ଦିଲ୍ଲୀକୁ ୩ ୱିକେଟ୍‌ରେ ହରାଇଲା ରାଜସ୍ଥାନ, ଛକାବିହୀନ ପାଳିରେ ପନ୍ତ୍‌ ରଖିଲେ ସମ୍ମାନ

ମୁମ୍ବାଇ: ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ର ଘାସୁଆ ପିଚ୍‌ରେ ଗୁରୁବାର ଦିଲ୍ଲୀ କ୍ୟାପିଟାଲ୍ସକୁ ରାଜସ୍ଥାନ ରୟାଲ୍ସ ୩ ୱିକେଟ୍‌ରେ ହରାଇ ଦେଇଛି। ଏଥିସହ ରାଜସ୍ଥାନ ଦ୍ବିତୀୟ ମ୍ୟାଚ୍‌ରୁ ପ୍ରଥମ ବିଜୟ ପାଇଛି। ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇକୁ ହରାଇଥିବା ଦିଲ୍ଲୀ ଦ୍ବିତୀୟ ମ୍ୟାଚ୍‌ରୁ ପ୍ରଥମ ପରାଜୟ ବରଣ କରିଛି।

ରାଜସ୍ଥାନ ରୟାଲ୍ସ ବିପକ୍ଷରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରୁ (୩୭/୪) ବାହାରି ଦିଲ୍ଲୀ ୧୪୭ ରନ୍‌ର ଲଢ଼ୁଆ ସ୍କୋର୍‌ ଛିଡ଼ା କରିଥିଲା। ଏହ‌ାକୁ ପଶ୍ଚାତଧାବନ କରି ରାଜସ୍ଥାନ ରୟାଲ୍ସ ମଧ୍ୟ ଅନୁରୂପ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୪୨ ରନ୍‌ରେ ୫ ୱିକେଟ୍ ହରାଇ ଗଭୀର ସଙ୍କଟରେ ପଡ଼ିଥିଲା। ନିର୍ଭରଯୋଗ୍ୟ ଜୋସ୍‌ ବଟଲର୍‌ ଏବଂ ସଞ୍ଜୁ ସାମସନ୍‌ ନିରାଶ କରିଥିଲେ। ପ୍ରଥମ ମ୍ୟାଚ୍‌ ଖେଳିଥିବା ‌ଡେଭିଡ୍ ମିଲର୍‌ ୪୩ ବଲ୍‌ରୁ ୬୨ ରନ୍‌ କରିବାରୁ ରାଜସ୍ଥାନ ପ୍ରତ୍ୟାବର୍ତନ କରିବାର ସୁଯୋଗ ପାଇଥିଲା। ଗତ ମ୍ୟାଚ୍‌ରେ ନିରାଶ କରିଥିବା ଅନ୍ୟତମ ଦକ୍ଷିଣ ଆଫ୍ରିକୀୟ କ୍ରିସ୍‌ ମୋରିସ୍ କିନ୍ତୁ ନିଜ ୧୬.୨୫ କୋଟି ମୂଲ୍ୟକୁ ଯଥାର୍ଥ ସାବ୍ୟସ୍ତ କରି ୧୮ ବଲ୍‌ରୁ ୩୬ ରନ୍‌ (୪ ଛକା) କରି ଦଳକୁ ବିଜୟୀ କରାଇଥିଲେ। ରାହୁଲ ତିୱାତିଆ (୧୯ ରନ୍‌, ୧୭ ବଲ୍) ଏବଂ ଜୟଦେବ ଉନାଦକତ୍ (୧୧*, ୭ ବଲ୍‌) ଉପ‌ଯୋଗୀ ଅବଦାନ ରଖିଥିଲେ। ୧୯ ଓ ୨୦ତମ ଓଭରରେ ଯଥାକ୍ରମେ କାଗିସୋ ରବାଦା ଓ ଟମ୍ କରନ୍‌ଙ୍କୁ ୨ ଲେଖାଏଁ ଛକା ମାରି ମୋରିସ୍‌ ୨ ବଲ୍‌ ପୂର୍ବରୁ ବିଜୟ ମୁଣ୍ଡି ମାରିଥିଲେ।

ଛକାବିହୀନ ପାଳିରେ ପନ୍ତ୍‌ ରଖିଲେ ସମ୍ମାନ
ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ସଞ୍ଜୁ ସାମସନ୍‌ ଟସ୍ ଜିତିବା ପରେ କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାକୁ ଯଥାର୍ଥ ସାବ୍ୟସ୍ତ କରିଥିଲେ ଜୟଦେବ ଉନାଦକତ୍‌। ବେନ୍‌ ଷ୍ଟୋକ୍ସଙ୍କ ବଦଳରେ ସୁଯୋଗ ପାଇଥିବା ଏହି ଅଭିଜ୍ଞ ବାମହାତୀ ଭାରତୀୟ ବୋଲର ନିଜର ପ୍ରଥମ ୩ ଓଭରରେ ୩ ୱିକେଟ୍‌ ଦଖଲ କରିଥିଲେ। ଦିଲ୍ଲୀ ଦଳର ପ୍ରଥମ ୩ ୱିକେଟ୍ ପୃଥ୍ବୀ ସ’ (୨), ଶିଖର ଧାୱନ (୯) ଏବଂ ଅଜିଙ୍କ୍ୟ ରାହାଣେ (୮)ଙ୍କୁ ଆଉଟ୍‌ କରି କ୍ୟାପିଟାଲ୍ସକୁ ଝଟ୍‌କା ପରେ ଝଟ୍‌କା ଦେଇଥିଲେ। ତାଙ୍କ ପ୍ରଥମ ସ୍ପେଲ୍‌ ପରେ ବୋଲିଂ କରିବାକୁ ଆସିଥିବା ବାଂଲାଦେଶୀ ବାମହାତୀ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନ୍ ମଧ୍ୟ ମାର୍କସ ଷ୍ଟୋଇନିସଙ୍କୁ ଆଉଟ୍ କରିଦେବାରୁ ଦିଲ୍ଲୀ ୩୭/୪ରେ ସଂଘର୍ଷ କରିଥିଲା।

ଏହି ସମୟରେ କିନ୍ତୁ ଅଧିନାୟକ ଋଷଭ ପନ୍ତ୍‌ ଏବଂ ଲଳିତ ଯାଦବ ୫.୫ ଓଭରରେ ୫୧ ରନ୍‌ ଯୋଡ଼ି ଦଳକୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଥିଲେ। ପ୍ରତିଆକ୍ରମଣ ଭରା ପାଳି ଖେଳି ପନ୍ତ୍‌ ୩୨ ବଲ୍‌ରୁ ୯ ଚୌକା ସହାୟତାରେ ୫୧ ରନ୍‌ କରିଥିବା ବେଳେ ଲଳିତ ୨୪ ବଲ୍‌ରୁ ୨୦ ରନ୍‌ କରିଥିଲେ। ରିୟାନ ପରାଗଙ୍କ ଥ୍ରୋରେ ପନ୍ତ୍‌ଙ୍କ ରନ୍‌ ଆଉଟ୍‌ ପୁଣି ଦିଲ୍ଲୀକୁ ଅସୁବିଧାରେ ପକାଇଥିଲା। ନିମ୍ନକ୍ରମରେ ଦୁଇ ଇଂଲିସ୍ ଖେଳାଳି ଟମ୍ କରନ୍ ୧୬ ବଲ୍‌ରୁ ୨୧ ରନ୍‌ ଏବଂ କ୍ରିସ୍‌ ୱକ୍ସ ୧୧ ବଲ୍‌ରୁ ୧୫* ରନ୍‌ କରିବାରୁ ଦିଲ୍ଳୀ ସମ୍ମାନଜନକ ୧୪୭ ରନ୍‌ କରି ନେଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ପାଳିର ସବୁଠାରୁ ଉଲ୍ଲେଖନୀୟ ଦିଗଟି ଥିଲା ଏହା ଛକାବିହୀନ ଥିଲା। କେହି ଜଣେ ହେଲେ ବି ଛକା ମାରିପାରିନଥିଲେ। ମୋଟ ୨୦ ଚୌକା ମାରିଥିଲେ କ୍ୟାପିଟାଲ୍ସ ବ୍ୟାଟର୍‌। ଅନ୍ୟତମ ପ୍ରମୁଖ କଥାଟି ଥିଲା ଜୟଦେବ ଉନାଦକତ୍‌ଙ୍କ ପ୍ରଶଂସନୀୟ ବୋଲିଂ ଚିତ୍ର (୪-୦-୧୫-୩)। ସାଥୀ ବାମହାତୀ ବୋଲର ମୁସ୍ତାଫିଜୁର (୪-୦-୨୯-୨) ମଧ୍ୟ ପ୍ରଭାବ ଛାଡ଼ିଥିଲେ।

ସମ୍ବନ୍ଧିତ ଖବର