ଆଇପିଏଲ୍ : ୩ ଉଇକେଟରେ ଦିଲ୍ଲୀକୁ ହରାଇ ପ୍ରଥମ ବିଜୟ ପାଇଲା ରାଜସ୍ଥାନ୍

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଚଳିତ ଆଇପିଏଲର ୭ମ ମ୍ୟାଚରେ ଗୁରୁବାର ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୩ ଉଇକେଟରେ ପରାସ୍ତ କରିଛି। ଡେଭିଡ୍ ମିଲରଙ୍କ ୬୨(୪୩) ରନ୍ ଏବଂ କ୍ରିସ ମୋରିସଙ୍କ ଧମାକାଦାର ୩୬ (୧୮) ରନ୍ ବଳରେ ୧୪୮ ରନର ବିଜୟ ଲକ୍ଷ୍ୟକୁ ହାସଲ କରିବାରେ ସକ୍ଷମ ହୋଇଛି ରାଜସ୍ଥାନ। ମ୍ୟାଚ ଜିତିବାକୁ  ଦଳ ୩ ବଲରେ ୪ ରନ ଆବଶ୍ୟକ କରୁଥିବା ବେଳେ ଆଇପିଏଲ୍ ସବୁଠାରୁ ଦାମୀ ଖେଳାଳି ମୋରିସ୍ ଏକ ବଡ଼ ଛକ୍କା ମାରି ଦଳକୁ ବିଜୟ ଦେଇଥିଲେ। ଏହି ବିଜୟ ବଳରେ ରାଜସ୍ଥାନ ଦୁଇ ପଏଣ୍ଟ ପାଇ ପଏଣ୍ଟ ଟେବୁଲକୁ ଫେରିଛି।

ଆଜି ରାଜସ୍ଥାନ ଟସ ଜିତି ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ମାତ୍ର ଦିଲ୍ଲୀର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନମାନେ ଶସ୍ତାରେ ପାଭିଲିୟନ ଫେରିବା ପରେ ଦଳ ବିପଦରେ ପଡ଼ିଥିଲା । ତେବେ ଅଧିନାୟକ ଋଷଭ ପନ୍ତ ସତର୍କତାର ସହ ଖେଳି ନିଜର ଅର୍ଦ୍ଧଶତକ ପୂରଣ କରିବା ସହ ଦଳର ସ୍କୋର ଆଗକୁ ବଢ଼ାଇ ଥିଲେ । ସେହିପରି ଲଲିତ ଯାଦବ ୨୦ ରନ ଓ ଟମ କରନ ୨୧ ରନ କରିଥିଲେ । ମାତ୍ର ନିମ୍ନ ଭାଗ ବ୍ୟାଟ୍ସମ୍ୟାନମାନେ ମଧ୍ୟ ବିଶେଷ ଯୋଗଦାନ ଦେଇପାରିନଥିଲେ । ଫଳରେ ଦିଲ୍ଲୀ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୪୭ ରନ କରିଥିଲା ।

ଅନ୍ୟ ପକ୍ଷରେ ୧୪୮ ରନର ବିଜୟ ଲକ୍ଷ୍ୟକୁ ନେଇ ରାଜସ୍ଥାନ ଦଳ ବ୍ୟାଟିଂ ଆରମ୍ଭ କରିଥିଲା। ମାତ୍ର ଛାମୁଆ ବ୍ୟାଟସମ୍ୟାନମାନେ ଶସ୍ତାରେ ଆଉଟ ହୋଇଯାଇଥିଲେ। ଜସ ବଟଲର୍ ୨,ମନନ୍ ବୋରା ୯, ସଞ୍ଜୁ ସାମସନ୍ ୪ ଓ ଶିବମ୍ ଦୁବେ ୨ ରନ୍ କରି କରି ଆଉଟ୍ ହୋଇଥିଲେ। ତେବେ ଡେଭିଡ୍ ମିଲର ପଞ୍ଚମ ବ୍ୟାଟସମ୍ୟାନ ଭାବେ ଆସି ସ୍ଥିତି ସମ୍ଭାଳି ବ୍ୟାଟିଂ କରି ୬୨ ରନ୍ କରିଥିଲେ। ତାଙ୍କ ପରେ ଆସି ରିୟାନ୍ ପରାଗ୍ ଓ ରାହୁଲ୍ ତେୱତିଆ ଯଥାକ୍ରମେ ୨ ଓ ୧୯ ରନ୍ କରି ଫେରି ଯାଇଥିଲେ। ଏଭଳି ସ୍ଥିତିରେ ମୋରିସ ପଡ଼ିଆକୁ ଓହ୍ଲାଇ ୩୬ କରିବା ସହ ଜୟଦେବ ଉନଦକଟ୍ ୧୧ ଯୋଡ଼ିଥିଲେ।

ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଏ ପର୍ଯ୍ୟନ୍ତ ଦୁଇଟି ମ୍ୟାଚ ଖେଳି ସେଥିରେ ଗୋଟିକରେ ବିଜୟ ହାସଲ କରିଛି ଓ ୨ ପଏଣ୍ଟ ପାଇଛି । ସେହିଭଳି ରାଜସ୍ଥାନ ଦଳ ୨ଟି ମ୍ୟାଚ ଖେଳି ଗୋଟିକରେ  ପରାଜୟ ବରଣ କରି ଗୋଟିକରେ ବିଜୟୀ ହୋଇଛି।

ସମ୍ବନ୍ଧିତ ଖବର