ଆଇପିଏଲ୍‌: ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୬୧ ରନ୍‌ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ

ପୁନେ: ଆଇପିଏଲ୍‌ର ପଞ୍ଚମ ମ୍ୟାଚ୍‌ରେ ମଙ୍ଗଳବାର ରାଜସ୍ଥାନ ରୟାଲ୍ସ ଶୋଚନୀୟ ଭାବେ ୬୧ ରନ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଏଥି ସହ ସଞ୍ଜୁ ସାମ୍‌ସନଙ୍କ ଦଳ ଚମତ୍କାର ବିଜୟରୁ ଅଭିଯାନ ଆରମ୍ଭ କରିଛି। ଚଳିତ ଋତୁରେ ପ୍ରଥମ ଥର ପାଇଁ ପ୍ରଥମେ ବ୍ୟାଟିଂ କରିଥିବା ଏକ ଦଳ ବିଜୟୀ ହୋଇଛି।
ସନ୍‌ରାଇଜର୍ସ ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିବା ବେଳେ ରାଜସ୍ଥାନ ରୟାଲ୍ସ ପାଇଁ ଏହାର ଶୀର୍ଷ ୫ ଜଣ ବ୍ୟାଟର୍‌ ବି‌‌ସ୍ଫୋରକ ବ୍ୟାଟିଂ କରିଥିଲେ। ଜୋସ୍ ବଟଲର୍‌, ଯଶସ୍ବୀ ଜୟସ୍ବାଲ, ସଞ୍ଜୁ ସାମସନ୍‌, ଦେବଦତ୍ତ ପଡିକଲ, ସିମ୍ରନ୍ ହେଟମାୟର ଦଳର ରନ୍‌ ଗତିକୁ ସବୁବେଳେ ୧୦ ଉପରେ ରଖିଥିଲେ। ବଟଲର୍‌ଙ୍କ ବଢ଼ିଆ ଆରମ୍ଭ ଏବଂ ହେଟମାୟରଙ୍କ ଚମତ୍କାର ସମାପ୍ତି ଭିତରେ ଅଧିନାୟକ ସଞ୍ଜୁ ସାମସନ୍ କିନ୍ତୁ ପାଳିର ଏକାମାତ୍ର ଅର୍ଦ୍ଧଶତକ ହ‌ାସଲ କରିଥିଲେ। ୨୭ ବଲ୍‌ରୁ ୩ ଚୌକା ଓ ୫ ଛକା ସହ ୫୫ ରନ୍‌ କରିଥିଲେ। ପ୍ରଥମ ସଂସ୍କରଣ ବିଜେତା ରାଜସ୍ଥାନ ରୟାଲ୍ସ ୨୧୦ ରନ୍‌ କରିଥିଲା। ହାଇଦ୍ରାବାଦ ପକ୍ଷରୁ ଦୁଇ ତାମିଲ ବୋଲର୍‌ ୱାସିଂଟନ୍ ସୁନ୍ଦର ଏବଂ ଟି ନଟରାଜନ ମହଙ୍ଗା ବୋଲିଂ କରି ଯଥାକ୍ରମେ ୪୭ ଓ ୪୩ ରନ୍‌ ବ୍ୟୟ କରିଥ‌ିଲେ। କଶ୍ମିରର ଯୁବ ବୋଲର ଉମ୍ରନ ମଲ୍ଲିକ ଓ ନଟରାଜନ ୨-୨ ଲେଖାଏଁ ୱି‌କେଟ୍ ନେଇଥିଲେ।

ଜବାବରେ ସନ୍‌ରାଇଜର୍ସ ହାଇଦ୍ରାବାଦ ପ୍ରଥମରୁ ହିଁ ଅଡୁଆରେ ପଡ଼ିଥିଲା। ଟ୍ରେଣ୍ଟ୍ ବୋଲ୍ଟ ଏବଂ ପ୍ରସିଦ୍ଧ କୃଷ୍ଣଙ୍କୁ ମୁକାବିଲା କରିନପାରି ହାଇଦ୍ରାବାଦ ପାୱାର ପ୍ଲେ ୬ ଓଭର ବେଳକୁ ୧୪/୩ରେ ସଂଘର୍ଷ କରିଥିଲା। ଏଥି ସହିତ ମଧ୍ୟ ହାଇଦ୍ରାବାଦ ଆଇପିଏଲ୍‌ ଇତିହାସରେ ସର୍ବନିମ୍ନ ପାୱାର ପ୍ଲେ ସ୍କୋର୍‌ର ସମକକ୍ଷ ହୋଇଥିଲା। ୨୦୦୯ରେ କେପ୍‌ ଟାଉନ୍‌ରେ ଆର୍‌ସିବି ବିପକ୍ଷରେ ରାଜସ୍ଥାନ ରୟାଲ୍ସ ୧୪/୨ରେ ଅଟକିଥିଲା। ମଙ୍ଗଳବାର ହାଇଦ୍ରାବାଦ ପାଳିକୁ ଶେଷ ଭାଗରେ ଏଦୈନ ମର୍କରାମ (୫୭*), ରୋମାରିଓ ସେଫର୍ଡ (୨୪) ଏବଂ ୱାସିଂଟନ୍‌ ସୁନ୍ଦର (୪୦) କିଛିଟା ରାହା ‌ଦେଇଥିଲେ କିନ୍ତୁ ମ୍ୟାଚ୍‌ ହାତରୁ ଖସିଯିବା ପରେ। ଏହି ୩ ଜଣ ହିଁ ଦଳ ପାଇଁ ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍‌ କରିଥିଲେ। କୁଲଟର୍ ନାଇଲଙ୍କ ଗୋଟିଏ ଓଭରରୁ ୱାସିଂଟନ୍ ସୁନ୍ଦର (୬, ୪, ୪, ୨, ୪, ୪) ୨୪ ରନ୍‌ ଆଦାୟ କରିବା ଉଲ୍ଲେଖନୀୟ ଥିଲା। ମର୍କରାମ ନିଜ ପ୍ରଥମ ଆଇପିଏଲ୍‌ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ତାଙ୍କ ଦଳ ପରାଜୟ ପାର୍ଶ୍ବରେ ରହିଥିଲା। ପ୍ରସିଦ୍ଧ କୃଷ୍ଣ, ଟ୍ରେଣ୍ଟ୍‌ ବୋଲ୍ଟ ଏବଂ ୟୁଝବେନ୍ଦ୍ର ଚହଲ ମିଳିତ ଭାବେ ୧୨ ଓଭରରେ ୬୧ ରନ୍‌ ଦେଇ ୭ ୱିକେଟ୍ ବାଣ୍ଟିନେଇ ହାଇଦ୍ରାବାଦକୁ ୧୪୯/୭ରେ ରୋକିଥିଲେ। ପ୍ରସିଦ୍ଧ କୃଷ୍ଣ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର