ଦାର ୧୨ ବଲ୍‌ରେ ୨୭ ରନ୍‌ କରିଥିଲେ, ଯାହା ଫଳରେ ରାଜସ୍ଥାନ ଏହି ମ୍ୟାଚ୍‌କୁ ୩ ଓ୍ଵିକେଟରେ ଜିତି ନେଇଛି ।

ପ୍ରଥମ ଇନିଂସରେ ଅଧିନାୟକ ଦିନେଶ କାର୍ତ୍ତିକଙ୍କ ଅର୍ଦ୍ଧଶତକ (ଅପରାଜିତ ୯୭ ରନ, ୫୦ ବଲ, ୭ ଚୌକା, ୯ଛକା) ବଳରେ କୋଲକାତା ନାଇଟ ରାଇଡର୍ସ ୧୭୫ ରନ କରିଥିଲା। କୋଲକାତା ନାଇଟ ରାଇଡର୍ସ ଟସ ହାରିବା ପରେ ପ୍ରଥମେ ବ୍ୟାଟିଂ କରିଥିଲା। ଇଡେନ ଗାର୍ଡେନରେ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ ହରାଇ ୧୭୫ ରନ୍‌ କରିବା ପରେ ରାଜସ୍ଥାନ ରୟାଲସକୁ ୧୭୬ ରନ୍‌ ଟାର୍ଗେଟ ମିଳିଥିଲା।

କୋଲକାତାର ଓପନର କ୍ରିସ୍‌ ଲିନ୍‌ ୩ଟି ବଲ ଖେଳି କୌଣସି ରନ୍‌ କରି ନପାରି ବରୁଣ ଆରୋନଙ୍କ ବଲରେ ପାଭଲିଅନ୍‌ ଫେରିଯିବା ପରେ ଶୁଭମନ ଗିଲ ୧୪ଟି ବଲ ଖେଳି ୧୪ ରନ କରି ବରୁଣ ଆରୋନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ସ୍କୋର ୩୧ ରନରେ ଶୁଭମନ ଗିଲ ଆଉଟ ହୋଇଥିବା ବେଳେ ୪୨ ରନରେ ନୀତିଶ ରାଣା (୨୧ ରନ) କରିଥିଲେ। ସ୍କୋର ୮୦ ରନ୍‌ରେ ୪ର୍ଥ, ୧୧୯ ରନ୍‌ରେ ୫ମ, ୧୩୧ ରନରେ ୬ଷ୍ଠ ଓ୍ଵିକେଟ ହରାଇଥିଲା।

ଶ୍ରେୟସ ଗୋପାଳଙ୍କ ବଲରେ ଆରୋନଙ୍କୁ କ୍ୟାଚ ଦେଇଥିଲେ ନୀତିଶ। ସୁନୀଲ ନାରାୟଣ ୧୧ ରନ କରି ଆଜିଙ୍କ୍ୟ ରାହାଣେ ଓ ରିୟାନ ପରାଗଙ୍କ ଦ୍ୱାରା ରନ୍‌ ଆଉଟ ହୋଇଥିଲେ। ଆନ୍ଦ୍ରେ ରସଲ (୧୪ ରନ) ମଧ୍ୟ ବେଶି ସମୟ କ୍ରିଜରେ ରହିପାରି ନଥିଲେ। ଓସାଏନ ଥୋମାସଙ୍କ ବଲରେ ସେ ଆଉଟ ହୋଇ ପାଭଳିଅନ ଫେରି ଯାଇଥିଲେ। କାର୍ଲୋସ ବ୍ରାଥେଓ୍ଵଟ ୩ଟି ବଲ ଖେଳି ୫ ରନ କରି ଜୟଦେବ ଉନାଦକଟଙ୍କ ବଲରେ ଆଉଟ ହୋଇଥିଲେ।

ସମ୍ବନ୍ଧିତ ଖବର