ରାଜସ୍ଥାନ ରୟାଲ୍‌ସ କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ରାଜସ୍ଥାନ ରୟାଲ୍‌ସର କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଦିଶାନ୍ତ ୟାଗ୍‌ନିକ୍‌ କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଛି ବୋଲି ଦଳ ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ୟୁଏଇରେ ଆୟୋଜିତ ତ୍ରୟୋଦଶ ସଂସ୍କରଣରେ ଭାଗ ନେବାପାଇଁ ସେଠାକୁ ଯାତ୍ରା କରିବା ପୂର୍ବରୁ ପ୍ରଥମ ଆଇପିଏଲ୍‌ ଦଳ ଭାବେ ରାଜସ୍ଥାନ ରୟାଲ୍‌ସ କୋଭିଡ୍‌-୧୯ ପଜିଟିଭ୍‌ ବାହାରିବା‌ରେ ପ୍ରଥମ ହୋଇଛି। ୟୁଏଇ ଯିବା ପୂର୍ବରୁ ଆସନ୍ତା ସପ୍ତାହରେ ଖେଳାଳିମାନେ ମୁମ୍ବାଇରେ ଏକତ୍ରିତ ହେବାକୁ ଥିବାରୁ ଏହାକୁ ମନରେ ରଖି କୋଭିଡ୍‌-୧୯ ପରୀକ୍ଷା କରାଯାଇଥିଲା। ଏଥିରେ ପ୍ରାଥମିକ ଭାବେ ଦିଶାନ୍ତଙ୍କର ପଜିଟିଭ୍‌ ରିପୋର୍ଟ ଆସିଛି। ତେବେ ଫ୍ରାଞ୍ଚାଇଜ୍‌ ୟୁଏଇ ଗସ୍ତ କରିବାକୁ ଥିବା ସମସ୍ତ ଖେଳାଳି, ସହକାରୀ ଅଧିକାରୀ ଏବଂ ଦଳୀୟ କର୍ତ୍ତୃପକ୍ଷଙ୍କ ପାଇଁ ଅତିରିକ୍ତ ପରୀକ୍ଷା ବ୍ୟବସ୍ଥା କରିଛି। ଏପରିକି ବିସିସିଆଇ ଅନୁମୋଦିତ ଦୁଇ ଥର ପରୀକ୍ଷା ମଧ୍ୟ କରାଯିବ ବୋଲି ଫ୍ରାଞ୍ଚାଇଜ୍‌ କହିଛି। ଦିଶାନ୍ତ ଏବେ ତାଙ୍କ ଘରୋଇ ସହର ଉଦୟପୁରରେ ଅଛନ୍ତି ଏବଂ ୧୪ ଦିନ ବାଧ୍ୟତାମୂଳକ ସଂଗରୋଧରେ ରହିବା ପାଇଁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପରାମର୍ଶ ଦିଆଯାଇଛି। ଦୁଇ ସପ୍ତାହ ସଂଗରୋଧ ସମୟ ବିତିଯିବା ପରେ ଦିଶାନ୍ତଙ୍କର ବିସିସିଆଇ ପ୍ରୋଟୋକଲ ଅନୁଯାୟୀ ଆଉ ଦୁଇ ଥର ପରୀକ୍ଷା କରାଯିବ। ରିପୋର୍ଟ ନେଗେଟିଭ୍‌ ଆସିଲେ ହିଁ ତାଙ୍କୁ ଦଳ ସହ ଯୋଗଦେବାକୁ ଅନୁମତି ମିଳିବ। କେବଳ ସେତିକି ନୁହେଁ ୟୁଏଇରେ ପହଞ୍ଚିବା ପରେ ଦିଶାନ୍ତ ପରବର୍ତୀ ୬ ଦିନ ପାଇଁ ଏକାନ୍ତବାସରେ ରହିବେ ଏବଂ ତାଙ୍କର ପୁନର୍ବାର ତିନି ଥର ପରୀକ୍ଷା କରାଯିବ ବୋଲି ଫ୍ରାଞ୍ଚାଇଜ୍‌ ପକ୍ଷରୁ କୁହାଯାଇଛି। ତେବେ ଗତ ୧୦ ଦିନ ଧରି କୌଣସି ଖେଳାଳି ଦିଶାନ୍ତଙ୍କ ସଂପର୍କରେ ଆସିନଥିବା ଫ୍ରାଞ୍ଚାଇଜ୍‌ ସ୍ପଷ୍ଟ କରିଛି। ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ୟୁଏଇରେ ଆଇପିଏଲ୍‌ ହେବ।

ସମ୍ବନ୍ଧିତ ଖବର