ଜୟପୁର: ଚଳିତ ଆଇପିଏଲ୍ରେ ଲଗାତାର ଦୁଇ ପରାଜୟ ବରଣ କରିଥିବା ରାଜସ୍ଥାନ ରୟାଲ୍ସ ଗୁରୁବାର ନିଜ ଘରୋଇ ପଡ଼ିଆ ଜୟପୁରରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ବିପକ୍ଷ ମ୍ୟାଚ୍ ଜିତି ଲୟକୁ ଫେରିବା ଲକ୍ଷ୍ୟ ରଖିଛି। କିନ୍ତୁ ପ୍ରଶ୍ନ ଉଠୁଛି ଏହି ଦଳ କ’ଣ ଲଗାତାର ୩ ବିଜୟ ହାସଲ କରିଥିବା ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧୀନ ସିଏସ୍କେର ଏହି ଧାରାରୁ ରୋକିପାରିବ। ଚଳିତ ଋତୁରେ ମଧ୍ୟ ଦୁଇ ବିଜୟ ପାଇ ଲୟରେ ଥିବା ସିଏସ୍କେକୁ ୩ ରନ୍ରେ ହରାଇ ରୟାଲ୍ସ ଏଥିରେ ରୋକ୍ ଲଗାଇଥିଲା। ପୁଣି ଥରେ ରୟାଲ୍ସ ଏହା କରିବାର ସମ୍ଭାବନା ଥିବା ବେଳେ ସିଏସ୍କେ ଏହାର ପ୍ରତିଶୋଧ ଲକ୍ଷ୍ୟରେ ରହିଛି।
ଶୀର୍ଷକ୍ରମ ବ୍ୟାଟର୍ ଋତୁରାଜ ଗାଏକ୍ବାଡ, ଡେଭନ କନୱେ, ଅଜିଙ୍କ୍ୟ ରାହାଣେ ଓ ଶିବମ ଦୁବେ ଅନେକ ଥର ଏକାଠି ସଫଳତା ପାଇବାରୁ ସିଏସ୍କେ ୩ ସହଜ ବିଜୟ ପାଇପାରିଛି। ରୟାଲ୍ସ ନିକଟରେ ବିଶ୍ବସ୍ତରୀୟ ସ୍ପିନର ରହିଛନ୍ତି। ତେଣୁ ଗୁରୁବାର ମ୍ୟାଚ୍ରେ ସିଏସ୍କେ ଶୀର୍ଷ କ୍ରମ ବ୍ୟାଟର୍ମାନଙ୍କ ସହିତ ରୟାଲ୍ସ ସ୍ପିନର୍ଙ୍କ ମୁକାବିଲା ଦେଖିବାକୁ ମିଳିବ। ଚଳିତ ଋତୁରେ କନୱେ ୭ ମ୍ୟାଚ୍ରୁ ୩୧୪ ରନ୍ କରି ଅଗ୍ରଣୀ ସ୍କୋରର୍ ତାଲିକାରେ ଫାଫ୍ ଡୁ ପ୍ଲେସିସ୍ଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସେହିପରି କୋଲ୍କାତା ନାଇଟ୍ ରାଇଡର୍ସ ବିପକ୍ଷ ଗତ ମ୍ୟାଚ୍ରେ ୨୯ ବଲ୍ରୁ ୭୧ ରନ୍ କରିଥିବା ରାହାଣେ ୫ ମ୍ୟାଚ୍ ଖେଳି ୧୯୯.୦୪ ଷ୍ଟ୍ରାଇକ୍ରେଟ୍ରେ ୨୦୯ ରନ୍ କରିଛନ୍ତି।
ସେ ଷ୍ଟ୍ରାଇକରେଟ୍ରେ ଚଳିତ ଋତୁରେ ଅନ୍ୟ ବ୍ୟାଟର୍ଙ୍କଠୁ ଆଗରେ ରହିଛନ୍ତି। ଶୀର୍ଷ କ୍ରମ ବ୍ୟାଟିଂ ବଳରେ ଏହି ମ୍ୟାଚ୍ ଜିତି ସିଏସ୍କେ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଥିଲା। ଅନ୍ୟପକ୍ଷରେ ଲଗାତାର ୨ ପରାଜୟ ପାଇଥିବା ରୟାଲ୍ସ ଗୁରୁବାର ଘରୋଇ ପଡ଼ିଆରେ ଚମତ୍କାର ପ୍ରଦର୍ଶନ କରି ବିଜୟ ଧାରାକୁ ଫେରିବାକୁ ଚାହିଁବ। ତେଣୁ ଏହାର ଶୀର୍ଷକ୍ରମ ବ୍ୟାଟର୍ ଜୋସ ବଟଲର, ଯଶସ୍ବୀ ଜୟସ୍ବାଲ ଓ ଅଧିନାୟକ ସଂଜୁ ସାମସନଙ୍କୁ ଭଲ କରିବାକୁ ପଡ଼ିବ। ପିଚ୍ ସ୍ପିନ୍କୁ ସୁହାଇବାର ସମ୍ଭାବନା ଥିବାରୁ ରବିଚନ୍ଦ୍ରନ ଅଶ୍ବିନ ଓ ୟୁଝବେନ୍ଦ୍ର ଚହଲ ସବୁ କିଛି ଓଲଟ ପାଲଟ କରିପାରିବେ।